ପୁରୀ: ଦୋଳପୂର୍ଣ୍ଣିମାରେ ଦୋଳରେ ଝୁଲିବେ ଶ୍ରୀଦୋଳଗୋବିନ୍ଦ। ଏଣେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହ ରାଜାଧିରାଜ ବେଶରେ ଦର୍ଶନ ଦେବେ। ସୁନାବେଶରେ ସଜେଇ ହେବେ ଶ୍ରୀବିଗ୍ରହ। ସକାଳ ୮ଟାରୁ ସାଢ଼େ ୯ଟା ମଧ୍ୟରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ କରାଯିବ। ଅର୍ଥାତ ବେଶଲାଗି ପରେ ସାଢ଼େ ୯ଟାରୁ ମହାପ୍ରଭୁଙ୍କୁ ଦୁର୍ଲଭ ସୁନାବେଶରେ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ରାତି ୧୦ଟା ୩୫ ମିନିଟ୍ରେ ବେଶ ଓଲାଗି ହେବା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ଏହି ବେଶରେ ଦର୍ଶନ କରିବେ। ନୀତିରେ ବିଳମ୍ବ ନହେଲେ ଏହି ସମୟ ନିର୍ଘଣ୍ଟ ଅନୁଯାୟୀ ଭକ୍ତମାନେ ଦର୍ଶନ ସୁବିଧା ପାଇବେ। ପାର୍ବଣରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନୀତି ଚୂଡ଼ାନ୍ତ ହୋଇଛି।
ନୀତି ନିର୍ଘଣ୍ଟ ଅନୁଯାୟୀ, ଦୋଳପୂର୍ଣ୍ଣିମାରେ ରାତି ୩ଟାରେ ଦ୍ବାରଫିଟା ହେବ। ଭୋର ୪ଟାରେ ମଙ୍ଗଳଆଳତି, ସକାଳ ୭ଟା ୪୫ରେ ଭିତର ବେଢ଼ା ଶେଷ, ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ। ପୂର୍ବାହ୍ନ ୧୦ଟାରେ ଦୋଳବିମାନକୁ ଦିଅଁ ବିଜେ କରିବେ।
ଦୋଳବେଦି ଉପର ନୀତି ଅନୁଯାୟୀ, ମଧ୍ୟାହ୍ନ ସାଢ଼େ ୧୨ଟାରେ ଦୋଳବେଦିକୁ ଠାକୁରଙ୍କ ବିମାନ ବିଜେ କରିବ। ୧୨ଟା ୪୫ରେ ବେଢ଼ା ଶେଷ ପରେ ୧୨ଟା ୫୦ରେ ଦୋଳିକୁ ଦିଅଁ ବିଜେ କରିବେ। ୧ଟା ୧୦ରେ ମଇଲମ ଓ ମହାସ୍ନାନ ପରେ ୧ଟା ୨୦ରେ ବେଶ ଓ ଅନ୍ୟାନ୍ୟ ନୀତି ହେବ। ଅପରାହ୍ଣ ସାଢ଼େ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ। ରାତି ୭ଟା ୪୦ରେ ଛେରା ପହଁରା ନୀତି, ୭ଟା ୪୫ରୁ ୭ଟା ୫୫ ଦୋଳବେଦି ଉପର ବେଢ଼ା, ୮ଟାରେ ବନ୍ଦାପନା ଓ ରାଜନୀତି, ୮ଟା ୫ରେ ବିମାନକୁ ଦିଅଁ ବିଜେ, ସାଢ଼େ ୮ଟାରେ ଦୋଳବେଦି ତଳ ବେଢ଼ା ଓ ଦିଅଁଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ରାତି ୧୦ଟାରେ ବେଢ଼ା ଶେଷ, ୧୦ଟା ୧୫ରେ ସରସ୍ବତୀ ମନ୍ଦିର ପାଖରେ ଭୋଗ ଓ ବନ୍ଦାପନା, ୧୦ଟା ୨୦ରେ ବିମାନ ସହ ଭିତରକାଠକୁ ଦିଅଁ ବିଜେ, ୧୦ଟା ୨୫ରେ କର୍ପୁର ଆଳତି ଓ ଜଳଲାଗି, ସାଢ଼େ ୧୦ଟାରେ ଲକ୍ଷ୍ମୀ ଓ ସରସ୍ବତୀ ସିଂହାସନକୁ ଏବଂ ଦକ୍ଷିଣ ଘରକୁ ଦୋଳଗୋବିନ୍ଦ ବିଜେ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/sunabesa.jpg)