କେନ୍ଦୁଝର: ବିଶ୍ବର ସର୍ବ ବୃହତ୍ ରଥ ଉପରେ ଆଜି କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀବଳଦେବଜିଉଙ୍କ ସମେତ ମା’ ସୁଭଦ୍ରା ଓ ଜଗନ୍ନାଥ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳଙ୍କ ସମାଗମ ହୋଇଥିଲା। ମହାମାରୀ କରୋନା ପାଇଁ ଦୁଇବର୍ଷ ହେଲା ଠାକୁରଙ୍କ ରଥଯାତ୍ରା ଓ ସୁନାବେଶ ହୋଇପାରି ନଥିଲା। ଚଳିତ ବର୍ଷ କରୋନା କଟକଣା ନଥିବାରୁ ରଥଯାତ୍ରା, ବାହୁଡ଼ାଯାତ୍ରା ପରେ ଆଜି ସୁନାବେଶ ଅବସରରେ ପ୍ରବଳ ଜନସମାଗମ ହୋଇଥିଲା।
ଆଜି ମଧ୍ୟାହ୍ନରୁ ପୂଜକ ସୁବ୍ରତ ତ୍ରିପାଠୀ, ସୁଜିତ ଦାଶ, ଈଶ୍ବର ତ୍ରିପାଠୀ, ଦେବଦତ୍ତ ପତି ଠାକୁରଙ୍କୁ ସୁନାବେଶରେ ସଜାଇଥିଲେ। ୧୬ କେଜି ୭୫୦ ଗ୍ରାମ ସୁନା ଓ ୩୦ କେଜି ରୁପା ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସଜ୍ଜିତ କରାଯାଇଥିଲା। ଅପରାହ୍ଣ ୩ଟାବେଳେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ। ରାତି ୧୦ ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ବିଶେଷ କରି ସନ୍ଧ୍ୟା ସମୟରେ ପ୍ରବଳ ଜନ ସମାଗମ ହୋଇଥିଲା। ରଥ ଉପରକୁ ଶ୍ରଦ୍ଧାଳୁଙ୍କୁ ଯିବାପାଇଁ ବାରଣ କରାଯିବା ସହ ରଥ ଚାରିପଟେ କର୍ଡନ କରାଯାଇ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। କେନ୍ଦୁଝର ରାଜ ପରିବାରର ପୃଷ୍ଠପୋଷକତାରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ଆସୁଛନ୍ତି। ୧୯୬୧ ମସିହା ପରେ ସୁନାବେଶ ବନ୍ଦ ରହିଥିଲା। ଏହାପରେ ପୁଣି ୨୦୦୮ ମସିହାରୁ ସୁନାବେଶ ହୋଇଆସୁଛି। ଏଥିପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁଝର ଶାଖାର ଲକର୍ରୁ କଡ଼ା ସୁରକ୍ଷା ମଧ୍ୟରେ ତିନିଠାରୁକରଙ୍କ ୬୩ ପ୍ରକାର ସୁନା ଅଳଙ୍କାର ବଡ଼ଦାଣ୍ଡକୁ ନିଆଯାଉଛି।
ଶ୍ରୀ ବଳଭଦ୍ରଙ୍କୁ ୧୪ଟି ପଥର ଥାଇ ସୁନାମୁକୁଟ, ଶ୍ରୀ ଜଗନ୍ନାଥଙ୍କ ୧୨ଟି ପଥର ଥାଇ ସୁନାମୁକୁଟ, ଦେବୀ ସୁଭଦ୍ରାଙ୍କ ୧୨ଟି ପଥର ଥାଇ ସୁନାମୁକୁଟ, ପାଞ୍ଚଗୋଟି କିଆପଥର ଥାଇ ସୁନା କିରିଟି, ସୁନାର ମରିଚହାର, ସାତଗୋଟି ସୁନା କିରିଟ, ୫ଟି ସୁନା କିରିଟ, ୧୬ଟି ଝରା, ଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାପେଟି, ୧୭ଟି ଝରା, ସୁଭଦ୍ରାଙ୍କ ସୁନାପେଟି, ଦୁଇଯୋଡ଼ା ସୁନାକୁଣ୍ଡଳ, ୫୬ଟି ମୋହର ଓ ୬୦ଟି କଣ୍ଠି ଥାଇ ଗିରିଗୋଲର ହାର, ୫୧ଟି ରୁଦ୍ରାକ୍ଷ ଥାଇ ସୁନା ରୁଦ୍ରାକ୍ଷ ମାଳ, ୫ଟି କିଆପତ୍ର, ଏକଯୋଡ଼ା କୁଣ୍ଡଳ, ଗୋଟିଏ ରୁପା ମୁକୁଟ, ଚାରିଗୋଟି ରୁପାହାତ, ଚାରିଟି ରୁପାଗୋଡ଼ ଓ ଚାରିଟି ରୁପାପୟର ଶ୍ରୀଜିଉମାନଙ୍କ ଠାରେ ଲାଗି କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀଜିଉମାନଙ୍କର ୩୪ କେଜି ୨୬୫ ଗ୍ରାମ ସୁନା ଅଳଙ୍କାର ଗଚ୍ଛିତ ରହିଛି। ସୁନାବେଶ ଦେଖିବା ପାଇଁ ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜିଲ୍ଲାର ବିଶିଷ୍ଟ କବି, ଲେଖକମାନଙ୍କୁ ନେଇ ସୁନାବେଶର ଧାରାବିବରଣୀ ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/13-8.jpg)