ପୁରୀ : ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ଶନିବାର ଦିନ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ବଡ଼ଦାଣ୍ଡରେ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଗହଣରେ ପୁଣି ଥରେ ଘର୍ଘର ନାଦ କରି ଗଡ଼ିଥିଲା ତିନିରଥ। ଘଣ୍ଟ ଘଣ୍ଟାର ନାଦ; ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହୋଇଥିଲା ଖଣ୍ଡମଣ୍ଡଳ। ଯେହେତୁ ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନ କରି ଫେରିଛନ୍ତି, ତେଣୁ ମାନଭଞ୍ଜନ ପାଇଁ କାଳିଆ ସାଆନ୍ତ ଶନିବାର ଦିନ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ତରତର ହୋଇ ଶ୍ରୀମନ୍ଦିର ଫେରିଥିଲେ।
ରାତି ସାଢ଼େ ୭ଟା ସୁଦ୍ଧା ତିନି ରଥ ଶନିବାର ଦିନ ସିଂହଦ୍ବାର ଚକଡ଼ାରେ ବିଜେ କରିଛନ୍ତି। ରଥଯାତ୍ରା ଭଳି ଶନିବାର ମଧ୍ୟ ସଅଳ ପହଣ୍ଡି ଓ ରଥଟଣା ଆରମ୍ଭ ହୋଇଥିଲା। ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ପହଣ୍ଡିରେ ଶରଧାବାଲିକୁ ବିଜେ କରିଥିଲେ ଠାକୁରେ। ସେହିଭଳି ଅଢ଼େଇ ଘଣ୍ଟା ପୂର୍ବରୁ ରଥ ଗଡ଼ିଥିଲା ସିଂହଦ୍ବାର ଅଭିମୁଖେ। ଆଜି ସୁନାବେଶ ଥିବାରୁ ତିନି ରଥ ସିଂହଦ୍ବାରରେ ପହଞ୍ଚିବା ପରେ ତୁରନ୍ତ ରଥ ଉପରେ ନୀତିକାନ୍ତି ଶେଷ ସହ ପହୁଡ଼ ଆଳତି ହୋଇ ସୁନାବେଶ ପ୍ରସ୍ତୁତି ଆରମ୍ଭ ହୋଇଛି।
ପୂର୍ବରୁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ସକାଳ ୭ଟାରୁ ସାଢ଼େ ୧୧ଟା ଭିତରେ ସେନାପଟା ଲାଗି ପରେ ମଧ୍ୟାହ୍ନ ୧୨ଟାରୁ ପହଣ୍ଡି ଆରମ୍ଭ ଓ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବାର ଥିଲା। କିନ୍ତୁ ରଥଯାତ୍ରା ପରି ବାହୁଡ଼ାଯାତ୍ରା ପାଇଁ ଗତକାଲି କୋଠ ସୁଆଁସିଆମାନେ ବାହୁଟକଣ୍ଟ, ଚାରବନ୍ଧା କାମ ଶେଷ କରିବା ପରେ ରାତିରେ କୁସୁମଲାଗି ପାଇଁ ଦଇତାପତିମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଥିଲେ। ଆଜି ସକାଳ ୫ଟା ୨୦ ସୁଦ୍ଧା ସେନାପଟା ଲାଗି ପରେ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢ଼ିଥିଲା। ଶ୍ରୀଜିଉଙ୍କୁ ଗୋପାଳ ବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ଲାଗି ପରେ ସକାଳ ୭ଟା ୫୫ରୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ସକାଳ ୭ଟା ୫୫ରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇ ୮ଟା ୧୫ରେ ଶେଷ ହୋଇଥିଲା। ପରେ ସକାଳ ୮ଟା ୨୫ରେ ବଡ଼ଠାକୁର ଶ୍ରୀବଳଭଦ୍ର ପହଣ୍ଡିରେ ଆସିଥିଲେ। ୮ଟା ୩୫ରେ ମା’ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥାରୂଢା ହୋଇଥିଲେ। ଶେଷରେ ୯ଟାରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି। ପୂର୍ବାହ୍ଣ ୧୧ଟା ୨୫ ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ରଥ ବିଜେ ପରେ ୧୧ଟା ୩୫ରେ ଶ୍ରୀମଦନମୋହନ, ରାମ- କୃଷ୍ଣଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଶୀଘ୍ର ଶୀଘ୍ର ବେଶ ଶେଷ କରାଯାଇ ସାଢ଼େ ୧୨ଟାରୁ ଛେରା ପହଁରା ଆରମ୍ଭ ହୋଇଥିଲା।
ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ସ୍ବତନ୍ତ୍ର ମେହେଣାରେ ରଥ ନିକଟରେ ପହଞ୍ଚିବା ପରେ ଆଳତି ସମର୍ପଣ କରିଥିଲେ। ପ୍ରଥମେ ତାଳଧ୍ବଜ ରଥ, ପରେ ନନ୍ଦିଘୋଷ ରଥ ଓ ଶେଷରେ ଦେବଦଳନ ରଥରେ ସୁନା ଝାଡ଼ୁରେ ଛେରାପହଁରା କରିଥିଲେ। ଛେରାପହଁରା ପରେ ମଧ୍ୟାହ୍ନ ୧୨ଟା ୫୫ରୁ ୨ଟା ଭିତରେ ଚାରମାଳ ଫିଟା ସହ ରଥରେ ଘୋଡ଼ା, ସାରଥି ଲାଗିଥିଲା। ଅପରାହ୍ଣ ୧ଟା ୪୦ରୁ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟା ୨୦ରେ ତାଳଧ୍ବଜ ରଥ ବଡ଼ଠାକୁରଙ୍କୁ ନେଇ ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲା। ମା’ ସୁଭଦ୍ରାଙ୍କ ଦେବଦଳନ ରଥ ୨ଟା ୧୫ରୁ ବାହାରି ମାତ୍ର ଅଢେଇ ଘଣ୍ଟା ଭିତରେ ବିଶାଳ ଜନସମୁଦ୍ର ଭିତରେ ବଡଦାଣ୍ଡ ଅତିକ୍ରମ କରି ସିଂହଦ୍ବାରରେ ପହଞ୍ଚିଥିଲେ। ନନ୍ଦିଘୋଷ ରଥ ୨ଟା ୩୫ରେ ଟଣା ଆରମ୍ଭ ହୋଇଥିଲେ ହେଁ ରାତି ୭ଟା ୨୦ରେ ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲା।
ଏଇଥିପାଇଁ ଯେ ଶ୍ରୀନଅରଠାରେ ଗଜପତି ମହାରାଜା ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ କରିଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ମଧ୍ୟସ୍ଥତାରେ ନବଦିନାତ୍ମକ ଯାତ୍ରା ସାରି ଫେରୁଥିବା ମହାପ୍ରଭୁଙ୍କୁ ଆଜି ମା’ ଲକ୍ଷ୍ମୀ ସାଆନ୍ତାଣୀ ଭେଟିଥିଲେ। ନୀଳାଦ୍ରି(ଶ୍ରୀମନ୍ଦିର) ବିଜେ ପୂର୍ବରୁ ଆଜି ଆଜ୍ଞାମାଳ ଦେଇ ଅଭିମାନିନୀ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ଉଦ୍ୟମ ଆରମ୍ଭ କରିଥିଲେ ମହାପ୍ରଭୁ। ଶ୍ରୀନଅରଠାରେ ରଥ ଉପର ଏହି ସ୍ବତନ୍ତ୍ର ନୀତିକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରତ୍ୟକ୍ଷ କରିଥିଲେ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ବିବାହ ପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ନ ଜଣାଇ ବଡ଼ଭାଇ ଶ୍ରୀବଳଭଦ୍ର ଓ ସାନ ଭଉଣୀ ମା’ ସୁଭଦ୍ରାଙ୍କୁ ଧରି ମହାପ୍ରଭୁ ଶ୍ରୀ ଜଗନ୍ନାଥ ନଅଦିନ ଶ୍ରୀଗୁଣ୍ଡିଚା ଯାତ୍ରା ବା ଜନ୍ମବେଦିକୁ ଚାଲି ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହେରାପଞ୍ଚମୀରେ ଠାକୁରାଣୀ ଯାଇଥିଲେ ଶ୍ରୀଗୁଣ଼୍ଡିଚା ମନ୍ଦିର। ହେଲେ ସେଠାରେ ପ୍ରଭୁଙ୍କ ସହିତ ତାଙ୍କର ଭେଟ ନ ହୋଇ ଅଭିମାନରେ ଫେରିଥିଲେ ମାଆ। ହେଲେ ନଅ ଦିନ ଧରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା’ ଲକ୍ଷ୍ମୀ ଆଜି ମା’ ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ।