ନୂଆପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ସୁନାବେଡ଼ା ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ କରିବା ପାଇଁ ଯୋଜନା କରୁଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସୁନାବେଡ଼ା ଅଭୟାରଣ୍ୟରେ ବାଘ ସୁରକ୍ଷିତ ନଥିବା ଲକ୍ଷ୍ୟ କରାଯାଇଛି। ଅଭୟାରଣ୍ୟ ଧୀରେ ଧୀରେ ପଦା ହେବାକୁ ଯାଉଥିବା ବେଳେ ବନ୍ୟପ୍ରାଣୀ ଓ ବନ ବିଭାଗ ମଧ୍ୟ ବାଘବଂଶକୁ ସୁରକ୍ଷା ଦେଇପାରୁନାହାନ୍ତି। ଅବାଧ ଶିକାର ଯୋଗୁଁ ଅଭୟାରଣ୍ୟରେ ବାଘ ସହ ଅନ୍ୟ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିଗଲାଣି। ଶୁକ୍ରବାର ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍‌ଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ମଚାରୀମାନେ ଏକ ବାଘ ଶିକାରୀ ଦଳକୁ ଧରିବାରେ ସଫଳ ହୋଇଛନ୍ତି। ଏହି ଶିକାରୀମାନଙ୍କଠାରୁ କଲରାପତରିଆ ବାଘ ଛାଲ, ବନ୍ୟପ୍ରାଣୀଙ୍କ ଶରୀରର ବିଭିନ୍ନ ଅଙ୍ଗ ସହ ଶିକାର ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। ଏହି ଘଟଣାରେ ୫ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।

Advertisment

ଗତବର୍ଷ ସିନାପାଲି ବ୍ଲକ୍‌ରେ ଶିକାରୀମାନେ ଏକ କଲରାପତରିଆକୁ ଗୁଳି କରି ମାରିବା ସହ ମାଂସ ଭାଗବଣ୍ଟା କରି ଖାଇଥିଲେ। ଗତ କିଛିବର୍ଷ  ଭିତରେ ଜିଲ୍ଲାରେ ୫ରୁ ଅଧିକ ବାଘକୁ ଶିକାରୀମାନେ ମାରିଥିବା ନଜିର ରହିଛି। ବିଭିନ୍ନ ସମୟରେ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଶିକାରୀଙ୍କୁ ଗିରଫ କରାଯାଉଛି। ତଥାପି ଜିଲ୍ଲାରେ ବାଘ ସହ ବନ୍ୟପ୍ରାଣୀ ଶିକାର କମୁନାହିଁ। ବର୍ତ୍ତମାନ ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରି ହେଉଛି। ପୁଣି ଖରାଦିନେ ଜଙ୍ଗଲରେ ନିଆଁ ଲଗାଇ ଦିଆଯାଉଛି। ଫଳରେ ବନ୍ୟପ୍ରାଣୀ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେଉଛନ୍ତି। ଏହାର ସୁଯୋଗ ନେଇ ଶିକାରୀମାନେ ଶିକାର କରୁଛନ୍ତି। 

୧୯୮୪ ମସିହାରେ ସରକାର ସୁନାବେଡ଼ାକୁ ଅଭୟାରଣ୍ୟ ଘୋଷଣା କରିଥିଲେ। ୬ଶହ ବର୍ଗ କିମି ଆୟତନ ବିଶିଷ୍ଟ ଉକ୍ତ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ବାଘ ତଥା ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ବାସସ୍ଥାନ ପାଲଟିଛି। ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ସୁନାବେଡ଼ା ଅଭୟାରଣ୍ୟ ଥିବାରୁ ଉଭୟ ରାଜ୍ୟରେ ବାଘଙ୍କ ଚଳପ୍ରଚଳ ରହିଥାଏ। ସୁନାବେଡ଼ା ଅଭୟାରଣ୍ୟରେ ୪୦ରୁ ୪୫ଟି କଲରାପତରିଆ ରହିଥିବା ଜଣାପଡ଼ିଛି। ଏମାନଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ରହିଛି। ବିଭାଗ ପକ୍ଷରୁ ସୁରକ୍ଷା ଦିଆନଗଲେ ଏମାନଙ୍କ ବଂଶ ବୁଡ଼ିବା ଥୟ। ତେଣୁ ଏ ନେଇ ଠୋସ୍‌ ପଦକ୍ଷେପ ନେବାକୁ ବନ୍ୟପ୍ରାଣୀପ୍ରେମୀ ମହଲରେ ଦାବି ହୋଇଛି।