ଶାସ୍ତ୍ରୀୟ ସଂଗୀତରେ ଉଲ୍ଲେଖନୀୟ ଅବଦାନ ଲାଗି ପ୍ରଦାନ କରାଯିବ ‘ସୁନନ୍ଦା ସମ୍ମାନ’, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞ  ସୁନନ୍ଦା ପଟ୍ଟନାୟକଙ୍କ ନାମରେ ରାଜ୍ୟର ସଫଳ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କୁ ଏକ ସ୍ବତନ୍ତ୍ର ପୁରସ୍କାର ଦିଆଯିବ। ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ । ଶାସ୍ତ୍ରୀୟ ସଂଗୀତ ପାଇଁ ଦିଆଯାଉଥିବା ଏହି ପୁରସ୍କାରର ନାମ  ‘ସୁନନ୍ଦା ସମ୍ମାନ’ ରଖାଯାଇଛି । ପୁରସ୍କାର ବାବଦରେ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନନ୍ଦା ସମ୍ମାନ’କୁ ଆଜି  ଅନୁମୋଦନ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତର ସୁନାମଧନ୍ୟ ଶାସ୍ତ୍ରୀୟ ସଂଗୀତଜ୍ଞ ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ସୁନନ୍ଦା ସମ୍ମାନ ଓ ଚେୟାର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ  । ସଂଗୀତ ସମ୍ରାଜ୍ଞୀ ସୁନନ୍ଦାଙ୍କ ପରଲୋକ ପରେ  ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୁନନ୍ଦା ପଟ୍ଟନାୟକଙ୍କ  ଅମ୍ଳାନ ସ୍ମୃତିରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ରାଜ୍ୟର ଜଣେ ବିଶିଷ୍ଟ ସଂଗୀତଜ୍ଞଙ୍କୁ ‘ସୁନନ୍ଦା ସମ୍ମାନ’ ପ୍ରଦାନ କରାଯିବ । ଏହାସହ ଶାସ୍ତ୍ରୀୟ ସଂଗୀତରେ ଉଚ୍ଚତର ଗବେଷଣା ଓ ଶିକ୍ଷାପାଇଁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍’ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା ହୋଇଛି। ଏହାବାଦ୍ ପୁରୀ ଓ କଟକରେ ଥିବା ତାଙ୍କ ବାସଭବନକୁ ତାଙ୍କ ପରିବାର ଲୋକଙ୍କ ଅନୁମତିକ୍ରମେ ସ୍ମୃତି ସଦନ ଭାବେ ବିକଶିତ କରାଯିବ।

ସମ୍ବନ୍ଧିତ ଖବର