ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ରାଜାଧିରାଜ ବେଶ ତଥା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଚନ୍ଦ୍ରଗ୍ରହଣ ପାଇଁ ଆଜି ଭୋଗମଣ୍ଡପ ଶେଷପରେ ସକାଳ ୫ଟା ୫୦ରୁ ଶ୍ରୀମନ୍ଦିର ନୀତିକାନ୍ତି ବନ୍ଦ ରହିଥିବାରୁ ଭକ୍ତମାନେ ନିର୍ବିଘ୍ନରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଛନ୍ତି। ୮ ଘଣ୍ଟାରୁ ଅଧିକ ସମୟ ମହାପ୍ରଭୁଙ୍କ ସୁନାବେଶ ମନଭରି ଦେଖିଛନ୍ତି।
ଆଜି ଚନ୍ଦ୍ରଗ୍ରହଣ ଥିଲେ ବି ଭକ୍ତଙ୍କ ଗହଳଚହଳରେ ଶ୍ରୀମନ୍ଦିର ଭିତର ଓ ବାହାର ଫାଟି ପଡ଼ିଥିଲା।

Advertisment

ବିଳମ୍ବିତ ରାତିରୁ ଅପେକ୍ଷାରତ ଭକ୍ତମାନେ ଆଜି ସଅଳ ସୁନାବେଶ ଦର୍ଶନର ସୁଯୋଗ ପାଇଥିଲେ। ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବାକୁ ଥିଲେ ବି ଏହାର ୧୫ ମିନିଟ୍‌ ପୂର୍ବରୁ ଭକ୍ତମାନେ ଦର୍ଶନର ସୁଯୋଗ ପାଇଥିଲେ। ସେପଟେ ପତିତପାବନ ବି ସୋଲ, ଜରିରେ ନିର୍ମିତ ସୁନାକୃତି କିରୀଟ ଲାଗି ବେଶରେ ଦର୍ଶନ ଦେଇଥିଲେ। ଯେଉଁମାନେ ଚନ୍ଦ୍ରଗ୍ରହଣରେ ଶ୍ରୀମନ୍ଦିର ଯିବା ଗ୍ରହଣୀୟ ନୁହେଁ ବୋଲି ଭାବୁଛନ୍ତି, ସେମାନେ ପତିତପାବନଙ୍କୁ ଦର୍ଶନ କରି ଫେରିଥିଲେ। ସେପଟେ ଆଜି ସଅଳ ମହାପ୍ରସାଦ ପାଇବାର ସୌଭାଗ୍ୟ ଅର୍ଜିଛନ୍ତି ଭକ୍ତ। ଯେଉଁମାନେ ଦୂରଦୂରାନ୍ତରରୁ ଆସିଥିଲେ, ସେମାନେ ସକାଳୁ ସକାଳୁ ମହାପ୍ରସାଦ ସହ ଆନନ୍ଦରେ ଘରକୁ ଫେରିଛନ୍ତି।