ହଜିବ ବସନ୍ତ, ଆସିବ ଗ୍ରୀଷ୍ମ

ଭୁବନେଶ୍ୱର : ବ୍ଲୁ ମୁନ୍‌, ରେଡ୍‌ ମୁନ୍‌, ସୁପରମୁନ୍‌ ଓ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଚର୍ଚ୍ଚା ଭିତରେ ବୁଧବାର ଅଗ୍ନିଉତ୍ସବ ପୂର୍ଣ୍ଣିମା ଚାଲିଯାଇଛି। ହେଲେ ଏହା ଭିତରେ ବହୁ ପରିମାଣରେ ବଦଳିଯାଇଛି ରାଜ୍ୟର ପାଣିପାଗ। ଋତୁଚକ୍ର ହିସାବରେ ଆଜିଠାରୁ ରାଜ୍ୟରେ ଆରାମଦାୟକ ବସନ୍ତ ଋତୁ ଅନୁଭୂତ ହେବା କଥା। ମାତ୍ର ଗତକାଲି ଓ ଆଜି ରାଜ୍ୟରେ ଯେଉଁ ହାରରେ ତାପମାତ୍ରା ବଢ଼ିଛି ତା’କୁ ଦେଖିଲେ ବସନ୍ତ ଅଚିରେ ହଜିଯିବ ଓ ଶୀଘ୍ର ଗ୍ରୀଷ୍ମ ତାତି ଆରମ୍ଭ ହୋଇଯିବ ବୋଲି ସୂଚନା ମିଳୁଛି। ପାଣିପାଗ ବିଜ୍ଞାନୀ ମଧ୍ୟ ଏଭଳି ଆଶଙ୍କା କରୁଛନ୍ତି।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ସାଧାରଣତଃ ପ୍ରତିବର୍ଷ ମାର୍ଚ୍ଚ ମଧ୍ୟଭାଗରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥାଏ। କିନ୍ତୁ ଏଥର ଫେବ୍ରୁଆରିରୁ ହିଁ ତାତି ବଢ଼ିବ। ଫେବ୍ରୁଆରିରେ ହିଁ କେତେକ ସ୍ଥାନରେ ଦିନର ତାପମାତ୍ରା ୩୭ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ରହିଛି। ମାର୍ଚ୍ଚ ମାସ ବେଳକୁ ତାପମାତ୍ରା ୪୦ ଡିଗ୍ରି ଡେଇଁଯିବ। ଝାଞ୍ଜି ପିଟିବ। ଏହି ସମୟ
ମଧ୍ୟରେ ଯଦି ବର୍ଷା ହୁଏ ତେବେ କିଛିଟା ନିସ୍ତାର ମିଳିପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କହିଛନ୍ତି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁ କହିଛନ୍ତି ଯେ ଏବେ ଦିନର ତାପମାତ୍ରା ବଢ଼ୁଛି। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ଏହାପରେ ତାପମାତ୍ରା କିଛିଟା ହ୍ରାସ ପାଇବ। ଘଡ଼ଘଡ଼ି ସହ ବର୍ଷା ବି ହୋଇପାରେ। ଏପରି ହେଲେ ତାପମାତ୍ରାରେ କିଛିଟା ପରିବର୍ତନ ଆସିପାରେ। ଯଦି ସେଭଳି କିଛି ନ ହୁଏ ତେବେ ଗ୍ରୀଷ୍ମପ୍ରବାହ ଶୀଘ୍ର ଆରମ୍ଭ ହୋଇପାରେ। ଦ୍ୱିତୀୟ ସପ୍ତାହରେ ବର୍ଷା ସମ୍ଭାବନା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳି ନ ଥିବା ଶ୍ରୀ ସାହୁ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୭ଟି ସହରର ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୩.୪ ଡିଗ୍ର୍ରି ରେକର୍ଡ ହୋଇଥିବା ବେଳେ ସୋନପୁରରେ ୩୩.୨, ବଲାଙ୍ଗିରରେ ୩୩, ଗୋପାଳପୁରରେ ୩୨.୯, ଝାରସୁଗୁଡ଼ାରେ ୩୨.୭, ଟିଟିଲାଗଡ଼ରେ ୩୨.୫, ଭୁବନେଶ୍ୱରରେ ୩୧.୯, କଟକରେ ୩୧.୫ ଡିଗ୍ରି ଥିଲା। ଏଥିସହ ସର୍ବନିମ୍ନ ତାପମାତ୍ରା ବି ଏକରୁ ଦୁଇ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮, ସୁନ୍ଦରଗଡ଼ରେ ୮ ଓ କୋରାପୁଟରେ ୯.୫ ଡିଗ୍ରିକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରି ଉପରେ ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ବିଶେଷ ପରିବର୍ତନ ହେବ ନାହିଁ। ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବ। ଏଥିପ୍ରତି ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର