ସୁନାବେଶରେ ଝଟକିଲେ ଶ୍ରୀଜିଉ

ପୁରୀ : ରଥ ଉପରେ ସୁନା ବେଶରେ ଝଟକିଛନ୍ତି ଶ୍ରୀଜିଉ। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ମହଣ ମହଣ ସୁନାର ଅଳଙ୍କାର ପିନ୍ଧି ମହାପ୍ରଭୁ ଦର୍ଶନ ଦେଇଛନ୍ତି। ମଥାରେ ସୁନାର କିରୀଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ, ତଳଗି। କମରରେ ସୁନାର କମର ପଟି। ଗଳାରେ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ାମାଳି, ତାବିଜମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି। ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ରଙ୍କ ହା‌ତରେ ସୁବର୍ଣ୍ଣର ହଳ-ମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଳଗି(କର୍ଣ୍ଣାଳଙ୍କାର)। ସୁନାର ହାତ ଓ ଶ୍ରୀପୟର। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ବୁଧବାର ଏପରି ଅପରୂପ ବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। କିନ୍ତୁ ଭାବ ବିନୋଦିଆ କାଳିଆ ସାଆନ୍ତ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ।

ବୁଧବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ସିଂହଦ୍ୱାର ଆଗରେ ଦଣ୍ଡାୟମାନ ତିନି ରଥରେ ତିନି ଠାକୁରଙ୍କ ଏହି ଦୁର୍ଲ୍ଲଭ ଓ ଅପରୂପ ବେଶ ଅନୁଷ୍ଠିତ ହୋଇଛି। କିନ୍ତୁ ଯେଉଁ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହେବ କଥା, ସେଠାରେ ଆଜି ନିରବତାର ରାଜୁତି। ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ଭକ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନ କରିଥାନ୍ତି। କିନ୍ତୁ କରୋନାଜନିତ କଟକଣା ପାଇଁ ଚଳିତ ବର୍ଷ ଏହି ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି ଭକ୍ତ। ସେପଟେ ନୀତିକାନ୍ତି ଆଜି କିଛିଟା ବିଳମ୍ବ ଦେଖିବାକୁ ମିଳିଛି। ନୀତି ନିର୍ଘଣ୍ଟର ପ୍ରାୟ ୪୦ ମିନିଟ୍‌ ବିଳମ୍ବରେ ଶ୍ରୀଜିଉ ବେଶ ହୋଇ ରଥ ଉପରେ ସୁନାବେଶରେ ଦର୍ଶନ ଦେଇଛନ୍ତି। ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ପରେ ଆସନ୍ତା ୨୩ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ ପରେ ନୀଳାଦ୍ରି ବିଜେ ନୀତି ଶେଷ ହେବ। ପରେ ନୀଳାଚଳ ଅବଢ଼ା ପାଇବାର ଭାଗ୍ୟ ଅର୍ଜିବେ ଭକ୍ତବୃନ୍ଦ।

ସୁନାବେଶ ନେଇ ବୁଧବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲା। ଗତକାଲିର ପହୁଡ଼ ଭୋର ରାତି ସାଢ଼େ ୪ଟାରେ ଅନୁଷ୍ଠିତ ହେବା ପରେ ବୁଧବାର ସକାଳ ୭ଟା୧୦ରୁ ସାଢ଼େ ୭ଟା ୪୦ ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥିଲା। ପରେ ମଇଲମ, ତଡ଼ପଲାଗି, ଅବକାଶ ନୀତି ସମ୍ପନ୍ନ ହୋଇଥିଲା। ବେଶ ଶେଷ ଓ ଗୋପାଳବଲ୍ଲଭ ନୀତି ପରେ ପୂର୍ବାହ୍ଣ ୧୧ଟା ୩୫ରେ ସକାଳ ଧୂପ ଶେଷ ହୋଇଥିଲା। ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ, ବେଶ, ମଧ୍ୟାହ୍ନ ଧୂପ ହୋଇ ଅପରାହ୍ଣ ୪ଟା ୪୦ରେ ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ସେବକମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସିଂହଦ୍ୱାର ଦେଇ ରଥ ଉପରକୁ ତିନି ଠାକୁରଙ୍କ ରତ୍ନଖଚିତ ସୁନା ଓ ରୁପାର ଅଳଙ୍କାର ଆଣିବା ପରେ ବେଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ୪୦ ସୁଦ୍ଧା ସୁନାବେଶ ଶେଷ ପରେ ଅପରୂପ ସୌନ୍ଦର୍ଯ୍ୟରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ପ୍ରଥମେ ମା’ ସୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗରେ ଅଳଙ୍କାର ଲାଗି ହୋଇଥିଲା। ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଅଳଙ୍କାର ଲାଗି ହୋଇଥିଲା। ବୁଧବାର ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେଇଥିଲେ। ଭକ୍ତମାନେ ଏହି ଅପରୂପ ବେଶ କେବଳ ଟେଲିଭିଜନ୍‌ ପରଦାରେ ଦେଖିଥିଲେ। ବିଳମ୍ବିତ ରାତିରେ ବେଶ ଓଲାଗି ନୀତି ଅନୁଷ୍ଠିତ ହୋଇଥିଲା। ବଡ଼ସିଂହାର ବେଶ, ଭୋଗ ଲାଗି ପରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର