ସୁନାବେଶରେ ଝଟକିଲେ : ଦର୍ଶନ ପାଇଁ ବଡ଼ଦାଣ୍ଡ ଜନସମୁଦ୍ର, ୧୨ ଲକ୍ଷ ଭକ୍ତଙ୍କ ସମାଗମ

ପୁରୀ : ମଥାରେ ସୁନାର କିରୀଟ। କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନା କମରପଟି ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହା‌ତରେ ସୁବର୍ଣ୍ଣର ହଳମୂଷଳ, କାଳିଆ ଠାକୁର ଶ୍ରୀଜଗନ୍ନାଥଙ୍କ ହାତରେ ସ୍ବର୍ଣ୍ଣ ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ତଳଗି (କର୍ଣ୍ଣାଳଙ୍କାର), ସୁନାର ଶ୍ରୀପୟର। ସତରେ କି ସୁନ୍ଦର ସେ ରୂପ। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ମହଣ ମହଣ ସୁନା, ରୁପା ଓ ବିଭିନ୍ନ ଧାତୁ ଓ ରତ୍ନରେ ନିର୍ମିତ ଭଳିକି ଭଳି ଅଳଙ୍କାର ପରିଧାନ କରି ଅପରୂପ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।

ରତ୍ନବେଦୀକୁ ଫେରିବାର ଦିନକ ପୂର୍ବରୁ ଆଜି ପବିତ୍ର ଗରୁଡ଼ ଶୟନ ଦ୍ବାଦଶୀ ତିଥିରେ ସିଂହଦ୍ୱାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁରଙ୍କ ଏହି ସୁନାବେଶ ଦେଖି ଭକ୍ତବୃନ୍ଦ ଆତ୍ମ ବିଭୋର ହୋଇଥିଲେ। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ବଡ଼ଦାଣ୍ଡ। ଭାବପ୍ରବଣତା ଓ ଆବେଗରେ କିଛି ଭକ୍ତ କାନ୍ଦି ପକାଉଥିଲେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ ଆଜି ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଥିଲା। ଅନୁକୂଳ ପାଗ ଯୋଗୁ ୧୨ ଲକ୍ଷରୁ ଅଧିକ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରି କୋଟି ପୁଣ୍ୟ ଲାଭ କରିଥିଲେ।

ସେପଟେ ବାହୁଡ଼ା ପରି ଆଜି ବି ସମସ୍ତ ନୀତି ସଅଳ ସଂପନ୍ନ ହୋଇଥିଲା। ନିର୍ଘଣ୍ଟ ନୀତିର ଅଧଘଣ୍ଟା ପୂର୍ବରୁ ଶ୍ରୀଜିଉ ବେଶ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇଥିଲେ। ଆସନ୍ତାକାଲି (ରବିବାର) ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ପରେ ଆସନ୍ତା ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ସେ ଦିନ ମା’ ଲକ୍ଷ୍ମୀଙ୍କ ରସଗୋଲା ନୀତି ପରେ ଚତୁର୍ଦ୍ଧା ମୂର୍ତି ଶ୍ରୀମନ୍ଦିର ପ୍ରବେଶ କରିବେ।

ମହାପ୍ରଭୁଙ୍କ ସୁନାବେଶକୁ ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା। ଗତକାଲି ରାତି ୪ଟା ୫୫ରେ ପହୁଡ଼ ହେବା ପରେ ଆଜି ସକାଳ ୭ଟାରେ ମଙ୍ଗଳ ଆଳତି, ସକାଳ ୮ଟା ୪୫ରେ ଅବକାଶ ନୀତି, ସାଢ଼େ ୧୦ଟାରେ ବଲ୍ଲଭ ଭୋଗ, ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ, ସାଢ଼େ ୧୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୧୨ଟା ୩୫ରେ ସର୍ବାଙ୍ଗ ପରେ ଅପରାହ୍ଣ ଗୋଟାଏରେ ବେଶ ଶେଷ ହୋଇଥିଲା। ମଧ୍ୟାହ୍ନ ଗୋଟାଏ ୧୦ ମିନିଟ‌ରେ ମଧ୍ୟାହ୍ନ ଧୂପ, ଗୋଟାଏ ୪୫ରେ ମଧ୍ୟାହ୍ନ ଧୂପ ଶେଷ ହୋଇ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସଂପନ୍ନ ହୋଇଥିଲା। ପରେ ସେବକମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସିଂହଦ୍ୱାର ଦେଇ ରଥ ଉପରକୁ ତିନି ଠାକୁରଙ୍କ ରତ୍ନଖଚିତ ସୁନା ଓ ରୁପା ଅଳଙ୍କାର ଆଣି ବେଶ କରିଥିଲେ। ଅପରାହ୍ଣ ୪ଟା ୨୦ ସୁଦ୍ଧା ସୁନାବେଶ ସରିବା ପରେ ଦର୍ଶନ ଦେଇଥିଲେ ମହାପ୍ରଭୁ।

ପ୍ରଥମେ ବଡ଼ଠାକୁରଙ୍କ ଶ୍ରୀଅଙ୍ଗ ଅଳଙ୍କାର ଲାଗି ହେବା ପରେ ମା’ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଅଳଙ୍କାର ଲାଗି ହୋଇଥିଲା। ସୁନାର ଶ୍ରୀପୟର, ଶ୍ରୀଭୂଜ, କିରୀଟ, କାନ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଅଳଙ୍କାରରେ ଆଭୂଷିତ ହୋଇଥିଲେ ମହାପ୍ରଭୁ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥିବା ବେଳେ ରାଜ୍ୟ ତଥା ଦେଶ ବିଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଶ୍ରୀକ୍ଷେତ୍ର ମୁହାଁ ହୋଇଥିଲେ। ଭକ୍ତଙ୍କ ଏହି ଜନସମୁଦ୍ର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡ ମାର୍କେଟ୍ ଛକରୁ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ବଡ଼ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡ୍‌ର ଗୋଟିଏ ପାର୍ଶ୍ବରେ ଦର୍ଶନ ପାଇଁ ଯିବା ଓ ଅନ୍ୟ ପାର୍ଶ୍ବରେ ଫେରିବାର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ସହରର ବିଭିନ୍ନ ପ୍ରବେଶ ପଥରେ ଟ୍ରାଫିକ କଟକଣା କରାଯାଇଥିଲା। ପୁଲିସ ଡିଜିଙ୍କ ସମେତ ଅତିରିକ୍ତ ଡିଜି ଓ ଆଇଜିମାନେ ଆଜି ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର