ସୁନାବେଡ଼ାବାସୀ ଛତିଶଗଡ଼ରେ ମିଶିବା ନିଷ୍ପତ୍ତି ଘଟଣା : ଗାଁରେ ପହଞ୍ଚିଲା ପ୍ରଶାସନ

‘ମୌଳିକ ସୁବିଧା ନମିଳିଲେ ନିଷ୍ପତ୍ତି ବଦଳିବନି’

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ଦୁଇଟି ପଞ୍ଚାୟତର ଅଧିବାସୀ ମୌଳିକ ସୁବିଧାରୁ ବଞ୍ଚିତଥିବା ଦର୍ଶାଇ ଓଡ଼ିଶା ଛାଡ଼ି ଛତିଶଗଡ଼ରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ ଅନୁଧ୍ୟାନ ପାଇଁ ପ୍ରଶାସନ ଉକ୍ତ ଗାଁରେ ପହଞ୍ଚିଥିଲା। ମୌଳିକ ସୁବିଧା ଉପଲବ୍‌ଧ ନହେଲେ ଅଞ୍ଚଳବାସୀ ନିଷ୍ପତ୍ତି ବଦଳାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ ଗତ ୧୩ ତାରିଖ ଦିନ ଏହି ଦୁଇ ପଞ୍ଚାୟତ ସୁନାବେଡ଼ା ଓ ସୋସେଙ୍ଗର ଅଧିବାସୀମାନେ ସୁନାବେଡ଼ାଠାରେ ଏକ ମେଳି କରି ରାଜ୍ୟ ସରକାର ମୌଳିକ ସୁବିଧା ନଦେଲେ ଛତିଶଗଡ଼ରେ ମିଶିବାକୁ ଚେତାବନୀ ଦେଇଥିଲେ। ଏହି ଖବର ବିଭିନ୍ନ ଗଣମଧ୍ୟମରେ ପ୍ରକାଶ ପାଇବା ପରେ ଗତ ୧୫ ତାରିଖ ଦିନ ଜିଲ୍ଲାପାଳଙ୍କ ନିର୍ଦେଶରେ କୋମନା ବିଡିଓ ଓ ତହସିଲଦାର ସୁନାବେଡ଼ା ଯାଇ ଉଭୟ ପଞ୍ଚାୟତବାସୀଙ୍କୁ ନେଇ ବୈଠକରେ କରିଥିଲେ। ବୈଠକରେ ପଞ୍ଚାୟତବାସୀ ୧୨ଟି ଦାବି ରଖିଥିଲେ। ନୂଆପଡ଼ାରୁ ସୁନାବେଡ଼ା, ସୁନାବେଡ଼ାରୁ କୋମନାକୁ ଏକ ଭଲ ରାସ୍ତା, ପହରିଆ ସଂପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା, ସୁନାବେଡ଼ାରେ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ଆଦି ଦାବି କରିଥିଲେ। ଦାବିଗୁଡ଼ିକ ୧୨ ଦିନ ମଧ୍ୟରେ ପୂରଣ କରିବାକୁ କହିଥିଲେ। ଶନିବାର ୧୨ ଦିନ ପୂରିବା ପରେ ସୁନାବେଡ଼ାକୁ ନୂଆପଡ଼‌ା ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଉପଜିଲ୍ଲାପାଳ ତରଣୀସେନ ନାଏକ, ସିବିଡିଏ ଅଧିକାରୀ ବୁଦ୍ଧଦେବ ପଣ୍ଡା, ଉଠାଜଳ‌ସେଚନ ନିର୍ବାହୀଯନ୍ତ୍ରୀ ଜେ. ସେଠୀ, ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ ସନ୍ଦିପ ନନ୍ଦ, ସିବିଡିଏ ଜେଇ ସୁନୀଲ ଅର୍ଗଲ, ଉଠାଜଳସେଚନ ଜେଇ ପ୍ରତାପ ପଟ୍ଟନାୟକ ପ୍ରମୁଖ ପହଞ୍ଚିଥିଲେ। ଏହି ଅଧିକାରୀମାନେ ଦାତୁନାମ, ଢେକୁନପାଣି, ସିଲେପଡ଼ା, କୁଟୁରାବାହଲ ଗାଁକୁ ଯାଇ ବିଭିନ୍ନ ଉନ୍ନୟମ କାମ ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ।
ଡେକୁନପାଣି ଆମ୍ବଗଛପଡ଼ାରେ ପହରିଆମାନେ ଦୟନୀୟ ଅବସ୍ଥାରେ ରହୁଥିବା ଦେଖିଥିଲେ। ପରେ ସୁନାବେଡ଼ାଠାରେ ଉଭୟ ପଞ୍ଚାୟତବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମଧ୍ୟ ଉଭୟ ପଞ୍ଚାୟତବାସୀ ସେମାନଙ୍କ ଜିଦରେ ଅଟଳ ରହିଥିଲେ। ଦାବି ପୂରଣ ନହେଲେ ଆମକୁ ଛତିଶଗଡ଼ରେ ମିଶିବାକୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ସିବିଡିଏ ଅଧିକାରୀ ଓ ଓପିଲିପି ଅଧିକାରୀ ଉନ୍ନୟନ ଟଙ୍କାରୁ ହରିଲୁଟ କରୁଥିବା ଅଭିଯୋଗ କରିବ‌ା ସହ ଉଭୟଙ୍କୁ ତୁରନ୍ତ ବଦଳି କରିବାକୁ ଦାବି କରିଥିଲେ। ଏହି ବୈଠକେର ସୁନାବେଡ଼ା ସରପଞ୍ଚ ତିଲସିଂ ଝାକର, ସମିତି ସଭ୍ୟ ଖେମିନ ମାଝୀ, ୱାର୍ଡମେମ୍ବର ମନିରାମ ମାଝୀ, ବିଜୟ ଝାକର, ପର୍ଶୁରାମ ମାଝୀ ପ୍ରମୁଖ ଉପସ୍ଥିତଥିଲେ।
ସମ୍ବନ୍ଧିତ ଖବର