ସାଆନ୍ତଙ୍କ ସୁନାବେଶ: ୨ କୁଇଣ୍ଟାଲ ୮ କେଜି ସୁନାରେ ସଜ ହୁଅନ୍ତି ମହାପ୍ରଭୁ

ବର୍ଷକୁ ୫ ଥର ସୁନାବେଶ, କପିଳେନ୍ଦ୍ରଦେବ ୧୬ଟି ହାତୀ ପିଠିରେ ଆଣିଥିଲେ ସୁନା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବି ସୁନାରେ ସଉକ। ତେଣୁ କାଳିଆର ମନ ଜାଣି ସୁନା ଅଳଙ୍କାର ଖଞ୍ଜି ଦେଇଛନ୍ତି ଭକ୍ତ। ମହଣ ମହଣ ସୁନାରେ ଛାଉଣି ହୋଇ ରଥ ଉପରେ ବସିଥିବା ବ‌େଳେ ରଥ ପାଲଟିଯାଏ ରାଜଗାଦି। ମହାପ୍ରଭୁ ପାଲଟିଯାଆନ୍ତି ରାଜାରାଜେଶ୍ବର। ଲକ୍ଷଲକ୍ଷ ଭକ୍ତ ପାଲଟି ଯାଆନ୍ତି ପ୍ରଜା। ଏଠି ବିଚାରବିମର୍ଶ ସିନା ହୁଏନି, କିନ୍ତୁ ଆଖିରେ ଆଖିରେ ଚାଲେ ଭାବ ଦିଆନିଆ। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ହିଁ ଭକ୍ତ ମଧ୍ୟରେ ଭାବାବେଗ ସୃଷ୍ଟି କରେ। ଦୁର୍ଲଭ ବେଶ ଦର୍ଶନ ବେଳେ ଆଖିର ପଲକ ପଡ଼େନି। ଦର୍ଶନ ମାତ୍ରେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ଆଷାଢ଼ ଏକାଦଶୀରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ବେଶ ଆରମ୍ଭ ହୁଏ। ପାଳିଆ ମେକାପ, ଖୁଣ୍ଟିଆ ସେବକ, ମାଜିଷ୍ଟ୍ରେଟ୍‌, ପୁଲିସ୍‌ ଓ ମନ୍ଦିର ଅଧିକାରୀଙ୍କ ସହାୟତାରେ ସୁନା ଅଳଙ୍କାର ଶ୍ରୀମନ୍ଦିର ଭଣ୍ଡାର ଘରୁ ରଥ ଉପରକୁ ଆସେ। ପାଳିଆ ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ସେବକମାନେ ରଥ ଉପରେ ରହି ଚତୁର୍ଦ୍ଧା ମୂର୍ତିଙ୍କୁ ସୁନାରେ ସଜ କରାନ୍ତି। ବେଶ ପାଇଁ ପ୍ରାୟ ୧ଘଣ୍ଟା ସମୟ ଲାଗେ।

କପିଳେନ୍ଦ୍ରଦେବ ୧୬ଟି ହାତୀ ପିଠିରେ ଆଣିଥିଲେ ସୁନା
ରାଜା କପିଳେନ୍ଦ୍ରଦେବ ମା’ ଜୟଦୁର୍ଗାଙ୍କ କୃପାରୁ ସମଗ୍ର ଦକ୍ଷିଣକୁ ଜୟ କରିଥିଲେ। ଦାକ୍ଷିଣାତ୍ୟ ବିଜୟ ପରେ ସେ ବିପୁଳ ସୁନା ଓ ଧନରତ୍ନ ୧୬ଟି ହାତୀ ପିଠିରେ ଲଦି ନିଜ ରାଜ୍ୟକୁ ଆଣିଥିଲେ। ତେବେ ମହାପ୍ରଭୁଙ୍କ ଭକ୍ତ କପିଳେନ୍ଦ୍ରଦେବ ଏହି ରତ୍ନକୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଶ୍ରୀମନ୍ଦିରର ଜୟବିଜୟ ଦ୍ବାର ଶିଳାଲେଖରୁ ଏ ସମ୍ପର୍କରେ ସୂଚନା ମିଳେ। ଦିଗ୍‌ବିଜୟ ଲବ୍ଧ ସ୍ବର୍ଣ୍ଣ ଅଳଙ୍କାରରେ ମହାପ୍ରଭୁମାନଙ୍କୁ ଭୂଷିତ କରିବାର କାମନା କରି ସେ ନିଜ ରାଜ ଦରବାରର ଅଳଙ୍କାର ଦାୟିତ୍ବରେ ଥିବା ତଢ଼ାଉ କରଣ ଓ ପରେ ରାଜଗୁରୁଙ୍କ ସହ ପରାମର୍ଶ କରିଥିଲେ। ରାଜାଙ୍କର ଏପରି ଆଗ୍ରହ ଦେଖି ବଡ଼ ତଢ଼ାଉ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ସବୁ ବର୍ଗର ଭକ୍ତଙ୍କ ପାଇଁ ରଥ ଉପରେ ଏହି ବେଶ କରିବା ପାଇଁ ଅନୁରୋଧ କରିଥିଲେ। ବଡ଼ ତଢ଼ାଉଙ୍କ ଏପରି ଶ୍ରଦ୍ଧା ଓ ଅନୁରୋଧକ୍ରମେ କପିଳେନ୍ଦ୍ରଦେବ ବଡ଼ ତଢ଼ାଉ ନାମକ ଏକ ପ୍ରକାର କଣ୍ଠମାଳା ସମେତ ୧୩୮ପ୍ରକାର ରତ୍ନ ଖଚିତ ସୁନା ଅଳଙ୍କାର କରି ସୁନାବେଶର ବନ୍ଦୋବସ୍ତ କରାଇଥିଲେ। ସେବେଠାରୁ ଏହି ସୁନାବେଶକୁ ରାଜାରାଜେଶ୍ବର ବେଶ ବ୍ୟତୀତ ବଡ଼ ତଢ଼ାଉ ବେଶ ବି କୁହାଯାଉଛି।

ବର୍ଷକୁ ୫ ଥର ସୁନାବେଶ
ମହାପ୍ରଭୁ ବର୍ଷକୁ ୫ଥର ସନାବେଶ ହେଉଥିଲେ ହେଁ ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଅନୁଷ୍ଠିତ ଏହି ବେଶ ଲକ୍ଷଲକ୍ଷ ଭକ୍ତଙ୍କୁ ସମର୍ପିତ। ଏହାବାଦ୍ ଅକ୍ଟୋବର ମାସରେ ବିଜୟା ଦଶମୀ, ନଭେମ୍ବର ମାସରେ ପଡ଼ୁଥିବା କାର୍ତିକ ପୂର୍ଣ୍ଣମୀ, ଡିସେମ୍ବର ମାସରେ ପଡ଼ୁଥିବା ପୌଷ ପୂର୍ଣ୍ଣିମା ଏବଂ ଜାନୁଆରି ମାସ‌ରେ ପଡ଼ୁଥିବା ମାଘ ପୂର୍ଣ୍ଣିମାରେ ଏହି ବେଶ ଶ୍ରୀମନ୍ଦିର ମଧ୍ୟରେ ରତ୍ନ ସିଂହାସନ ଉପରେ ଅନୁଷ୍ଠିତ ହୁଏ। ତେବେ ଏହାକୁ ଏକକାଳୀନ ଲକ୍ଷଲକ୍ଷ ଭକ୍ତ ଦେଖିବା ସମ୍ଭବ ହୁଏ ନାହିଁ। ତେଣୁ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିର ଅଭିମୁଖେ ଦକ୍ଷିଣାଭିମୁଖୀ ଯାତ୍ରା ଶେଷରେ ସିଂହଦ୍ବାରଠାରେ ପହଞ୍ଚିବା ପରେ ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାର ପରମ୍ପରା ବହୁ ପ୍ରାଚୀନ ଓ ଅତି ଆକର୍ଷଣୀୟ।

ମାଳା, ଶସ୍ତ୍ର ବି ସୁନାରେ
ସୁନାବେଶ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଡାହାଣ ହାତରେ ଧାରଣ କରୁଥିବା ‘ଚକ୍ର’ ସୁନାରେ ଏବଂ ବାମ ହାତରେ ଧାରଣ କରୁଥିବା ‘ଶଙ୍ଖ’ ରୁପାରେ ନିର୍ମିତ। ଶ୍ରୀବଳଭଦ୍ର ବାମ ହାତରେ ସୁନାର ‘ହଳ’ ଓ ଡାହାଣ ହାତରେ ସୁନାର ‘ଗଦା’ ଧାରଣ କରିଥାଆନ୍ତି। ସେହିପରି ବିଭିନ୍ନ ଫୁଲ ନାମରେ ନାମିତ ବିଭିନ୍ନ ମାଳା ବି ସୁନାରେ ନିର୍ମିତ।

୨ କୁଇଣ୍ଟାଲ ୮ କେଜି ସୁନାରେ ସଜ ହୁଅନ୍ତି ମହାପ୍ରଭୁ
ଚତୁର୍ଦ୍ଧା ମୂର୍ତି ପ୍ରାୟ ୨ କୁଇଣ୍ଟାଲ ୮ କେଜି ସୁନାରେ ସଜେଇ ହୁଅନ୍ତି। ଏସବୁ ବର୍ଷ ସାରା ଶ୍ରୀମନ୍ଦିରର ଟ୍ରେଜେରି ତଥା ଭିତର ଭଣ୍ଡାରଗୃହରେ ରହିଥାଏ। ଶ୍ରୀମନ୍ଦିରର ‘ରେକର୍ଡ ଅଫ୍‌ ରାଇଟ୍‌ସ’ ମୁତାବକ, ମହାପ୍ରଭୁଙ୍କ ପାଇଁ ନିର୍ମିତ ମାଳ ବା ହାର ୧୨୦ ତୋଳା ତଥା ୧.୪ କେଜିର। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ସୁନା ହାତ ଓ ପାଦର ଓଜନ ଯଥାକ୍ରମେ ୮୧୮ ତୋଳା ତଥା ୯.୫୪‌ କେଜି ଏବଂ ବଳଭଦ୍ରଙ୍କର ୭୧୦ ତୋଳା ତଥା ୮.୨୮ କେଜି। ଶ୍ରୀଜଗନ୍ନାଥଙ୍କ ମୁକୁଟ ୬୧୦ ତୋଳା ତଥା ୭.୧୨ କେଜି, ବଳଭଦ୍ରଙ୍କର ୪୩୪ ତୋଳା ତଥା ୫ କେଜି ଏବଂ ଦେବୀ ସୁଭଦ୍ରାଙ୍କର ୨୭୪ ତୋଳା ତଥା ୩.୨ କେଜି ଓଜନ ବିଶିଷ୍ଟ। ପ୍ରଥମେ ସୁନାବେଶ ବେଳେ ମହାପ୍ରଭୁ ୧୩୮ପ୍ରକାର ଶୈଳୀରେ ନିର୍ମିତ ଅଳଙ୍କାର ପରିଧାନ କରୁଥିଲେ। କିନ୍ତୁ କାଳକ୍ରମେ ଏହା ୩୦ ମଧ୍ୟରେ ସୀମିତ ହୋଇଯାଇଛି।

ଏମିତି ବେଶ କେଉଁଠି ନାହିଁ
ମହାପ୍ରଭୁଙ୍କର ହାତ କି ପାଦ ଅଦୃଶ୍ୟ ଥିଲେ ହେଁ କେବଳ ଏହି ସୁନାବେଶରେ ମହାପ୍ରଭୁଙ୍କ ହାତପାଦ ସଂଦର୍ଶନ କରିବାର ଅବସର ମିଳେ। ପ୍ରଫେସର ରଜତ କୁମାର କର କହିଛନ୍ତି ଯେ ମହାପ୍ରଭୁ ନିରାକାର। ତେଣୁ ତାଙ୍କର ପାଦ, ମସ୍ତିଷ୍କ କି ଅଙ୍ଗୁଳି ନଥାଏ। କିନ୍ତୁ ଏହି ସୁନାବେଶ ସମୟରେ ମହାପ୍ରଭୁଙ୍କଠାରେ ସୁନାର ହାତ ଓ ପାଦ, ଅଙ୍ଗୁଳି ଦେଖିବାକୁ ମିଳେ। ସୁଭଦ୍ରାଙ୍କର କାନ ଅଦୃଶ୍ୟ ଥିଲେ ମଧ୍ୟ ଏହି ସମୟରେ ଦେବୀଙ୍କଠାରେ ସୁନା କାନ ଲାଗେ ଏବଂ ଏଥିରେ କୁଣ୍ଡଳ ଶୋଭା ପାଏ। ମହାପ୍ରଭୁ ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ଅଳଙ୍କାର ପରିଧାନ କରନ୍ତି। ତେବେ ଏତେ ବଡ଼ ଅଳଙ୍କାର ବିଶ୍ବରେ କେବଳ ଚତୁର୍ଦ୍ଧା ମୂର୍ତି ପରିଧାନ କରନ୍ତି ବୋଲି ‌ପ୍ରଫେସର କର କହିଛନ୍ତି।

ସମ୍ବନ୍ଧିତ ଖବର