ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ସୋମବାର ସଂଧ୍ୟାରେ ଦାଣ୍ଡରେ ଖେଳୁଥିବା ଜଣେ ୬ ବର୍ଷର ନାବାଳକକୁ ବାଘ ଟାଣି ନେଇ ମାରିଦେଇଛି। ସୂଚନା ଅନୁଯାୟୀ, ଗୋଧସପଡ଼ାରେ ସୋମବାର ସଂଧ୍ୟାରେ ୩ରୁ ୪ ଜଣ ନାବାଳକ ଏକାଠି ଖେଳୁଥିଲେ। ଏହି ସମୟରେ ହଠାତ୍ ୨ଟି ବାଘ ଆସି ହୁମନ ଧରୁଆଙ୍କ ୬ ବର୍ଷର ପୁଅ ଡମ୍ବରୁକୁ ଟାଣି ନେଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଠେଙ୍ଗାବାଡ଼ି ଧରି ଗୋଡ଼ାଇଥିଲେ। ଫଳରେ ୨ଶହ ମିଟର ଦୂରରେ ଏକ ପଥର ଚଟାଣରେ ନାବାଳକକୁ ଛାଡ଼ି ବାଘଦ୍ବୟ ପଳାଇ ଯାଇଥିଲେ। ଗ୍ରାମବାସୀ ପହଞ୍ଚିବାର କିଛି ସମୟରେ ପରେ ନାବାଳକର ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ବନ କର୍ମଚାରୀମାନେ ମଧ୍ୟରେ ଗାଁରେ ପହଞ୍ଚି ମୃତଦେହ ନେଇ ନୂଆପଡ଼ା ଡାକ୍ତରଖାନାକୁ ଆସିଥିବା ଜଣାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବାଘ ଥିଲେ।
ଏବାବଦରେ ସୁନାବେଡ଼ା ଅଭୟାରଣ୍ୟ ବନ୍ୟଜନ୍ତୁ ବିଭାଗ ଡିଏଫ୍ଓ ମହାଦେବ ବୁଡ଼େକ କହିଛନ୍ତି ଯେ ବାଘ ଜଣେ ନାବାଳକଙ୍କୁ ମାରିଥିବା ଖବର ପାଇବା ପରେ ବନ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ନାବାଳକର ମୃତଦେହ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଛନ୍ତି। ବନ ବିଭାଗ ଅଧିକାରୀମାନେ ବାଘ ଓ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ସହ ଜଗି ରହିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ବାଘ ଦ୍ବୟ ମଧ୍ୟ ଗାଁ ମୁଣ୍ଡରେ ରହିଥିବା ଜଣାଯାଇଛି। ପ୍ରକାଶ ଥାଉକି ନୂଆପଡ଼ା ସଦର ବ୍ଲକ୍ ହଳଦି ଗ୍ରାମରେ ୨୦୧୭ ମସିହାରେ ନାବାଳକ ଛଗନ ପାଣ୍ଡେଙ୍କୁ ବାଘ ଟାଣି ନେଇ ମାରି ଦେଇଥିଲା। ସେହିପରି ୨୦୨୨ ମସିହାରେ ସୁନାବେଡ଼ା ଅଭୟାରଣ୍ୟ ଜଲମଣି ଗ୍ରାମର ଜଣେ ବୃଦ୍ଧାଙ୍କୁ ମଧ୍ୟ ବାଘ ଟାଣି ନେଇ ମାରି ଦେଇଥିଲା।