‘କୋଣାର୍କ ଓଡ଼ିଶାର ଅନ୍ତର୍ଜାତୀୟ ଉତ୍ପାଦ’

ଜ୍ଞାନପୁଞ୍ଜ ବକ୍ତୃତାମାଳାରେ ଡ. ବାଲକ୍ରିଷ୍ଣନ୍‌

ଭୁବନେଶ୍ବର : ବିଶ୍ବ ଐତିହ୍ୟ କୋଣାର୍କ ମନ୍ଦିରର ସ୍ଥାପତ୍ୟ, ଚିତ୍ରକଳା ଆଦି କେବଳ ସ୍ଥାନୀୟ କିମ୍ବା ରାଜ୍ୟ ଏପରି କି ଦେଶଭିତ୍ତିକ ବସ୍ତୁ, ବ୍ୟକ୍ତି ପ୍ରେରଣାର ସୃଜନାତ୍ମକ ଉତ୍ସରୁ ନିର୍ମିତ ହୋଇନାହିଁ। ଏଥିରେ ସଂଘଟିତ ହୋଇଛି ଦେଶ ବିଦେଶର ବିଭିନ୍ନ ସୃଜନାତ୍ମକ କଳା, ସ୍ଥାପତ୍ୟ। ବିଶେଷ କରି କୋଣାର୍କ ମନ୍ଦିରରେ ସୂର୍ଯ୍ୟ ପୂଜାର ପ୍ରାଚୀନତା, ଅଶ୍ବଚାଳକ ବେଶରେ ସୂର୍ଯ୍ୟଦେବଙ୍କର ବିଗ୍ରହ, ଏହାର ଚିତ୍ରକଳାରେ ଜିରାଫର କଳ୍ପନା, ବିଶ୍ବର ବିଭିନ୍ନ ପ୍ରାନ୍ତର ବଂଶଭୁକ୍ତ ହାତୀ ଚିତ୍ର, ସୂର୍ଯ୍ୟ ପୂଜା ସହିତ ସଂଯୁକ୍ତ ନେଇ ଉଦାହରଣ ଦର୍ଶାଇ ଏହା ଅନ୍ତର୍ଜାତୀୟ ଉତ୍ପାଦ ବୋଲି ଅବସରପ୍ରାପ୍ତ ରାଜ୍ୟ ଉନ୍ନୟନ କମିସନର ତଥା ଐତିହାସିକ ଡ. ଆର. ବାଲକ୍ରିଷ୍ଣନ ସ୍ପଷ୍ଟ ମତପ୍ରକାଶ କରିଥିଲେ।

ଆଜି ସଚିବାଳୟରେ ଆୟୋଜିତ ଓଡ଼ିଶା ଜ୍ଞାନପୁଞ୍ଜ ବକ୍ତୃତାମାଳାର ୨୯ତମ ବକ୍ତୃତା ପ୍ରଦାନ ଅବସରରେ ଡ. ବାଲକ୍ରିଷ୍ଣନ କହିଲେ ଯେ କୋଣାର୍କ ମନ୍ଦିର ଅତୀତ ଓଡ଼ିଶାରେ ଅନ୍ତର୍ଜାତୀୟ ଘଟଣାବଳୀର ଆୟୋଜନ ଏବଂ ଆନ୍ତର୍ଜାତୀୟ ଶିଳ୍ପକଳାକୁ ଓଡ଼ିଶାର ଅବଦାନ ଥିବା ସୂଚିତ କରୁଛି। ଅର୍ଥାତ୍‌ କୋଣାର୍କ ମନ୍ଦିର ନିର୍ମାଣ ପୂର୍ବରୁ ଅନ୍ତର୍ଜାତିକ ସମାବେଶ ଆୟୋଜିତ ହୋଇଥିବା ସମ୍ଭାବନାକୁ ଅସ୍ବୀକାର କରିହେବ ନାହିଁ। ଇତିହାସକୁ ଏକ ବିଶ୍ଳେଷଣାତ୍ମକ ବିବରଣୀ ଦର୍ଶାଇ ସେ କହିଲେ ଅତୀତର ଘଟଣାବଳୀକୁ ଏହା ବର୍ଣ୍ଣନା କରିଥାଏ। ସିନ୍ଧୁ ସଭ୍ୟତାର ଇତିହାସରେ ବହୁ ସମାଜର ସାମୂହିକ ଚେତନା, ଲୋକସ୍ମୃତି ଆଦି ସଠିକ୍‌ ଭାବେ ଉପସ୍ଥାପିତ ହୋଇପାରିନାହିଁ। ତେବେ ଇତିହାସ କେବଳ ଏକ ଆବଶ୍ୟକତା ନୁହେଁ, ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଏହା ବର୍ତମାନକୁ ବୁଝିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ।

ଡ. ବାଲକ୍ରିଷ୍ଣନଙ୍କ ପରିଚିତ ସଂପର୍କରେ ସୂଚନା ଦେଇ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ କହିଲେ, ସେ ଜଣେ ଭାରତୀୟ ବିଦ୍ୟାବିତ୍‌। ତାଙ୍କର ଅନେକ ଗବେଷଣାତ୍ମକ ପ୍ରବନ୍ଧ ମାନ୍ୟତା ହାସଲ କରିଛି। ସିନ୍ଧୁ ସଭ୍ୟତାରେ ତାଙ୍କର ଆବିଷ୍କାର ଯୋଗୁଁ ତାଙ୍କୁ ପେରିୟାର ବିଶ୍ବବିଦ୍ୟାଳୟ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛି। କୋଣାର୍କ ମନ୍ଦିର, ପ୍ରାଚୀନ ଉତ୍କଳ ଓ ଇଣ୍ଡୋନେସିଆ, ଜଗନ୍ନାଥ ସଂସ୍କୃତିର ବିବିଧତା ଆଦି ସଂପର୍କରେ ତାଙ୍କର ପ୍ରବନ୍ଧ ଅନେକ ଅଜଣା ତଥ୍ୟ ଉପରେ ଆଲୋକପାତ କରିଛି। ନିକଟରେ ତାଙ୍କର ଗବେଷଣାତ୍ମକ ରଚନାଗୁଡ଼ିକ ବିଶିଷ୍ଟ ସାହିତ୍ୟିକ ସଂଗ୍ରାମ ମହାପାତ୍ରଙ୍କ ଦ୍ବାରା ଅନୁବାଦିତ ହୋଇ ‘ଆବଦ୍ଧ ପାଦଚିହ୍ନ’ ପୁସ୍ତକ ଭାବେ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟାଳୟରୁ ଭିଡିଓ କନ୍‌ଫ‌େରନ୍ସିଂ ମାଧ୍ୟମରେ ବକ୍ତୃତାମାଳାରେ ଅଂଶଗ୍ରହଣ କରିଥିଲେ। ଡ. ବାଲକ୍ରିଷ୍ଣନଙ୍କୁ ଜ୍ଞାନପୁଞ୍ଜ ବକ୍ତୃତାମାଳାର ସ୍ମାରକୀ ପ୍ରଦାନ କରି ସମ୍ବର୍ଧିତ କରିଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ଏହି କାର୍ଯ୍ୟକ୍ରମକୁ ସଚିବାଳୟ ସହିତ ଜିଲ୍ଲା ସଦର ମହକୁମା ସହ ସଂଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର