ଆଜିଠୁ ସ୍କୁଲ ଛୁଟି

ପାଠପଢ଼ା ହେବନି, କାର୍ଯ୍ୟାଳୟ ଖୋଲା ରହିବ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲ ଆସିବା ବାଧ୍ୟତାମୂଳକ

ଭୁବନେଶ୍ବର : ଗୁରୁବାରଠାରୁ ସ୍କୁଲ ଛୁଟି। ଛାତ୍ରଛାତ୍ରୀ ସ୍କୁଲ ଆସିବେନି। ପାଠପଢ଼ା ହେବନି। କିନ୍ତୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ। କାର୍ଯ୍ୟରେ ଯୋଗଦେବେ। ମେ’ ୪ ତାରିଖ ପର୍ଯ୍ୟନ୍ତ ନିୟମିତ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଗତକାଲି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଆଗୁଆ ସ୍କୁଲ ଛୁଟି ହେବା ନେଇ ଘୋଷଣା ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଏଭଳି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ ତଥା ଗୁରୁବାରଠାରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ବନ୍ଦ ରହିବ। ପାଠପଢ଼ା ହେବନି। ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ଲାସ ନେବେନି। କିନ୍ତୁ ସମସ୍ତ ସ୍କୁଲ କାର୍ଯ୍ୟାଳୟ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ନାମଲେଖା, ପାଠ୍ୟପୁସ୍ତକ ସଂଗ୍ରହ, ତାହାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟିବା, ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ ପରି ବିଭିନ୍ନ ଜରୁରୀ କାର୍ଯ୍ୟ ଅନୁଷ୍ଠିତ ହେବ। ଏଥିସହ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ସେଥିରେ ବି ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରୁଛନ୍ତି। ତେଣୁ ଏ ସମ୍ପର୍କିତ କାର୍ଯ୍ୟ ଯେପରି ସୁଚାରୁରୂପେ ହୋଇପାରିବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ କୁହାଯାଇଛି।

ଅନ୍ୟପକ୍ଷରେ ସ୍କୁଲ ଛୁଟି ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ବି ରାଜଧାନୀ‌ରେ ଥିବା କେତେକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଘୋଷିତ ନିୟମ କରିଛନ୍ତି। ସ୍କୁଲ ଖୋଲା ରହିବ ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ତେବେ ପିଲାଙ୍କ ଘର ନିକଟକୁ ସ୍କୁଲ ବସ୍‌ ଯିବନି। ‌ପିଲାମାନେ ବି ୟୁନିଫର୍ମ ପିନ୍ଧି ନ ଆସିବାକୁ କୁହାଯାଇଛି। ସାଦା ପୋଷାକରେ ସକାଳ ୬ଟା ୩୦ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବାକୁ ନିୟମ ହୋଇଛି। ବିଶେଷକରି ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ନିୟମକୁ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। ‌ଏହାକୁ ନେଇ କେତେକ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର