ସୁନାବେଶରେ ଝଟକିଲେ ମହାପ୍ରଭୁ, ଦୁଇବର୍ଷ ପରେ ଅପରୂପ ବେଶ ଦର୍ଶନ କଲେ ୧୨ ଲକ୍ଷ ଶ୍ରଦ୍ଧାଳୁ

ବଡ଼ଦାଣ୍ଡ, ବେଳାଭୂମି ହେଲା ଲୋକାରଣ୍ୟ

ପୁରୀ : ମଥାରେ ସୁନାର କିରୀଟ,କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି ଓ ପାଦରେ ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ନବଦିନର ଯାତ୍ରା ସାରି ସିଂହଦ୍ୱାରକୁ ବାହୁଡ଼ିବା ପରେ ରବିବାର ଦିନ ଏପରି ମହଣ ମହଣ ସୁନାର ଅଳଙ୍କାର ପରିଧାନ କରି ଅପରୂପ, ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ୧୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଅପରୂପ ବେଶ ଦର୍ଶନ କରିବାର ସୌଭାଗ୍ୟ ଅର୍ଜିଛନ୍ତି। ଆଜି ରବିବାର ଥିବାରୁ ଭକ୍ତଙ୍କ ଭିଡ଼ ବି ବଡ଼ଦାଣ୍ଡ ଓ ସହରର ଗଳିକନ୍ଦିରେ ପରିଲକ୍ଷିତ ହୋଇଛନ୍ତି। ମଧ୍ୟାହ୍ନରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି।

ରବିବାର ଦିନ ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ୱାର ଆଗରେ ଦଣ୍ଡାୟମାନ ତିନି ରଥରେ ରଥାରୂଢ଼ ତିନି ଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନ‌ାବେଶ ଅନୁଷ୍ଠିତ ହୋଇଥିଲା। ଆଜିର ଏହି ପବିତ୍ର ଦିନରେ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। ଦୁଇବର୍ଷ ପରେ ଭକ୍ତ ବିନୋଦିଆ କାଳିଆ ସାଆନ୍ତଙ୍କୁ ସୁନାବେଶରେ ଦେଖି ଭକ୍ତ ବି ଭାବବିହ୍ବଳ ହୋଇ ପଡ଼ିଥିଲେ।

ସୁନାବେଶ ନେଇ ରବିବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଥିଲେ ବି ଦେଢ଼ଘଣ୍ଟା ବିଳମ୍ବରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ସକାଳ ୭ଟା ୨୫ରୁ ୭ଟା ୪୦ ଭିତରେ ତିନି ରଥରେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି ନୀତି ଅନୁଷ୍ଠିତ ହୋଇଥିଲା। ୮ଟା ୪୦ରୁ ସାଢ଼େ ୯ଟା ଭିତରେ ବେଶ ଶେଷ ପରେ ପୂର୍ବାହ୍ନ ୧୦ଟାରୁ ୧୦ଟା ୨୦ ଭିତରେ ଗୋପାଳ ବଲ୍ଲଭ ନୀତି ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ଣ ୧୧ଟାରେ ସକାଳଧୂପ, ୧୨ଟାରେ ମଇଲମ ପରେ ୧୨ଟା ୫୫ରୁ ୧ଟା ୧୫ ଭିତରେ ତିନି ରଥରେ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୧ଟା ୪୫ରୁ ୨ଟା ୪୫ ଭିତରେ ମଧ୍ୟାହ୍ନଧୂପ ଓ ଅପରାହ୍ଣ ୪ଟାରେ ସଂଧ୍ୟା ଆଳତି ଶେଷ ପରେ ଅପରାହ୍ଣ ୪ଟା ୧୦ରୁ ସୁନା ବେଶ ଆରମ୍ଭ ହୋଇଥିଲା। ସେବକମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସିଂହଦ୍ୱାର ଦେଇ ରଥ ଉପରକୁ ତିନି ଠାକୁରଙ୍କ ରତ୍ନଖଚିତ ସୁନା ଓ ରୁପାର ଅଳଙ୍କାର ଆଣିବା ପରେ ବେଶ କାର୍ଯ୍ୟ ଆରମ୍ଭ ହୋଇଥିଲା। ୪ଟା ୧୦ରୁ ୫ଟା ୧୦ ଭିତରେ ସୁନାବେଶ ଶେଷ ପରେ ଅପରୂପ ସୌନ୍ଦର୍ଯ୍ୟରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ପ୍ରଥମେ ବଡ଼ଠାକୁରଙ୍କ ଶ୍ରୀଅଙ୍ଗ ଅଳଙ୍କାର ଲାଗି ପରେ ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ଅଳଙ୍କାର ଲାଗି ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁନାବେଶ ଚାଲିବା ପରେ ବେଶ ଓଲାଗି ଆରମ୍ଭ ହୋଇଥିଲା। ପରେ ଅନ୍ୟାନ୍ୟ ନୀତି ବଢ଼ିବା ସହ ବଡ଼ସିଂହାର ବେଶ, ଭୋଗ ଲାଗି ହୋଇ ରାତ୍ର ପହୁଡ଼ ହୋଇଥିଲା।

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ପରେ ଆସନ୍ତା ୧୨ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ ପରେ ନୀଳାଦ୍ରି ବିଜେ କରିବେ ମହାପ୍ରଭୁ। ପରଦିନ ନୀଳାଚଳ ଅବଢ଼ା ବ‌ାହାରିବ। ଏଥିପାଇଁ ବି ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ସମ୍ବନ୍ଧିତ ଖବର