୭.୫୮ କୋଟିରେ ବ୍ଲୁ-ଫ୍ଲାଗ୍‌ ବିଚ୍‌ ହେବ ସୁନାପୁର, କାମ ହାତକୁ ନେଇଛି ‘ସିକମ୍‌’

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଗୋପାଳପୁର ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଅନ୍ୟତମ ପର୍ଯ୍ୟଟନସ୍ଥଳୀ ତାମ୍ପରାକୁ ମଧ୍ୟ ଏକ ନୂଆରୂପ ଦିଆଯାଇଛି। ଠିକ୍‌ ସେହିପରି ଜିଲ୍ଲାରେ ଥିବା ଅନ୍ୟ ଦୁଇଟି ବେଳାଭୂମି ସୁନାପୁର ଓ ହରିପୁରର ଉନ୍ନତୀକରଣ ଏବଂ‌ ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏହି ଦୁଇଟି ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଠାରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ସହିତ ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଯିବ। ଏଥିପାଇଁ କାମ ଆରମ୍ଭ ହୋଇଛି। କେନ୍ଦ୍ର ସରରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜରିଆରେ କାମ ଆରମ୍ଭ ହୋଇଛି।

ପ୍ରାଥମିକ ପର୍ଯ୍ୟାୟରେ ସୁନାପୁର ବେଳାଭୂମିର ଉନ୍ନୟନମୂଳକ କାମ ଆରମ୍ଭ ହୋଇଛି। ଏଥିପାଇଁ ୭କୋଟି ୫୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ତିଆରି ହୋଇଥିବା କୋଷ୍ଟାଲ୍‌ ସୋସାଇଟି ‘ସିକମ୍‌’ ଏହି କାମ ହାତକୁ ନେଇଛି। ସିକମ୍‌ ଏହି କାମ ପାଇଁ ଟେଣ୍ଡର୍‌ ଆହ୍ବାନ କରାଯାଇଛି। ଏକ ଘରୋଇ ସଂସ୍ଥା ବେଳାଭୂମିରେ ଉନ୍ନୟନମୂଳକ କାମ ଜାରି ରଖିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନର ବିଚ୍‌ ମ୍ୟାନେଜମେଣ୍ଟ୍‌ କମିଟି ଓ ବନ ବିଭାଗ ଏହି କାମ ପାଇଁ ସମ୍ପୃକ୍ତ ସଂସ୍ଥାକୁ ମାର୍ଗଦର୍ଶନ କରୁଛନ୍ତି ବୋଲି ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକ କହିଛନ୍ତି। ପର୍ଯ୍ୟଟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଶୌଚାଳୟ ଓ ବେଳାଭୂମିରେ ବାଥିଂଜୋନ୍‌ ନିର୍ମାଣ କରାଯିବ। ସେହିପରି ଚାଲିବା ପାଇଁ ଫୁଟ୍‌ପାଥ୍‌, ଆଲୋକୀକରଣ ବ୍ୟବସ୍ଥା, କାଫେ ଓ ୱାଟର୍‌ ପାର୍କ ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୋନାପୁର ବେଳାଭୂମିରେ ଫୁଟ୍‌ପାଥ୍‌ କାମ ଜାରି ରହିଛି। ପର୍ଯ୍ୟାୟ କ୍ରମେ ଅନ୍ୟ କାମ କରାଯିବ ବୋଲି ସୂଚନା ମିଳିଛି।

ଗଞ୍ଜାମ ଜିଲ୍ଲାରେ ପ୍ରାୟ ୬୦ କିଲୋମିଟର୍‌ ପରିବ୍ୟାପ୍ତ ସୁଦୀର୍ଘ ବେଳାଭୂମି ରହିଛି। ଏହା ମଧ୍ୟରେ ଥିବା ଗୋପାଳପୁର, ହରିପୁର ଓ ସୋନାପୁର ବେଳାଭୂମି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ଗୋପାଳପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପାଇଁ ବିଗତ ବର୍ଷରେ ଉଦ୍ୟମ ହୋଇଥିଲା। ଏପରିକି ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ଗୋପାଳପୁର ବେଳାଭୂମି ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସେଠାରେ ରହୁଥିବା ମତ୍ସ୍ୟଜୀବୀଙ୍କୁ ଉଠାଇବାକୁ ନିଷ୍ପତ୍ତି ହୋଇଥିଲା। ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଚାଲିଯିବା ଭୟ ରହିଥିବାରୁ ସେମାନେ ଏହାକୁ ବିରୋଧ କରିଥିଲେ। ଫଳରେ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପାଇଁ କାମ ଆରମ୍ଭ ହୋଇପାରି ନଥିଲା। ପରବର୍ତ୍ତୀ ସମୟରେ ଗୋପାଳପୁର ବେଳାଭୂମି ନିକଟସ୍ଥ ଛତ୍ରପୁର ବ୍ଲକ୍‌ ଅଧୀନସ୍ଥ ହରିପୁର ଓ ଚିକିଟି ବ୍ଲକ୍‌ ଅଧୀନସ୍ଥ ସୋନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ସ୍ତରର ବେଳାଭୂମି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ସୋନାପୁର ବେଳାଭୂମିରେ କାମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର