ପୁରୀ : ମହାପ୍ରଭୁଙ୍କ ସହ ଚାଲିଛି ସାଂଘାତିକ ଖେଳ। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଅଟକି ଯାଇଛି ମହାପ୍ରଭୁଙ୍କ ସୁନାବେଶ। ଭଣ୍ଡାର ମେକାପ-ସିଂଘାରୀ ସେବକଙ୍କ ବିବାଦ ପାଇଁ ଆଜି ୫ ଘଣ୍ଟା ବିଳମ୍ବରେ ବେଶ ହୋଇଛନ୍ତି ଶ୍ରୀଜିଉ। ପୂର୍ବାହ୍ଣ ସାଢ଼େ ୧୧ଟାରୁ ଆରମ୍ଭ ହେବାକୁ ଥିବା ନୀତି ଅପରାହ୍ଣ ସାଢ଼େ ୪ଟାରେ ଆରମ୍ଭ ହୋଇଛି। ଯେଉଁଥି ପାଇଁ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଦୂରଦୂରାନ୍ତରରୁ ଦୌଡ଼ି ଆସିଥିବା ହଜାର ହଜାର ଭକ୍ତ ନିରାଶ ହୋଇ ଫେରିଛନ୍ତି।
ଗୁରୁବାର ମହାପ୍ରଭୁଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗି ହେବାର ଥିଲା। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡ଼ାମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ପରିଧାନ କରିଥାନ୍ତେ। ଭଣ୍ଡାର ମେକାପ ସେବକ ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଲାଗି ହେବାକୁ ଥିବା ଏହି ଅଳଙ୍କାର ସବୁ ରତ୍ନସିଂହାସନକୁ ଆଣୁଥିଲେ। କିନ୍ତୁ ଏହି ସମୟରେ ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କୁ ଅଳଙ୍କାର ଲାଗି ପାଇଁ ଆବଶ୍ୟକ ଠାରୁ ଅଧିକ ସିଂଘାରୀ ସେବକ ଉପସ୍ଥିତ ଥିଲେ। ସୁନା ଅଳଙ୍କାର ଏପଟସେପଟ ହେବା ଦର୍ଶାଇ ଭଣ୍ଡାର ମେକାପ ସେବକ ରତ୍ନ ସିଂହାସନ ଉପରେ ଥିବା ଅଧିକ ସିଂଘାରୀ ସେବକଙ୍କୁ ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। ଏଥିରୁ ଆରମ୍ଭ ହୋଇଥିଲା ବିବାଦ।
ସିଂଘାରୀ ସେବକମାନେ ରତ୍ନ ସିଂହାସନ ଉପରେ ରହିବାକୁ ଜିଦ୍ ଧରିଥିଲେ। ନଚେତ୍ ମହାପ୍ରଭୁଙ୍କ ବେଶ କରିବେନି ବୋଲି ଧମକ ଦେଇଥିଲେ। ସେ ପଟେ ରତ୍ନ ସିଂହାସନରୁ ନ ଓହ୍ଲାଇଲେ ଅଳଙ୍କାର ଦେବେନି ବୋଲି ଭଣ୍ଡାର ମେକାପ ଧମକ ଦେଇଥିଲେ। ଏହି କଳି ଓ ବାଦବିବାଦ ଭିତରେ ୫ ଘଣ୍ଟା ବେଶ ବିଳମ୍ବ ହୋଇ ସାରିଥିଲା। ଶେଷରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ପହଞ୍ଚି ବୁଝାସୁଝା ପରେ ବେଶ ନୀତି ଆରମ୍ଭ ହୋଇଥିଲା। ପରେ ପରେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା।
ଭଣ୍ଡାର ମେକାପ-ସିଂଘାରୀ ସେବକଙ୍କ ଭିତରେ ଅଳଙ୍କାର କଳି ପାଇଁ ୨୦୨୦ ନଭେମ୍ବର ୨୭ ତାରିଖ ନାଗାର୍ଜୁନ ବେଶ ୩ ଘଣ୍ଟା ଅଟକାଇ ଦିଆଯାଇଥିଲା।
ଆଜି ନୀତି ବିଳମ୍ବ ନିଶ୍ଚିତପକ୍ଷେ ଦୁଃଖଦ ଘଟଣା। ପୂର୍ବରୁ ବି ଏଭଳି ଘଟଣା ଘଟିଥିଲା। ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/srimandir.jpg)