ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ପ୍ରଥମ ଦିନରେ ୫୩୦ ପର୍ଯ୍ୟଟକ

କୋଣାର୍କ : କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୫ ତାରିଖଠାରୁ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଦୀର୍ଘ ସାଢ଼େ ତିନିମାସ ବନ୍ଦ ରହିବା ପରେ ସୋମବାର ସକାଳ ୬ଟାରେ ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ ସୂର୍ଯ୍ୟମନ୍ଦିର ଖୋଲାଯାଇଥିଲା। ଆଜି ପ୍ରଥମ ଦିନରେ ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ମଧ୍ୟରେ ମୋଟ ୫୩୦ ଜଣ ପର୍ଯ୍ୟଟକ ମନ୍ଦିର ପରିଦର୍ଶନ କରିଥିବାର ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୨୮ ଜଣ ଶିଶୁ ଥିବାବେଳେ ଅନ୍ୟ ୫୦୨ ଜଣ ପର୍ଯ୍ୟଟକ ଅନ୍‌ଲାଇନ୍‌ରେ ୩୫ ଟଙ୍କା ଲେଖାଏଁ ଦେୟ ପ୍ରଦାନ କରି ମନ୍ଦିର ପରିଦର୍ଶନ କରିଥିବାର ସୂଚନା ମିଳିଛି।

କୋଭିଡ଼ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଇ ମନ୍ଦିରକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା। ଟିକେଟ କାଉଣ୍ଟର ନିକଟରେ ଗହଳି ଜମିବା ଆଶଙ୍କା ରହିଥିବାରୁ ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକେଟ କରିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିର୍ଦ୍ଦେଶ ରହିଛି। ମନ୍ଦିରକୁ ପ୍ରବେଶ ପୂର୍ବରୁ ମୁଖ୍ୟ ଫାଟକରେ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହିତ ହାତ ବିଶୋଧନ ପାଇଁ ସାନିଟାଇଜର୍‌ ପ୍ରଦାନ କରାଯାଇଛି। ପ୍ରତ୍ୟେକ ଦିନ ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ମଧ୍ୟରେ ମନ୍ଦିର ମଧ୍ୟକୁ ସର୍ବାଧିକ ଦୁଇହଜାର ପର୍ଯ୍ୟଟକ ଅନ୍‌ଲାଇନ୍‌ ଟିକେଟ କରି ପରିଦର୍ଶନ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି। ଆଜି ମନ୍ଦିର ଖୋଲିବା ପରେ ପ୍ରଥମ ପର୍ଯ୍ୟଟକ ଭାବେ ଜଣେ ବଙ୍ଗୀୟ ପର୍ଯ୍ୟଟକ ମନ୍ଦିର ପରିଦର୍ଶନ ପାଇଁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର