ସୁନାବେଶ ଦେଖିବାକୁ ଆସିଥିଲେ, ହେଲେ…

ପୁରୀ : ହରିଶୟନ ଏକାଦଶୀ, ଅର୍ଥାତ ବାହୁଡାରେ ସୁନ‌ାବେଶ ଅନୁଷ୍ଠିତ ହେବ ବୋଲି କିଛି ପାଞ୍ଜିରେ ଉଲ୍ଲେଖ ହୋଇଥିବା କାରଣରୁ ଆଜି ସୁନାବେଶକୁ ନେଇ ବିଭ୍ରାନ୍ତି ଦେଖାଦେଇଛି। ଏହି ଦ୍ବନ୍ଦ୍ବ ଯୋଗୁ ଆଜି ସୁନାବେଶ ଦେଖିବାକୂ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ମୁତାବକ, ଆସନ୍ତାକାଲି ସୁନାବେଶ ଅନୁଷ୍ଠିତ ହେଉଥିବାରୁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ବହୁ ଶ୍ରଦ୍ଧାଳୁ ଆଜି ବାଧ୍ୟ ହୋଇ ପୁରୀରେ ରାତିରେ ରହିଛନ୍ତି। ଶ୍ରୀମନ୍ଦିର ପ୍ର‌ଶାସନ ଓ ପାଞ୍ଜି ଗଣନାକାରଙ୍କ ମଧ୍ୟରେ ସମନ୍ବୟ ରହୁ ନଥିବାରୁ ଭକ୍ତଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି। ଓଡ଼ିଶାର ଅଧିକାଂଶ ପାଞ୍ଜିରେ ଗଣକମାନେ ବାହୁଡା ଦିନ ସୁନାବେଶ ଅନୁଷ୍ଠିତ ହେବ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏହାକୁ ଦେଖି ଆଜି ହଜାର ହଜାର ଭକ୍ତ ପୁରୀରେ ସୁନା‌ବେଶ ଦେଖିବାକୁ ଆସିଛନ୍ତି। ତେବେ ଏ ପ୍ରକାର ବିଭ୍ରାନ୍ତି ଦୂର କରିବାକୁ ମନ୍ଦିର ପ୍ରଶାସନ ପୂର୍ବରୁ ଉଦ୍ୟମ କରିଥିଲେ ବି କିଛି ଫଳପ୍ରଦ ହୋଇନାହିଁ। ଏଥର ଦ୍ବାଦଶୀ ତିଥିରେ ସୁନାବେଶ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଛି। ଗୋଟିଏ ଦିନରେ ବାହୁଡା ଓ ସୁନାବେଶରେ ପଡୁଥିବାରୁ ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ଓ ବାହୁଡା ନୀତିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ସୁନ‌ାବେଶକୁ ଦ୍ବାଦଶୀ ତିଥିରେ କରିବାକୁ ନିଷ୍ପତ୍ତି ନେଇଛି। ଗତ ୨୦୧୧ରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ସେଥିର ମଧ୍ୟ ଦ୍ବାଦଶୀ ଦିନ ସୁନାବେଶ ଅନୁଷ୍ଠିତ ହୋଇଥିଲା।

ବାହୁଡ଼ା ଯାତ୍ରାରେ ମଠା ପିନ୍ଧା ନକଲି ସେବାୟତ

ରଥ କର୍ଡନ ଭିତରକୁ ଯିବାକୁ ଆଜି ଯିଏ ଯେମିତି ପାରିଲା, ସେମିତି କୌଶଳ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଥିଲା। କିଏ ବହୁରୂପି ବେଶ ଧରି ଆସୁଥିଲା ତ ଆଉ କିଏ ବିଭିନ୍ନ ଦେବାଦେବୀଙ୍କ ବେଶରେ ଭିତରକୁ ପ୍ରବେଶ କରୁଥିଲେ। ଏମାନଙ୍କ ପାଇଁ ସେଭଳି କଟକଣା ନଥିଲା। ତେବେ ଏହି ଆଳରେ ସୁରକ୍ଷାକୁ ନେଇ ମଧ୍ୟ ପୁଲିସର କୌଣସି ତତ୍ପରତା ନଥିଲା। ତେବେ କର୍ଡନ ଭିତରକୁ ଯିବା ଓ ପହଣ୍ଡି ଦର୍ଶନ ପାଇଁ କିଛି ଭକ୍ତ ମଠା ପିନ୍ଧି ଭିତରକୁ ଆସିଥିଲେ। ପୁଲିସ ମଧ୍ୟ ‌ସେବାୟତ ଭାବି ‌ସେମାନଙ୍କୁ ଭିତରକୁ ଛାଡି ଦେଇଥିଲେ। ମଠା ପିନ୍ଧା ଭକ୍ତଙ୍କ ମଧ୍ୟରୁ କିଛି ବଙ୍ଗାଳି ଭକ୍ତ ମଧ୍ୟ ରହିଥିଲେ। ଧୋତି ଓ ମଠା ପିନ୍ଧାଙ୍କ ପାଇଁ କର୍ଡନ ପାସର କିଛି ଆବଶ୍ୟକତା ନଥିଲା। ଏଭଳି ନକଲି ‌ସେବାୟତଙ୍କ ପ୍ରତି ପୁଲିସ କିନ୍ତୁ ସଜାଗ ନଥିଲା।

ସମ୍ବନ୍ଧିତ ଖବର