ପୁରୀ : ଆହା କି ସୁନ୍ଦର ସେ ରୂପ। ଅପୂର୍ବ ବେଶ। ମଥାରେ ସୁନାର କିରୀଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନାର କମରପଟି। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି ଓ ସେବତୀ ମାଳି। ହଳଭୂଷଳ, ଚକ୍ର ସହ ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ।
ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ହାତରେ ସୁବର୍ଣ୍ଣର ହଳମୂଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଳଗି (କର୍ଣ୍ଣାଳଙ୍କାର)। ସୁନାର ଶ୍ରୀପୟର। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଏପରି ସୁନା ଅଳଙ୍କାର ପରିଧାନ କରି ଅପରୂପ ବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। କିନ୍ତୁ ମହାପ୍ରଭୁଙ୍କ ଅତିପ୍ରିୟ ଭକ୍ତମାନେ ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି। କରୋନା କଟକଣା ଆଜି ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି। ଯେଉଁଥିପାଇଁ କାଳିଆ ସାଆନ୍ତେ ବି ମୁହଁ ଶୁଖାଇ ଦେଇଛନ୍ତି। ଭକ୍ତ ବିନା ଯେପରି ଭଲ ଲାଗୁନି ମହାପ୍ରଭୁଙ୍କୁ। ଆଜି ଦ୍ବାଦଶୀ ତିଥିରେ ସିଂହଦ୍ୱାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁରଙ୍କ ଏହି ଦୁର୍ଲଭ ଓ ଅପରୂପ ବେଶ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଯେଉଁ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନିରେ ପୂରା ବଡ଼ଦାଣ୍ଡ ପ୍ରକମ୍ପିତ ହେବା କଥା, ତା’ ବଦଳରେ ଆଜି ନିରବତା ସୃଷ୍ଟି ହୋଇଥିଲା।
/sambad/media/post_attachments/wp-content/uploads/2020/07/sri-jiu-manaka-alankar-2-300x236.jpg)
ଗୋଟିଏ ପଟେ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟପଟେ ଦର୍ଶନ ନ ପାଇ ରତ୍ନବେଦୀକୁ ଫେରିଯିବାର ଦୁଃଖରେ କାନ୍ଦି ପକାଇଛନ୍ତି ଭାବବିହ୍ବଳ ଭକ୍ତ। ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରିଥାନ୍ତି। ସେପଟେ ବାହୁଡ଼ା ପରି ଆଜି ବି ସମସ୍ତ ନୀତି ସଅଳ ହୋଇଛି। ନିର୍ଘଣ୍ଟ ନୀତି ଅନୁସାରେ ଶ୍ରୀଜିଉଙ୍କ ବେଶ ସଂପନ୍ନ ହୋଇଛି। ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ପରେ ଆସନ୍ତା ୪ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ ପରେ ନୀଳାଦ୍ରି ବିଜେ ନୀତି ଶେଷ ହେବ। ପରେ ନୀଳାଚଳ ଅବଢ଼ା ପାଇବାର ଭାଗ୍ୟ ଅର୍ଜିବେ ଭକ୍ତବୃନ୍ଦ।
ସୁନାବେଶ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା। ଗତକାଲି ରାତି ୪ଟା ୫୫ରେ ପହୁଡ଼ ହେବା ପରେ ଆଜି ସକାଳ ୬ଟାରୁ ସାଢ଼େ ୬ଟାରେ ତିନି ରଥରେ ମଙ୍ଗଳ ଆଳତି ନୀତି ସଂପନ୍ନ ହୋଇଥିଲା। ସକାଳ ୭ଟାରୁ ୭ଟା ୧୫ ଭିତରେ ମଇଲମ ଓ ତଡ଼ପଲାଗି, ସକାଳ ୭ଟା ୨୦ରୁ ୮ଟା ଭିତରେ ଅବକାଶ ନୀତି ସଂପନ୍ନ ହୋଇଥିଲା। ୮ଟାରୁ ୮ଟା ୧୫ ଭିତରେ ବେଶ ଶେଷ ଓ ୯ଟା ୨୦ରେ ଗୋପାଳବଲ୍ଲଭ ନୀତି ଶେଷ ହୋଇଥିଲା। ମଧ୍ୟାହ୍ନ ୧୨ଟା ୧୫ରୁ ସାଢ଼େ ଗୋଟାଏ ଭିତରେ ସକାଳଧୂପ ଶେଷ ହୋଇଥିଲା।
ମଧ୍ୟାହ୍ନଧୂପ, ମଇଲମ ଓ ମେକାପ ସର୍ବାଙ୍ଗ ନୀତି ପରେ ଅପରାହ୍ଣ ୪ଟାରେ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ସେବକମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସିଂହଦ୍ୱାର ଦେଇ ରଥ ଉପରକୁ ତିନି ଠାକୁରଙ୍କ ରତ୍ନଖଚିତ ସୁନା ଓ ରୁପାର ଅଳଙ୍କାର ଆଣିବା ପରେ ବେଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ସଂଧ୍ୟା ୬ଟା ସୁଦ୍ଧା ସୁନାବେଶ ଶେଷ ପରେ ଅପରୂପ ସୌନ୍ଦର୍ଯ୍ୟରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ପ୍ରଥମେ ବଡ଼ଠାକୁରଙ୍କ ଶ୍ରୀଅଙ୍ଗ ଅଳଙ୍କାର ଲାଗି ହେବା ପରେ ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଅଳଙ୍କାର ଲାଗି ହୋଇଥିଲା। ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥିଲେ। ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କେବଳ ଟେଲିଭିଜନ୍ ପରଦାରେ ଦେଖିଥିଲେ। ବିଳମ୍ବିତ ରାତିରେ ବେଶ ଓଲାଗି ନୀତି ଅନୁଷ୍ଠିତ ହୋଇଥିଲା। ବଡ଼ସିଂହାର ବେଶ ଓ ଭୋଗ ଲାଗି ପରେ ରାତ୍ର ପହୁଡ଼ ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sri-jiu-manaka-alankar-25.jpg)