ପୁରୀ: ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି, ପାଦରେ ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ଧରାପୃଷ୍ଠରେ ଆଜି ଏଭଳି ମାନବୀୟ ଲୀଳା ଖେଳିଛନ୍ତି କୋଟି କୈବଲ୍ୟନାଥ ବ୍ରହ୍ମାଣ୍ଡ ଠାକୁର। ପାଦରୁ ମସ୍ତକ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦେଇଛନ୍ତି ଦର୍ଶନ। ମହାବାହୁଙ୍କୁ ମନଭରି ଦେଖିବାପାଇଁ ଆତୁର ଭକ୍ତ ବି ଏହି ଅପୂର୍ବ ରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି। ଏଥିପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଛି। ୧୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶର ଦର୍ଶନ ପାଇ କୃତାର୍ଥ ମଣିଛନ୍ତି। ସେପଟେ ଆଜି ଛୁଟିଦିନ ଥିବାରୁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ସନ୍ଧ୍ୟାରୁ ସମ୍ପୂର୍ଣ୍ଣ ବଡ଼ଦାଣ୍ଡ ଜନସମୁଦ୍ର ପାଲଟିଛି।
/sambad/media/post_attachments/wp-content/uploads/2023/06/p6-1-750x430.jpg)
ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ଗୁରୁବାର ଦିନ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ବର୍ଷକ ପରେ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ସୁନାବେଶରେ ଦେଖି ଭକ୍ତ ବି ଭାବବିହ୍ବଳ ହୋଇଛନ୍ତି।
/sambad/media/post_attachments/wp-content/uploads/2023/06/p10-651x430.jpg)
ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଆରମ୍ଭରୁ ଘଣ୍ଟାଏ ବିଳମ୍ବରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୭ଟା ୫ରୁ ସାଢ଼େ ୭ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି, ଗୋପାଳ ବଲ୍ଲଭ ଆଦି ନୀତି ବଢ଼ିଥିଲା। ପରେ ନିର୍ଘଣ୍ଟ ନୀତିରେ ସୁଧାର ଆସିବା ସହ ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ସଂଧ୍ୟା ଆଳତି ପରେ ୫ଟା ୫ରୁ ସୁନାବେଶ ଆରମ୍ଭ ହୋଇଥିଲା।
/sambad/media/post_attachments/wp-content/uploads/2023/06/p8-634x430.jpg)
ଶ୍ରୀମନ୍ଦିର ଭଣ୍ଡାର ଘରୁ ସୁବର୍ଣ୍ଣର ଅଳଙ୍କାର ବାଇଶି ପାହାଚ ଦେଇ ଆସିବା ପରେ ଦଇତାପତି ଓ ପୁଷ୍ପାଳକ ସେବକମାନେ ରଥ ଉପରେ ବିଜେ ତିନି ଠାକୁରଙ୍କ ବେଶ କାର୍ଯ୍ୟ ଆରମ୍ଭ କରିଥିଲେ। ସଂଧ୍ୟା ୬ଟାରେ ସୁନାବେଶ ଶେଷ ପରେ ଅପରୂପ ସୌନ୍ଦର୍ଯ୍ୟରେ ଦର୍ଶନ ଦେଇଥିଲେ ଚତୁର୍ଦ୍ଧା ବିଗ୍ରହ। ପ୍ରଥମେ ବଡ଼ଠାକୁରଙ୍କ ଶ୍ରୀଅଙ୍ଗ ଅଳଙ୍କାର ଲାଗି ପରେ ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଅଳଙ୍କାର ଲାଗି ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁନାବେଶ ଚାଲିବା ପରେ ବେଶ ଓଲାଗି ଆରମ୍ଭ ହୋଇଥିଲା। ପରେ ଅନ୍ୟାନ୍ୟ ନୀତି ବଢ଼ିବା ସହ ବଡ଼ସିଂହାର ବେଶ, ଭୋଗ ଲାଗି ହୋଇ ରାତ୍ର ପହୁଡ଼ ହୋଇଥିଲା।
ଶୁକ୍ରବାର ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ପରେ ଜୁଲାଇ ୧ରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/suna-besha-puri.jpg)