ରାୟଗଡ଼ା : ଉତ୍କଳ ଆଲୁମିନା କମ୍ପାନି ପାର୍ଶ୍ବରେ ଥିବା ଡିମୁଣ୍ଡି ଗ୍ରାମବାସୀଙ୍କୁ ବିସ୍ଥାପିତ ମାନ୍ୟତା ପ୍ରସଙ୍ଗରେ ଜାତୀୟ ଜନଜାତି କମିସନ ରାୟଗଡ଼ା ଜିଲ୍ଲାପାଳଙ୍କୁ ସମନ ଜାରି କରିଛନ୍ତି। ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ୩ଥର ସମନ ସତ୍ତ୍ବେ କମିସନଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ହାଜର ହୋଇନାହାନ୍ତି। ଯାହାକୁ ନେଇ କମିସନ ସଦସ୍ୟ ଅନନ୍ତ ନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ରାୟଗଡ଼ା ଜିଲ୍ଲାପାଳଙ୍କ ବିରୋଧରେ ୱାରେଣ୍ଟ୍ ଜାରି ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।
ଉତ୍କଳ ଆଲୁମିନା ନିର୍ମାଣ ସମୟରେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ ଡିମୁଣ୍ଡି ଗ୍ରାମବାସୀ। କମ୍ପାନିକୁ ଜମି ପ୍ରଦାନ ନ କରିବା ଫଳରେ କମ୍ପାନିର ପାଚେରି ଗାଁକୁ ଲାଗି ନିର୍ମାଣ ହୋଇଥିଲା। ପାଚେରି ପାଖଦେଇ କମ୍ପାନିର ବକ୍ସାଇଟ୍ ପରିବହନ ବେଲଟ୍ ଲାଇନ୍ ଯାଇଥିବାରୁ ସବୁବେଳେ ଧୂଳି, ଧୂଆଁରେ ଗ୍ରାମବାସୀ ଅସ୍ତବ୍ୟସ୍ତ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଆରଡିସି, ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଗୁହାରି କରି ଥକି ସାରିଛନ୍ତି। ଶେଷରେ ଗ୍ରାମବାସୀ ଜନଜାତି କମିସନଙ୍କ ନିକଟରେ ହାଜର ହେବାପରେ କମିସନ ଜୁଲାଇ ୧୯ତାରିଖରେ ଏ ନେଇ ରାୟଗଡ଼ା ଜିଲ୍ଲାପାଳଙ୍କୁ ସମନ ଜାରି କରିଥିଲେ। ଦିଲ୍ଲୀରେ ଥିବା କମିସନଙ୍କ କାର୍ଯ୍ୟାଳୟରେ ହାଜରହୋଇ ଜିଲ୍ଲପାଳ ପକ୍ଷ ରଖିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ପ୍ରଥମ ସମନ ଅନୁଯାୟୀ ଜିଲ୍ଲାପାଳ ନ ଯିବା ପରେ ଦ୍ବିତୀୟ ସମନ ଅଗଷ୍ଟ ୫ ତାରିଖରେ ଜାରି ହୋଇଥିଲା। ସେହିପରି ତୃତୀୟ ସମନ ଅକ୍ଟୋବର ୧୮ ତାରିଖରେ ରାୟଗଡ଼ା ଜିଲ୍ଲାପାଳଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଏବଂ ଉତ୍କଳ ଆଲୁମିନା ସିଇଓଙ୍କୁ ଜାରି ହୋଇଥିଲା। ହେଲେ, କେହି ବି ହାଜର ହୋଇନଥିଲେ। କେବଳ ଉତ୍କଳ ଆଲୁମିନା ପକ୍ଷରୁ ଜଣେ ଓକିଲ କମିସନଙ୍କ କାର୍ଯ୍ୟାଳୟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କମିସନ ଓକିଲଙ୍କୁ ଗ୍ରହଣ କରିନଥିଲେ।
ଅନ୍ୟପକ୍ଷରେ, ଡିମୁଣ୍ଡି ଗ୍ରାମର ୧୨ଜଣ ସଦସ୍ୟ ଜାତୀୟ ଜନଜାତି କମିସନ ସଦସ୍ୟ ଅନନ୍ତ ନାୟକଙ୍କୁ ସାକ୍ଷାତ କରି ପୁଣି ସମସ୍ୟା ସଂପର୍କରେ ଅବଗତ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଉପରେ କମିସନ ସଦସ୍ୟ ଅସନ୍ତୋଷ ପ୍ରକାଶ କରିବା ସହ କମିସନ ନିୟମନୁସାରେ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ସମନକୁ ବାରମ୍ବାର ଅଣଦେଖା କରିଥିବା ରାୟଗଡ଼ା ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀଙ୍କ ବିରୋଧରେ ୱାରେଣ୍ଟ ଜାରି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।