ଆଉ କେତେ ମଲେ ଚେତିବେ? ୨୦୨୦ ଗ୍ରୀଷ୍ମ ବି ଆଣିପାରେ ବଡ଼ ଧରଣର ବିପଦ, ୨୨ବର୍ଷରେ ଅଂଶୁଘାତ ନେଲାଣି ୩୨୭୨ ଜୀବନ

ଢେଙ୍କାନାଳରେ ସର୍ବାଧିକ, କୋରାପୁଟରେ ସର୍ବନିମ୍ନ

ଭୁବନେଶ୍ବର : ବିଶ୍ବରେ ବିପର୍ଯ୍ୟୟ ଆଣିଥିବା କରୋନାକୁ ଓଡ଼ିଶାରେ ରୋକିବା ଲାଗି ରାଜ୍ୟ ସରକାର ଦିନରାତି ଏକ କରିଛନ୍ତି। ହେଲେ ଓଡ଼ିଶା ପ୍ରତିବର୍ଷ ଏଭଳି ବିପର୍ଯ୍ୟୟ ସାମ୍ନା କରୁଛି, ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନି ଘଟୁଛି। ଏଇ ଯେମିତି ଗ୍ରୀଷ୍ମ ପ୍ରବାହ ବଢିବାର ସଙ୍କେତ ମିଳିବା କ୍ଷଣି ଏବେ ରାଜ୍ୟରେ ଅଂଶୁଘାତର ଭୟ ସୃଷ୍ଟି ହେଲାଣି। ନିଜେ ଓସଡମା ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଗତକାଲି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। କିନ୍ତୁ ପରିସଂଖ୍ୟାନ କହୁଛି, ସରକାରଙ୍କ ସବୁ ସତର୍କତା ସତ୍ତ୍ବେ ଗତ ୨୨ ବର୍ଷରେ ରାଜ୍ୟରେ ଅଂଶୁଘାତ ୩୨୭୨ଜଣଙ୍କର ଜୀବନ ନେଇଛି। ବେସରକାରୀ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ।

ଚଳିତ ବର୍ଷ ମୌସୁମୀ ନେଇ ପାଣିପାଗ ବିଭାଗ ଏଯାଏ ଆଗୁଆ ସୂଚନା ଦେଇନାହିଁ। କିନ୍ତୁ ଏବେଠାରୁ ବିଭିନ୍ନ ପାଣିପାଗ ବିଶେଷଜ୍ଞମାନେ ଯେଉଁ ଆକଳନ କରୁଛନ୍ତି, ସେଥିେର ଗ୍ରୀଷ୍ମ ସ୍ଥିତି ସ୍ବାଭାବିକ ରହିବ। ଅର୍ଥାତ୍ ଲୋକେ ଗରମ ଅନୁଭବ କରିବେ। ପାଣିପାଗରେ ପରିବର୍ତନ କାରଣରୁ ଅସ୍ବାଭାବିକ ଭାବେ ତାତି ବଢିନପାରେ, ହେଲେ ବୃକ୍ଷ କାଟିବା ସହିତ ରାଜ୍ୟରେ ଯେଭଳି ଶିଳ୍ପାୟନ ଚାଲିଛି ଓ କଂକ୍ରିଟ୍ ଜଙ୍ଗଲ ସବୁଠାରେ ଗଢିଉଠିଲାଣି, ତାତି କିନ୍ତୁ ଢେର୍ ସମୟ ଯାଏ ରହିବ। ଏହା ଅଂଶୁଘାତ ଭୟକୁ ବଢାଇ ଦେଉଛି। ଏଭଳି ପରିସ୍ଥିତିକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ଯେଉଁ ଅଂଶୁଘାତ-୨୦୨୦ ଖସଡା ପ୍ରସ୍ତୁତ କରିଛନ୍ତି, ତାହାର ଅନୁପାଳନ ଲାଗି ଓସଡମା ଏବେଠାରୁ ତାଗିଦ୍ କରିଛି।

ପାଣିପାଗ ବିଭାଗର ଅବସରପ୍ରାପ୍ତ ଆଞ୍ଚଳିକ ନିର୍ଦେଶକ ଡ. ଶରତ ସାହୁଙ୍କ ଆକଳନ କହୁଛି, ଆସନ୍ତା ୧୦ ତାରିଖ ପରେ ତାପମାତ୍ରା ବଢିବ। ୧୫ ତାରିଖ ବେଳକୁ କିଛି ଅଞ୍ଚଳରେ ପାରଦ ୪୫ ଡିଗ୍ରି ଛୁଇଁଯିବା ବିଚିତ୍ର ନୁହେଁ। ଏଣୁ ତାତି ଅନୁଭବ ହେବ ଓ ଏକାଥରରେ ଯଦି ୪ରୁ ୫ ଡିଗ୍ରି ଯାଏ ପାରଦ ବଢେ, ତେବେ ଅଂଶୁଘାତ ଆଶଙ୍କାକୁ ଏଡାଇ ଦେଇ େହବନାହିଁ। ଡ. ସାହୁଙ୍କ ହିସାବ କହୁଛି, ଯେତେ ବର୍ଷା ଉଠାଇଲେ ବି ଅନୁରୂପ ଭାବେ ବର୍ଷା ହେବ ନାହିଁ। ଏଣୁ ତାତିର ପ୍ରକୋପ ରହିବ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଟିକିଏ ଭିନ୍ନ ସୂଚନା ଦେଉଛି। ତାଙ୍କର ପୂର୍ବାନୁମାନ କହୁଛି, ଏବର୍ଷ ଗ୍ରୀଷ୍ମ ଋତୁ ସ୍ବାଭାବିକ ରହିବ। ଅର୍ଥାତ୍ ଅତି ଗ୍ରୀଷ୍ମ ପ୍ରବାହ ହୋଇ ସମସ୍ତଙ୍କୁ ଆତଙ୍କିତ କରିବାର ସୂଚନା ଆଦୌ ନାହିଁ। ତେବେ ୧୫ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧିପାଇବ ଓ ସବୁ ବର୍ଷ ଭଳି ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରି ପର୍ଯ୍ୟନ୍ତ ପାରଦ ଉଠିଯାଇପାରେ।

ତାତି ଦିନେ ଦୁଇଦିନ ବଢିଲେ ବି ତା ପରବର୍ତୀ ସମୟରେ ବର୍ଷା କାରଣରୁ ତାତି କମିଯାଇପାରେ।

ପୂର୍ବାନୁମାନ କେତେ ବାସ୍ତବତାରେ ପରିଣତ ହେବ ତାହା ଅଲଗା କଥା। କିନ୍ତୁ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟର ପରିସଂଖ୍ୟାନ ସୂଚାଉଛି ଯେ ଏମିତି କୌଣସି ବର୍ଷ ନାହିଁ, ଯେବେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଦୁଇଅଙ୍କ ନ ଛୁଇଁଛି। ଏହି ପରିସଂଖ୍ୟାନ ଅନୁସାରେ, ୧୯୯୮ ମସିହାରେ ସବୁଠାରୁ ଅଧିକ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା ଓ ସେବର୍ଷ ସରକାରୀ ଖାତା ଅନୁସାରେ ୨୦୪୨ ଜଣ ପ୍ରାଣ ହରାଇଥିଲେ। ୧୯୯୯ ବେଳକୁ ଏହା ଖସିଆସି ୯୧ରେ ରହିଥିଲା। ୨୦୦୦ ମସିହାରେ ମାତ୍ର ୨୯ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିଲେ ହେଁ, ୨୦୦୫ରେ ପୁଣି ୨୩୬ଜଣ ପ୍ରାଣ ହରାଇଥିଲେ। ୨୦୧୦ରେ ଏହି ସଂଖ୍ୟା ୧୦୪ ରହିଥିଲା। ଇତିମଧ୍ୟରେ ଏକାଧିକ ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି ଜାତିସଂଘରୁ ପ୍ରଶଂସା ଗୋଟାଇଥିବା ଓଡ଼ିଶାରେ ୨୦୧୯ରେ ବି ୨୧ ଜଣ ଅଂଶୁଘାତରେ ପ୍ରାଣ ହରାଇଥିଲେ।

ସରକାରୀ ପରିସଂଖ୍ୟାନକୁ ଆହୁରି ଖିନଭିନ୍ କରି ଦେଖିଲେ ଢେଙ୍କାନାଳରେ ହିଁ ସବୁଠାରୁ ଅଧିକ (୪୭୯) ଲୋକ ଅଂଶୁଘାତରେ ଏହି ୨୨ ବର୍ଷରେ ପ୍ରାଣ ହରାଇଛନ୍ତି। ତା ପଛକୁ କଟକ (୩୨୧), ସମ୍ବଲପୁର (୨୨୯), ଖୋର୍ଧା (୨୧୬) ରହିଛି। ସବୁଠାରୁ କମ୍ କୋରାପୁଟରେ ଅଂଶୁଘାତ ଜନିତ ମୃତ୍ୟୁ ଘଟିଛି। ଏହି ଜିଲ୍ଲାରେ ଗତ ୨୨ ବର୍ଷ ମଧ୍ୟରେ ମାତ୍ର ଜଣେ ବ୍ୟକ୍ତି ଅଂଶୁଘାତଜନିତ ମୃତ୍ୟୁକୁ ସାମ୍ନା କରିଛନ୍ତି। ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଗଜପତି ଜିଲ୍ଲାରେ ବି ଏହି ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହିଛି ଗତ ଦୁଇ ଦଶନ୍ଧି ଭିତରେ। ଏହା କେଉଁଠି ନା କେଉଁଠି ସଙ୍କେତ ଦେଉଛି, ଯେଉଁଠି ଯେତେ ଅଧିକ ବୃକ୍ଷରାଜି ରହିଛି, ସେଠାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ସେତେ କମ୍। ଏଥିରୁ ସରକାର କଣ ଶିଖିଛନ୍ତି? ଜଙ୍ଗଲ ଓ ପରିବେଶ ବିଭାଗ ଯେଉଁ କୋଟି କୋଟି ସଂଖ୍ୟାରେ ଗଛ ଲଗାଇଥିବା କାଗଜପତ୍ରରେ ଦର୍ଶାଉଛି, ତାହା କେଉଁଠି? ସରକାର ଥରୁଟିଏ ଏ କାଗଜର ପରିସଂଖ୍ୟାନ ଓ ବାସ୍ତବତା ପରିଖିବେନି?

ସମ୍ବନ୍ଧିତ ଖବର