ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ପରିସରରେ ଥିବା ଗାଁଗୁଡ଼ିକରେ କ୍ରମାଗତ ଭାବେ ବାଘ ଆକ୍ରମଣ ଲାଗିରହିଛି । ଗତ ଏକ ମାସ ହେବ ଏହି ଅଞ୍ଚଳରେ ବାଘ ଆତଙ୍କ ଖେଳାଉଛି। ସଂପୃକ୍ତ ଅଞ୍ଚଳ ଛତିଶଗଡ଼ର ଉଦନ୍ତୀ ଅଭୟାରଣ୍ୟ ଓ ଓଡ଼ିଶାର ସୁନାବେଡ଼ା ଅଭୟାରଣ୍ୟକୁ ଲାଗିରହିଛି। ଫଳରେ ଏଠାରେ ବାଘ ସଂଖ୍ୟା ଅଧିକ ରହିଛି। କେନ୍ଦ୍ର ସରକାର ଛତିଶଗଡ଼-ଓଡ଼ିଶା ଅଭୟାରଣ୍ୟକୁ ମିଶାଇ ଏକ ବ୍ୟାଘ୍ର ପ୍ରକଳ୍ପ କରିବାକୁ ଉଭୟ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି। ହେଲେ ଉଭୟ ରାଜ୍ୟ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଉଭୟ ରାଜ୍ୟର ଅଭୟାରଣ୍ୟ ଦିନକୁ ଦିନ ନଷ୍ଟ ହେଉଥିବାବେଳେ ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ରହିବା ସମ୍ଭବ ହେଉନାହିଁ। ଅନ୍ୟପକ୍ଷରେ ଅଭୟାରଣ୍ୟର ନିୟମ ଅନୁଯାୟୀ ପତ୍ରଟିଏ ମଧ୍ୟ ଲୋକେ ନେଇପାରିବେ ନାହିଁ। ହେଲେ ସୁନାବେଡ଼ା ଅଭୟାରଣ୍ୟ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି।

Advertisment

ଏଥିପ୍ରତି ରାଜ୍ୟ ସରକାର, ବନ ବିଭାଗ ଓ ବନ୍ୟପ୍ରାଣୀ ବିଭାଗ ଅବହେଳା ପ୍ରଦର୍ଶନ କରୁଥିବାରୁ ଅଭୟାରଣ୍ୟ ପଦା ହେବାରେ ଲାଗିଛି। ଫଳରେ ଏ ଅଞ୍ଚଳରେ ବର୍ତ୍ତମାନ ଉଭୟ ବାଘ ଓ ମଣିଷ ଅସୁରକ୍ଷିତ ରହିଥିବା ଲକ୍ଷ୍ୟ କରାଯାଇଛି। ଅଭୟାରଣ୍ୟ ଧୀରେ ଧୀରେ ନଷ୍ଟ ହେଉଥିବାବେଳେ ବନ୍ୟପ୍ରାଣୀଙ୍କ ଖାଦ୍ୟ ଅଭାବ ଦେଖାଦେଇଛି। ଫଳରେ ବନ୍ୟପ୍ରାଣୀମାନେ ଖାଦ୍ୟ ଅନ୍ବେଷଣରେ ଅଭୟାରଣ୍ୟ ତଳିଆ ଅଞ୍ଚଳକୁ ପଳାଇ ଆସୁଛନ୍ତି। ମଣିଷ ଓ ଗୃହପାଳିତ ପ୍ରାଣୀଙ୍କୁ ମାରିଖାଉଛନ୍ତି। ସୁନାବେଡ଼ା ଅଭୟାରଣ୍ୟରେ ପ୍ରାୟ ୩ଟି ମହାବଳ ବାଘ ଓ ବହୁ ସଂଖ୍ୟାରେ କଲରାପତରିଆ ବାଘ ରହିଥିବା ସୂଚନା ମିଳିଛି। ତଥାପି ଅଭୟାରଣ୍ୟରେ କାଠ ମାଫିଆ ସକ୍ରିୟ ଅଛନ୍ତି। ସେହିପରି ଶିକାରୀମାନଙ୍କ ପ୍ରର୍ଦୁଭାବ ବି ବଢ଼ିଚାଲିଛି।

publive-image

ମାଓବାଦୀ ଭୟରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଅଭୟାରଣ୍ୟକୁ ଯାଉନଥିବା ବେଳେ ଏହାର  ସୁଯୋଗ ନେଉଛନ୍ତି କାଠ ମାଫିଆ ଓ ଶିକାରୀ। ବର୍ତ୍ତମାନ ଅଭୟାରଣ୍ୟ ନିକଟ ଗାଁଗୁଡ଼ିକରେ ବ‌ାଘଟି ଆତଙ୍କ ଖେଳାଇଛି। ଗତ ଏକ ମାସରେ ୧୫ଟି ଗୃହପାଳିତ ପ୍ରାଣୀ ଓ ଜଣେ ମଣିଷଙ୍କୁ ମାରିଥିବା ବେଳେ ବାଘ ଉପରେ ଶିକାରୀଙ୍କ ନଜର ରହିଛି। ସୁଯୋଗ ମିଳିଲେ ବାଘ ଶିକାର କରିବାକୁ ଜଗି ରହିଛନ୍ତି। ଏହା ଉପରେ ବନ୍ୟପ୍ରାଣୀ ବିଭାଗ ସଜାଗ ରହିବା ଜରୁରି ହୋଇପଡ଼ିଛି। ବିଗତ ଦିନରେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ରେ ବାଘ ଶିକାର କରାଯାଇଥିବା ଦେଖିବାକୁ ମିଳିଥିଲା। ଯେପରି ଏହାର ପୁନରାବୃତ୍ତି ନହେବ ସରକାର ଏହା ଉପରେ ଧ୍ୟାନ ଦେବା ନିହାତି ଜରୁରି। ସୁନାବେଡ଼ା ଅଭୟାରଣ୍ୟ ଓ ଛତିଶଶଗଡ଼ ଉଦନ୍ତୀ ଅଭୟାରଣ୍ୟ ମିଶି ୬ ହଜାର ବର୍ଗକିମି ପରିବ୍ୟାପ୍ତ। ହେଲେ ଦିନକୁ ଦିନ ଏହା ସଙ୍କୁଚିତ ହେବାରେ ଲାଗିଛି। ଯଦ୍ବାରା ବନ୍ୟପ୍ରାଣୀମାନେ ଆଉ ସୁରକ୍ଷିତ ରହୁନାହାନ୍ତି।

publive-image

ପ୍ରକାଶ ଯେ କେନ୍ଦ୍ର ସରକାର ନୂଆପଡ଼ା ଅଭୟାରଣ୍ୟ ଓ ଉଦନ୍ତୀ ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ପାଇଁ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ୨୦୧୯ ଅଗଷ୍ଟ ୨୨ ତାରିଖ ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଉଭୟ ରାଜ୍ୟର ବନ୍ୟପ୍ରାଣୀ ବିଭାଗ ବରିଷ୍ଠ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଆଲୋଚନା କରିଥିଲେ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ସଂସ୍ଥା ସୁନାବେଡ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଘୋଷଣା କରିବାକୁ ମଞ୍ଜୁରି ଦେଇ ସାରିଥିବା ବେଳେ ରାଜ୍ୟ ସରକାରଙ୍କଠାରେ ଅଟକି ରହିଛି। ଏହା ଉପରେ ରାଜ୍ୟ ପଦକ୍ଷେପ ନନେଲେ ସୁନାବେଡ଼ା ଅଭୟାରଣ୍ୟର ବାଘଟି ଗ୍ରାମାଞ୍ଚଳ ପରେ ସହରାଞ୍ଚଳରେ ଆତଙ୍କ ଖେଳାଇବ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି।