ଏଥର ମାତ୍ର ୧୦ ଦିନ ଖରାଛୁଟି: ମେ ପହିଲାରୁ ସକାଳ ୬ଟାରୁ ୯ଟା ଯାଏ ବିଦ୍ୟାଳୟରେ ପାଠପଢ଼ା

ଭୁବନେଶ୍ବର: ଏଥର ମାତ୍ର ୧୦ ଦିନ ଖରାଛୁଟି। ଅବଶିଷ୍ଟ ଦିନମାନଙ୍କରେ ବି ହେବ ପିଲାଙ୍କ ପାଠପଢ଼ା। ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ପଢ଼ାଇବେ ଶିକ୍ଷକ ଶିକ୍ଷୟିତ୍ରୀ।ଏହି ସମୟରେ ପିଲାମାନଙ୍କ ପାଠପଢ଼ା ଜାରି ରଖିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଏହା ଲାଗୁ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଠପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଣ୍ଟଛାଣ୍ଟ ନିଷ୍ପତ୍ତି ହୋଇଛି। ଜୁନ୍ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭଳି ସକାଳୁଆ ସ୍କୁଲ ଚାଲୁ ରହିବ। ତେବେ ପାଠପଢ଼ା ସମୟସାରିଣୀରେ ପରିବର୍ତ୍ତନ କରାଯାଇଛି। ମେ ପହିଲାରୁ ଜୁନ୍ ୫ ତାରିଖ ଯାଏଁ ସକାଳ ୬ଟାରୁ ୯ଟା ଯାଏ ପାଠପଢ଼ା ହେବ। ଏପ୍ରିଲ ୨୦ ତାରିଖ ଭିତରେ ପ୍ରଥମରୁ ଅଷ୍ଟମ ଯାଏ କ୍ଲାସ୍ ପ୍ରମୋସନ୍ କରାଯିବ। ଏଣେ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀରେ ଆଡମିସନ୍ ଓ ରିଆଡମିସନ୍ କରାଯିବ ବୋଲି ସୂଚନା ମିଳିଛି।ଶିକ୍ଷା ପରିଷଦ ଦ୍ବାରା ଆରମ୍ଭ କରାଯାଇଥିବା ନୂତନ ମୂଲ୍ୟାଙ୍କନ ନୀତି ଅନୁଯାଇ, ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସମାପ୍ତିସୂଚକ ଆକଳନ-୨ ପରୀକ୍ଷା ଦେବାକୁ ପଡ଼ିବ। ସମାପ୍ତିସୂଚକ ଆକଳନ-୨ ପରୀକ୍ଷା ଏବଂ ତାହାର ପରୀକ୍ଷା ଫଳ ପ୍ରକାଶନ ତଥା ୧୦ମ ଶ୍ରେଣୀକୁ ଉନ୍ନତି  ମଇ ୧୦ ତାରିଖ ସୁଦ୍ଧା ଶେଷ କରାଯିବ। ମଧ୍ୟ୍ୟାହ୍ନ ଭୋଜନଭୁକ୍ତ ପିଲାମାନଙ୍କୁ ରନ୍ଧନ ଖାଦ୍ୟ ଯୋଗାଇ ଦିଆଯିବ।

କୋଭିଡ-୧୯ ମହାମାରୀ ଯୋଗୁଁ ବିଗତ ଦୁଇ ବର୍ଷ ମଧ୍ୟରେ ଶିକ୍ଷା ଗ୍ରହଣରେ ହୋଇଥିବା କ୍ଷତିଭରଣା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ (ଓସେପା) ଦ୍ବାରା ପ୍ରସ୍ତୁତ ଶୈକ୍ଷିକ ପୁନରୁଦ୍ଧାର ଯୋଜନା ମାଧ୍ୟମରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ବାରା ସକାଳୁଆ ବିଦ୍ୟାଳୟଗୁଡ଼ିକ କାର୍ଯ୍ୟକ୍ଷମ କରାଯିବ।

 

ସମ୍ବନ୍ଧିତ ଖବର