ଦିନରେ ତାତିଲା, ଅପରାହ୍‌ଣ‌ରେ ଢାଳିଲା

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍‌ଣରେ ଯାଜପୁର, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼‌ା, କଟକ, ଜଗତସିଂହପୁର, ବାଲେଶ୍ବର ଆଦି ଉପକୂଳବର୍ତ୍ତୀ ଜିଲ୍ଲଗୁଡ଼ିକରେ ପ୍ରବଳ ଝଡ଼ବର୍ଷା ହୋଇଛି। ୭୦ରୁ ୮୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ଓ ବର୍ଷା‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ କଦଳୀ, ଅମୃତଭଣ୍ଡା, ସଜନା ଗଛ ଆଦି ଭାଙ୍ଗିଯିବା ସହ ବ୍ୟାପକ ଠିଆ ଫସଲ ନଷ୍ଟ ହୋଇଛି। ବର୍ଷା ଯୋଗୁଁ ଦିନସାରା ଲାଗି ରହିଥିବା ପ୍ରବଳ ଗରମ ଓ ଗୁଳୁଗୁଳିରୁ ଉପକୂଳ ଜିଲ୍ଲାବାସୀ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ ପଶ୍ଚିମ ଓଡ଼ିଶା‌ରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଖରା କଷ୍ଟ ଜାରି ରହିଛି। ୪୩.୩ ଡିଗ୍ରି ସହ ସମ୍ବଲପୁର ଆଜି ରାଜ୍ୟର ସର୍ବୋଚ୍ଚ ଉତ୍ତପ୍ତ ସହର ପାଲଟିଥିଲା। ପଛକୁ ଥିଲା, ୪୨.୯ ଡିଗ୍ରି ସହ ବୌଦ୍ଧ, ୪୨.୪ ଡିଗ୍ରି ସହ ଝାରସୁଗୁଡ଼ା ଓ ୪୨.୩ ଡିଗ୍ରି ସହ ସୋନପୁର। ରାଜ୍ୟର ୧୨ ସହରରେ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଞେଙ୍କାନାଳ, କଟକ ଓ ନୟାଗଡ଼ ଜିଲ୍ଲାରେ ଆସନ୍ତାକାଲି ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅପରପକ୍ଷେ, ‌ଭାରତକୁ ମୌସୁମୀର ଆଗମନ ସମୟ ପାଖେଇ ଆସୁଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ମାଳଦୀପ, କୋମୋରିନ୍‌ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଆହୁରି କିଛି ଅଂଶ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଅବଶିଷ୍ଟ ଅଂଶ, କେନ୍ଦ୍ରୀୟ ବଙ୍ଗୋପସାଗରର ଆଉ କିଛି ଅଂଶ ତଥା ଉତ୍ତର-ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ଏବେ ଧୀରେଧୀରେ ପାଗ ସୁହାଉଛି। ଫଳରେ ଆଉ ୫ ଦିନରେ ମୌସୁମୀ କେରଳମୁହାଁ ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର