ରାଉରକେଲା: ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ହକି, ଫୁଟବଲ ଓ ଆଥଲେଟିକ ପ୍ରଶିକ୍ଷଣ ଶିବିର ମଙ୍ଗଲବାରଠାରୁ ଆରମ୍ଭ ହୋଇଯାଇଛି। ପାନପୋଷ କ୍ରୀଡ଼ା ଛାତ୍ରାବାସ‌ ହକି ପଡ଼ିଆରେ ହକି ପ୍ରଶିକ୍ଷଣ ଏବଂ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ଫୁଟବଲ ଓ ଆଥଲେଟିକ ପ୍ରଶିକ୍ଷଣ ଦିଆଯାଉଛି। ହକି ପ୍ରଶିକ୍ଷଣକୁ ରାଜ୍ୟ କ୍ରୀଡ଼ା ବିଭାଗର ଉପ ନିର୍ଦ୍ଦେଶକ ଲାଜରୁସ ବାର୍ଲା ଉଦଘାଟନ କରିବାସହ ନିଷ୍ଠାପର ଅଭ୍ୟାସ କରିବାକୁ ଆହ୍ବାନ କରିଥିଲେ। ୨୨ ଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ ୮ ରୁ ୧୨ ବର୍ଷର ୨୪୩ ଜଣ ଅଂଶଗ୍ରହଣ କରିଛନ୍ତି।

Advertisment

ଏମାନଙ୍କ ମଧ୍ୟରୁ ବାଳକ ବର୍ଗରେ ୧୫୩ ଜଣ ଓ ବାଳିକାରେ ୯୦ ଜଣ ଅଂଶ ଗ୍ରହଣ କରିଛନ୍ତି। ଶିବିରରେ ଯୁବ ଖେଳାଳିଙ୍କୁ ହକିର ବିଭିନ୍ନ କଳାକୌଶଳ, ଶାରୀରିକ ସୁସ୍ଥତା ସହିତ ମୌଳିକ ଦକ୍ଷତା ଉପରେ ଶିକ୍ଷା ଦିଆଯିବ। ଶିବିରରେ ଯେଉଁମାନେ ନିଜର କାର୍ଯ୍ୟଦକ୍ଷତା ଦେଖାଇପାରିବେ, ସେମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ହକି ପ୍ରତିଭା ଚୟନରେ ପ୍ରାଥମିକତା ଦିଆଯିବ। ଖେଲାଳିମାନଙ୍କୁ ବରିଷ୍ଠ କୋଚ୍‌ କାଳୁ ଚରଣ ଚୌଧୁରୀ, ପ୍ରଫୁଲ ତିର୍କୀ, ରାଜେନ ଏକ୍କା, ସୁଜିତ ଲାକ୍ରା, ଏଡଗର ମାସନିୟସ ପ୍ରମୁଖ ପ୍ରଶିକ୍ଷଣ ଦେବେ।