ଶେରଗଡ଼: ଗଞ୍ଜାମ ଜିଲ୍ଲା ‌ଶେରଗଡ଼ ଥାନା ଅଧୀନ ସୁନାନ୍ତର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ଗତ ୨୪ ତାରିଖ ରାତିରେ ଘମାଘୋଟ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ପରସ୍ପରକୁ ଠେଙ୍ଗା ଓ କୁରାଢ଼ିରେ ଆକ୍ରମଣ କରିବାରୁ ୧୦ ଜଣ ଆହତ ହୋଇଥିଲେ। ଅମର ଜେନା, ବିକାଶ ଜେନା, ସୁଧୀର ଗୌଡ଼, ନକୁଳ ଗୌଡ଼, ମିଟୁ ବେହେରା ଏବଂ ଗନ୍ତାୟତ ଗୌଡ଼ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠା ଯାଇଥିଲା।
ତେବ‌େ ଗତକାଲି ରାତିରେ ସୁନାନ୍ତର ଗ୍ରାମର ଗନ୍ତାୟତ ଗୌଡ଼ଙ୍କ ଏତଲା କ୍ରମେ କେସ୍ ନମ୍ବର ୨୧୬ ଅନୁସାରେ ମାମଲା ରୁଜୁ ସହ ଗୋଟିଏ ଗୋଷ୍ଠୀର ୧୩ ଜଣ ଯୁବକଙ୍କୁ ଗିରଫ କରା ଯାଇଥିଲା।

Advertisment

ଏହାର ପ୍ରତିବାଦ କରି ଶତାଧିକ ଗ୍ରାମବାସୀ ସୁନାନ୍ତର ଗ୍ରାମ ଛକରେ ଏକାଠି ହୋଇଥିଲେ। ପୁରୁଷମାନେ ନିଆଁ ଜାଳି ରାସ୍ତାରୋକ କରିଥିବା ବେଳେ ମହିଳାମାନେ ଶେରଗଡ଼ ଥାନା ଘେରାଉ କରିଥିଲେ। ଫଳରେ ପରିସ୍ଥିତି ଅଶାନ୍ତ ହୋଇ ଉଠିଥିଲା। ସକାଳ ୭ଟାରୁ ଅପରାହ୍‌ଣ ୨ଟାଯାଏ, ଦୀର୍ଘ ୭ ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ‌ହୋଇଯାଇଥି‌ଲା। ଗଣ୍ଡଗୋଳରେ ସଂପୃକ୍ତି ନଥିବା କିଛି ଯୁବକଙ୍କୁ ପୁଲିସ ଉଦ୍ଦେଶ୍ୟମୂଳକ ଗିରଫ କରିଛି ବୋଲି ଗ୍ରାମବାସୀ ଭଅିଯୋଗ କରିଥିଲେ। ତୁରନ୍ତ ସେମାନଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ସେପଟେ ମହିଳାମାନଙ୍କ ଥାନା ଘେରାଉ ଯୋଗୁଁ ଅଚଳାବସ୍ଥା ଦେଖାଦେଇଥିଲା।

publive-image

ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ସୋରଡ଼ା ଥାନାଧିକାରୀ ରମେଶ ଚନ୍ଦ୍ର ପ୍ରଧାନ, ବଡଗଡ଼ ଥାନାଧିକାରୀ ସୁରଜ କୁମାର ଝାଙ୍କର, ଧରାକୋଟ ଥାନାଧିକାରୀ ମମତା କୁମାରୀ ସାମନ୍ତରାୟ, ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ, ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ, କୋଦଳା ଥାନାଧିକାରୀ ଉମାକାନ୍ତ ସାହୁ ଓ ଶେରଗଡ଼ ଥାନାଧିକାରୀ ମନୋଜ କୁମାର ପ୍ରଧାନ ପ୍ରମୁଖ ଫୋର୍ସ ସହ ଉପସ୍ଥିତ ଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଅପରାହ୍‌ଣ ୨ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଏହାସହ ଗୋଟିଏ ଗୋଷ୍ଠୀର ୧୩ ଜଣ ଅଭିଯୁକ୍ତ ନିରଞ୍ଜନ ଜେନା, ଆଲୋକ ଜେନା, ସୁଶାନ୍ତ ଜେନା, ଶିବରାମ ନାହାକ, ନିରଞ୍ଜନ ବରାଡ଼, ସୁଦାମ ବରାଡ଼, ରାଜୀବ ଜେନା, କାହ୍ନୁ ଜେନା, ଟୁକୁନା ଜେନା, ସୁନିଲ ଦାସ, ପଥରପୁଞ୍ଜି ଗ୍ରାମର ଦୁଃଖା ସ୍ୱାଇଁ ଓ ଗୋବିନ୍ଦପୁର ଗ୍ରାମର ମହେନ୍ଦ୍ର ଜେନାକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇଦିଆଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ସୁନାନ୍ତର ଗ୍ରାମର ଆଲୋକ ଜେନାଙ୍କ ପାଲଟା ଏତଲାକୁ ଭିତ୍ତି କରି ଆଉ ଗୋଟିଏ ମାମଲା ରୁଜୁ ହୋଇଛି। ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଏସିଡିପିଓ ଶ୍ରୀ ସିଂହ କହିଛନ୍ତି।