ଶ୍ରୀଜିଉଙ୍କ ସୁନାବେଶ ଆଜି; ଅପରାହ୍ଣ ୪ରୁ ବେଶ ଲାଗି, ରାତି ୧୦ରେ ଓଲାଗି

୬ ଘଣ୍ଟା ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ରବିବାର ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ପରେ ସିଂହଦ୍ବାରରେ ସୁନାବେଶରେ ଦର୍ଶନ ଦେବେ ରଥାରୁଢ଼ ଶ୍ରୀଜିଉ। ଶ୍ରୀଜିଉ ରତ୍ନଖଚିତ ମହଣ ମହଣ ସୁନାର ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ। ସୁନାର କିରୀଟ, କୁଣ୍ଡଳ, ବାହାଡ଼ାମାଳି, ତାବିଜମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣରେ ଆଭୂଷିତ ହେବେ ମହାବାହୁ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହେବା ସହ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ସେହିଭଳି ଆସନ୍ତାକାଲି ହରିଶୟନ ନୀତି ଅନୁଷ୍ଠିତ ହେବ।

ତଥାପି ରଥଯାତ୍ରା, ବାହୁଡ଼ାଯାତ୍ରା ଭଳି ସୁନାବେଶରେ ବି ସଅଳ ବେଶଲାଗି ଓ ଓଲାଗି କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରାହ୍ଣ ୫ଟା ଧାର୍ଯ୍ୟ ସମୟ ଥିଲେ ବି ଦିନ ୩ଟାରୁ ସୁନାବେଶ ଲାଗି ଆରମ୍ଭ ହେବାର ସମ୍ଭାବନା ରହିଛି। କିନ୍ତୁ ବିଳମ୍ବିତ ରାତି ସୁଦ୍ଧା ସୁନାବେଶ ଦର୍ଶନ କେଉଁଭଳି ରହିବ, ପ୍ରଶାସନ ସ୍ପଷ୍ଟ କରିନି। ତଥାପି ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ପକାଇବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ଲକ୍ଷ୍ୟ ରଖିଛି।ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ। ସକାଳ ୭ଟାରେ ମଇଲମ ଓ ତଡ଼ପଲାଗି, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ଅପରାହ୍ଣ ଗୋଟାଏରେ ଯାତ୍ରାଙ୍ଗୀ ମହାସ୍ନାନ ଓ ସର୍ବାଙ୍ଗ, ସାଢ଼େ ଗୋଟାଏରେ ବେଶ ଶେଷ, ଅପରାହ୍ଣ ୨ଟାରୁ ୩ଟା ଭିତରେ ମଧ୍ୟାହ୍ଣଧୂପ, ଅପରାହ୍ଣ ସାଢ଼େ ୩ଟାରେ ମଇଲମ, ଅପରାହ୍ଣ ସାଢ଼େ ୪ଟାରେ ମେକାପ ସର୍ବାଙ୍ଗ ନୀତି ଅନୁଷ୍ଠିତ ହେବ।

ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ତିନି ଠାକୁରଙ୍କୁ ସୁନାବେଶ ଶେଷ ହେବ। ରାତି ୮ଟାରୁ ୯ଟା ସଂଧ୍ୟାଧୂପ, ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତି ୧୦ଟାରୁ ୧୧ଟା ସୁନାବେଶ ଓଲାଗି, ସାଢ଼େ ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡ଼ସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ, ୧୨ଟା ୪୫ରେ ମଇଲମ, ରାତି ୧ଟାରେ ମହାସ୍ନାନ ପୂଜାଠା, ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ, ଗୋଟାଏ ୪୦ରେ ମହାସ୍ନାନ ‌ଶେଷ, ଗୋଟାଏ ୫୦ରେ ମଇଲମ, ୨ଟା ୧୦ରେ ଚନ୍ଦନଲାଗି, ୩ଟାରେ ବଲ୍ଲଭ ବଡ଼ସିଂହାର ବେଶ, ସାଢ଼େ ୩ଟାରେ ବଲ୍ଲଭ ବଡ଼ସିଂହାର ଭୋଗ, ୪ଟାରେ ହରିଶୟନ ନୀତି ହୋଇ ଭୋର ୪ଟାରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ। ସୁନାବେଶ ଶେଷ ପରେ ଜୁଲାଇ ୧୧ ତାରିଖରେ ଅଧରପଣା ନୀତି, ୧୨ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର