ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାର ଦିନ ପବିତ୍ର ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦେବାଭିଷେକ ତଥା ପୂଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁ ସୁବର୍ଣ୍ଣ ଅଳଙ୍କାର ପରିଧାନ କରି ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ପରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ପୌଷ ପୂର୍ଣ୍ଣିମା ତିଥିରେ ରାଜସିଂହାସନରେ ଅଧିଷ୍ଠିତ ହୋଇଥିଲେ। ଏହାକୁ ମନେ ରଖିବାକୁ ଯାଇ ମହାପ୍ରଭୁଙ୍କ ଅଭିଷେକ ଉତ୍ସବ ରୀତିନୀତି ଅନୁଯାୟୀ ହୋଇଛି।
ଶୁକ୍ରବାର ସକାଳ ଧୂପ ସମୟରେ ପୁରୋହିତ ଓ ବ୍ରାହ୍ମଣମାନେ ହୋମକାର୍ଯ୍ୟ ସଂପାଦନ କରିଥିଲେ। ସକାଳଧୂପ ସରିବା ପରେ ମହାପ୍ରଭୁଙ୍କ ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ପରେ ଶ୍ରୀମନ୍ଦିର ଭିତରେ ପାଣି ପଡ଼ି ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗତକାଲି ଅଧିବାସ ହୋଇଥିବା ଘିଅ, ଶୀତଳଭୋଗ ଆଦି ଆସିବା ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଶୁଦ୍ଧ ସୁଆର ସେବକ, ପଢ଼ିଆରୀ ସେବକ, ପୂଜାପଣ୍ଡା, ଦେଉଳ ପୁରୋହିତ ପ୍ରମୁଖ ପୂଜାକାର୍ଯ୍ୟ, ଭୋଗଲାଗି ନୀତି ସମ୍ପାଦନ କରିଥିଲେ। ପଶୁପାଳକ ସେବକମାନେ ମଇଲମ କରି ମହାପ୍ରଭୁଙ୍କୁ ନୂଆଲୁଗା ଲାଗି କରିବା ପରେ ପୂଜାପଣ୍ଡା, ପତି, ମୁଦିରସ୍ତ ସେବକମାନେ ଚନ୍ଦନ ସର୍ବାଙ୍ଗ ନୀତି ସମ୍ପାଦନ କରିଥିଲେ। ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ମହାଜନ ସେବକମାନେ ମହାଲକ୍ଷ୍ମୀଙ୍କୁ ସାତପାହାଚଠାରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ। ବିମାନବଡ଼ୁ ସେବକମାନେ ମହାଲକ୍ଷ୍ମୀ ବିଜେ ହୋଇଥିବା ବିମାନକୁ ଜଗମୋହନକୁ ନେବା ପରେ ମହାଲକ୍ଷ୍ମୀ ଜଗମୋହନ ଖଟ ଉପରେ ବିଜେ କରାଇଥିଲେ। ପରେ ମାଜଣା ହୋଇ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଏହା ପରେ ମହାପ୍ରଭୁଙ୍କ ଅଭିଷେକ ନୀତି ଅନୁଷ୍ଠିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)