ନୂଆପଡ଼ା, (ଅଶ୍ବିନୀ ପାଣିଗ୍ରାହୀ): ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଭୟାରଣ୍ୟ ଅଶାନ୍ତ ହେବାରେ ଲାଗିଛି। ମାଓବାଦୀମାନେ ଅଭୟାରଣ୍ୟକୁ ନିଜ କବ୍ଜାରେ ରଖିଛନ୍ତି। ନିଜର ଉପସ୍ଥିତି ଜାହିର କରି ଭିଆଉଛନ୍ତି ଲାଲ୍ ତାଣ୍ଡବ। ଗତ ଜୁନ୍ ମାସରେ ୩ ଜଣ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାକୁ ଲୋକଙ୍କ ମନରୁ ଲିଭି ନ ଥିବାବେଳେ ଗୁରୁବାର ରାତିରେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। କିଛିଦିନ ବ୍ୟବଧାନରେ ଲାଲବାହିନୀ ଏଭଳି କାଣ୍ଡ କରି ଚାଲିଥିବାରୁ ଜିଲ୍ଲା ପୁଲିସ୍ର ଚିନ୍ତା ବଢ଼ାଇ ଦେଇଛି। ହିସାବରୁ ଜଣାଯାଇଛି, ବିଗତ ୧୩ ବର୍ଷ ମଧ୍ୟରେ ମାଓବାଦୀମାନେ ନୂଆପଡ଼ା ଜିଲ୍ଲାର ୨୯ ଜଣ ପୁଲିସ୍ ଓ ନିରୀହ ଆଦିବାସୀଙ୍କୁ ହତ୍ୟା କରିଛନ୍ତି।
/sambad/media/post_attachments/wp-content/uploads/2022/04/Mkg-naxal-killed-villager-1-750x430.jpg)
ସୂଚନା ଅନୁସାରେ, ସୁନାବେଡ଼ା ଅଭୟାରଣ୍ୟରେ ୨୦୦୭ ମସିହାରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିଥିଲେ। ଛତିଶଗଡ଼-ଓଡ଼ିଶା ସୀମାନ୍ତ ଏହି ଅଭୟାରଣ୍ୟକୁ ନିଜର ସୁରକ୍ଷିତ ସ୍ଥାନଭାବେ ବାଛିନେଇ ୨୦୦୮ ମସିହାରୁ ବିଭିନ୍ନ ଡିଭିଜନ ପ୍ରସ୍ତୁତ କରି କାର୍ଯ୍ୟ କରି ଆସୁଥିଲେ। ଏଥିସହିତ, ବିଭିନ୍ନ ସମୟରେ ପୁଲିସ୍ ଇନ୍ଫର୍ମର୍ ସନ୍ଦେହରେ ବହୁ ନିରୀହ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରୁଥିଲେ। ୨୦୦୯ ନଭେମ୍ବର ୧୫ ତାରିଖ କୋମନା ଥାନା ଢେକୁନପାଣି ଫରେଷ୍ଟ୍ ୱାଚର୍ କ୍ରିସ୍ ରାଉତ ଓ ୧୭ ତାରିଖରେ ସୁନାବେଡ଼ାର ପୂର୍ବତନ ୱାର୍ଡ ସଭ୍ୟ ଚନ୍ଦରସିଂ ବର୍ଗେ, ୨୦୧୦ ଏପ୍ରିଲ୍ ୨୮ ତାରିଖ ଭରୁଆମୁଣ୍ଡା ଫରେଷ୍ଟ ଅଫିସ୍ର ଫରେଷ୍ଟର ସଂଗ୍ରାମ କେଶରୀ ସ୍ବାଇଁ, ୨୦୧୧ ମଇ ୩ ତାରିଖ ସିନାପାଲି ଥାନା ଫୁଲଚିଘାଟିରେ ଠିକାଦାର ଟୁନା ମହାପାତ୍ରଙ୍କୁ ହତ୍ୟା କରିଥିଲେ। ମଇ ୨୩ ତାରିଖ ସୁନାବେଡ଼ାରେ ଛତିଶଗଡ଼ ରାଜ୍ୟ ଗରିଆବନ୍ଧ ଅତିରିକ୍ତ ଏସ୍ପି ସମେତ ୯ ଜଣ କନ୍ଷ୍ଟେବଲ୍ କମ୍ବିଂରୁ ଫେରୁଥିବା ବେଳେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଏହାର କିଛିଦିନ ପରେ ମଇ ୨୮ ତାରିଖ ନୂଆପଡ଼ା ଥାନା ଡାଲିପଖାନା ଗ୍ରାମର ନାଗେଶ ମାଝୀ, କଲମିଦାଦାର ଗାଁର ପରଶରାମ ମାଝୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।
ସେହିବର୍ଷ ନଭେମ୍ବର ୧୯ ତାରିଖ ଦିନ ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷ ସୁନୀଲ ଦେବାଙ୍ଗନଙ୍କୁ ଲୋଡ୍ରାରେ ନିର୍ମମ ଭାବେ ହତ୍ୟା କରିଥିଲେ। ୨୦୧୨ ଫେବ୍ରୁଆରି ୨୪ ତାରିଖ ସୁନାବେଡ଼ାରେ ପୁଲିସ୍ ଇନ୍ଫର୍ମର ସନ୍ଦେହରେ ଜଣେ ଯୁବତୀ ରୀତା ଦାସଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେହିବର୍ଷ ମଇ ୮ ତାରିଖ ଧରମବନ୍ଧା ଫାଣ୍ଡି ଏଏସ୍ଆଇ କୃପାରାମ ମାଝୀଙ୍କୁ ଧରମବନ୍ଧାଠାରେ ଗୁଳିକରି ହତ୍ୟା କରିଥିଲେ। ୨୦୧୨ ସେପ୍ଟେମ୍ବର ୧୮ ତାରିଖ ନଙ୍ଗଳବୋଡ଼ରେ ମହମ୍ମଦ ସତ୍ତାର, ୨୦୧୩ ଫେବ୍ରୁଆରି ୮ ତାରିଖ କୋମନା ଥାନା ପାଟପାଣି ଗ୍ରାମର ଜଣେ ଶିକ୍ଷକଙ୍କୁ ପୁଲିସ୍ ଇନ୍ଫର୍ମର ଭାବେ ହତ୍ୟା କରିଥିଲେ। ୨୯ ଅକ୍ଟୋବରରେ ଗାତିବେଡ଼ାର ଜଣେ ଖୁଆ ବ୍ୟବସାୟୀ ବିଷ୍ଣୁ ମେହେରଙ୍କୁ ପ୍ରଜାକୋର୍ଟରେ ମାଓବାଦୀମାନେ ମୃତ୍ୟୃଦଣ୍ଡ ଦେଇଥିଲେ। ନଭେମ୍ବର ୨୯ ତାରିଖ ସୁନାବେଡ଼ା ଢେକୁନପାଣି ଗାଁ ମୁଣ୍ଡରେ ଜିଲ୍ଲା ପୁଲିସ୍ର ଦୁଇ ଜଣ ଯବାନ ଡିଭିଏଫ୍ର ପ୍ରକାଶ ରାଉତ ଓ ଏସ୍ପିଓ ଦେବେନ୍ଦ୍ର ଧରୁଆଙ୍କୁ ଗୁଳିକରି ହତ୍ୟା କରିଥିଲେ। ୨୦୧୬ ଏପ୍ରିଲ ୧୮ ତାରିଖ ବୋଡ଼େନ ଥାନା ପାଟଦରା ଧୋବଘାଟ ଜଙ୍ଗଲରେ ଗଜପତି ମାଝୀ, ୨୦୧୮ ଏପ୍ରିଲ ୧୬ ତାରିଖ ବୋଡ଼େନ ଥାନା ଭଇଁଷାଦାନୀ ପୂର୍ବତନ ସରପଞ୍ଚ ହୀରାଧର ମଝୀଙ୍କୁ ହତ୍ୟା କରିଥିଲେ।
/sambad/media/post_attachments/wp-content/uploads/2022/04/Mkg-naxal-killed-villager-2-750x430.jpg)
୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ମାଓବାଦୀଙ୍କ ଦୁର୍ଗ କହିଲେ ସୁନାବେଡ଼ାକୁ ବୁଝାଉଥିଲା। ମାଓବାଦୀମାନେ ଅଭୟାରଣ୍ୟରେ ବସବାସ କରୁଥିବା ଲୋକଙ୍କୁ ତାଙ୍କ କବ୍ଜାରେ ରଖି ଉଭୟ ରାଜ୍ୟରେ ସେମାନଙ୍କ ଉପସ୍ଥିତି ଜାହିର କରୁଥିଲେ। ନିରୀହ ଆଦିବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ଦଳରେ ସାମିଲ୍ ହେବାକୁ ପ୍ରବର୍ତ୍ତାଉଥିଲେ। କିଛିଦିନ ନିରବ ରହିବା ପରେ ପୁଣି ୨୦୧୧ରେ ସୁନାବେଡ଼ାରେ ଛତିଶଗଡ଼ର ଅତିରିକ୍ତ ଏସ୍ପିଙ୍କ ସହ ୯ ଜଣ ଯବାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେହିଦିନଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ନୂଆପଡ଼ା ଜିଲ୍ଲାକୁ ମାଓ ପ୍ରବଣ ବୋଲି ଘୋଷଣା କରିଥିଲେ। ମାଓ ଦମନ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତଭାବେ ଯୋଜନା ଆରମ୍ଭ କରିଥିଲେ। ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଅଭୟାରଣ୍ୟରେ କୌଣସି ଘଟଣା ଘଟିନଥିଲା।
ମାତ୍ର, ଚଳିତ ବର୍ଷ ଜୁନ୍ମାସଠାରୁ ନୂଆପଡ଼ା ଜିଲ୍ଲାରେ ମାଓବାଦୀ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଯଥାଶୀଘ୍ର ଦୃଢ଼ ପଦକ୍ଷେପ ଗ୍ରହଣ ନକଲେ, ସୁନାବେଡ଼ା ଅଭୟାରଣ୍ୟକୁ ମାଓବାଦୀମାନେ ଅକ୍ଲେଶରେ ନିଜ କବ୍ଜାକୁ ନେଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଛି।