ଭୁବନେଶ୍ବର: ସାରା ରାଜ୍ୟର ତାପମାତ୍ରା ଏବେ ଉପରମୁହାଁ। ଗୋଟିଏ ପରେ ଗୋଟିଏ ସହରର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗି ଚାଲିଛି। ଆଜି ବୌଦ୍ଧରେ ରାଜ୍ୟର ସର୍ବୋ‌ଚ୍ଚ ତାପମାତ୍ରା ୩୮.୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ୧୦ଟି ସହରର ତାପମାତ୍ରା ୩୭ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ବଲାଙ୍ଗୀରରେ ୩୮.୧, ଅନୁଗୁଳରେ ୩୭.୯, ଟିଟିଲାଗଡ଼ରେ ୩୭.୬, ଭଦ୍ରକ ଓ ଝାରସୁଗୁଡ଼ାରେ ୩୭.୫, ଯାଜପୁରରେ ୩୭.୨, ବାରିପଦା, ସୋନପୁର ଓ ଭବାନୀପାଟଣାରେ ୩୭ ଡିଗ୍ରି ଲେଖାଏଁ ଥିଲା। ଭୁବନେଶ୍ବର ତାପମାତ୍ରା ୩୬.୧ ଡିଗ୍ରିରେ ପହଞ୍ଚିଛି, ଯାହାକି ଚଳିତବର୍ଷର ସର୍ବାଧିକ। ଉପକୂଳରୁ ପଶ୍ଚିମ ଓଡ଼ିଶା, ଏବେ ସବୁଠି ଦିନର ତାପମାତ୍ରା ବଢ଼ି ଚାଲିଛି। ଅଧିକାଂଶ ସହରରେ ତାତି ଅନୁଭୂତ ହୋଇଥିଲେ ମଧ୍ୟ ରାଜ୍ୟର ତତଲାଗଡ଼ର ପରିଚୟ ପାଇଥିବା ଟିଟିଲାଗଡ଼ ଏବେଠାରୁ ଉତ୍ତପ୍ତ ହେବାରେ ଲାଗିଛି। ଶନିବାର ଟିଟିଲାଗଡ଼ ରାଜ୍ୟ ସହ ଦେଶର ଉତ୍ତପ୍ତ ସହରରେ ପରିଣତ ହୋଇଥିଲା। ବିଦର୍ଭର ଆକୋଲା ସମେତ ଟିଟିଲାଗଡ଼ର ତାପମାତ୍ରା ଯୁଗ୍ମ ଭାବେ ୩୮.୫ ଡିଗ୍ରି ରହିଥିଲା, ଯାହାକି ଦେଶରେ ସର୍ବାଧିକ ବୋଲି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

Advertisment

ବୌଦ୍ଧ ୩୮ ଡିଗ୍ରି ଟପିଲା

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଫେବ୍ରୁଆରି ମାସରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ଦୁର୍ବଳ ରହିଥିଲା। ମାର୍ଚ୍ଚରେ ଏହାର ନ୍ୟୁଟ୍ରାଲ (୦.୩ ଡିଗ୍ରି ସେଲସିୟସ୍‌) ରହି ଜୁଲାଇ ପର୍ଯ୍ୟନ୍ତ ନ୍ୟୁଟ୍ରାଲ ଅବସ୍ଥାରେ ଚାଲୁ ରହିବାର ସମ୍ଭାବନା ରହିଛି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମା ବଙ୍ଗୋପସାଗରୀୟ ପବନ ବହିବ। ରାତିରେ ପଶ୍ଚିମା ପବନ ଓଡ଼ିଶାରେ ବହିବା ହେତୁ ଭୋର ସମୟରେ ତାପମାତ୍ରା କମ୍‌ ରହିବ। ଆସନ୍ତା ୯ ତାରିଖ ପରେ ପଶ୍ଚିମା ପବନ କେବଳ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସୀମିତ ରହିବ। ତେବେ ୧୨ ତାରିଖ ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସ୍ବାଭାବିକଠାରୁ ଅଧିକ ରହିବ। ଦିନ ଗୋଟାଏ ପରେ ମଝିରେ ମଝିରେ ଆଂଶିକ ଓ ସାମାନ୍ୟ ମେଘୁଆ ପାଗ ହେତୁ ତାପମାତ୍ରା କମିବ। ତେବେ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ଗରମ ଅଧିକ ସହ ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ସେ କହିଛନ୍ତି।