ସୁନ୍ଦରଗଡ଼ ଗୁଳିକାଣ୍ଡ: ପୁଲିସର ତନାଘନା, ବର୍ଷେ ତଳେ ବି ଫୁଟିଥିଲା ଗୁଳି

ସୁନ୍ଦରଗଡ଼: ଶୁକ୍ରବାର ରାତି ୯ଟାରେ ସୁନ୍ଦରଗଡ଼ ସହର ମହନ୍ତିଆପଡା ନିକଟ ପିଏସଆର ସିନେମା ହଲ ସାମ୍ନାରେ ସଂଘଟିତ ଗୁଳିକାଣ୍ଡକୁ ୨୪ ଘଣ୍ଟା ବିତିଲା। ଏଯାଏ ପୁଲିସ ହାତରେ ପଡ଼ି ନାହାନ୍ତି ହତ୍ୟାକାରୀ। ଯଦିଓ ଅଭିଯୁକ୍ତମାନେ ଚିହ୍ନଟ ହୋଇସାରିଥିବା ପୁଲିସ କହୁଛି। ତେବେ ଘଟଣାସ୍ଥଳ ନିକଟରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ ଦୃଶ୍ୟ ଅନୁସାରେ, କେହି ପେସାଦାର ଅପରାଧୀ ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଗୁଳିରେ ମୃତ ମହନ୍ତିଆପଡ଼ାର ମୁରାରୀ ତନ୍ତୀ ଶୁକ୍ରବାର ରାତି ସାଢ଼େ ୮ଟାରେ ନିଜ ସ୍କୋର୍ପିଓରୁ ପିଏସଆର ସିନେମା ହଲ ନିକଟରେ ଓହ୍ଲାଇ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।

ଡ୍ରାଇଭର ଗାଡ଼ି ଧରି ରାସ୍ତା କଡ଼ରେ ଅପେକ୍ଷା କରିଥିଲେ। ଅଧ ଘଣ୍ଟା ପରେ ମୁରାରୀ ସମ୍ପର୍କୀୟଙ୍କ ଘରୁ ଚାଲି ଚାଲି ଗାଡ଼ି ପାଖକୁ ଆସୁଥିବା ବେଳେ ରାସ୍ତା ମଝିରେ ଜଣେ ଦୁର୍ବୃତ୍ତ ତାଙ୍କର ଅତି ନିକଟକୁ ଯାଇ ଗୁଳି ଚଳାଇଥିଲେ। ଗୁଳିଟି ତାଙ୍କ ଥୋଡିରେ ଲାଗିଥିଲା, ସେ ଟଳି ପଡ଼ିଥିଲେ। ଏହା ପରେ ଦୁର୍ବୃତ୍ତ ତାଙ୍କ ଚାରିପଟେ ଘୂରି ବୁଲିବା ସହ ସ୍କୋର୍ପିଓ ପାଖକୁ ଆସି ଡ୍ରାଇଭରକୁ ବନ୍ଧୁକ ଦେଖାଇଥିଲେ। ଡ୍ରାଇଭର ଭୟରେ ଆଗକୁ ଗାଡ଼ି ନେଇ ଯାଇଥିଲା। ଏପଟେ ଦୁର୍ବୃତ୍ତ ଜଣକ ରାସ୍ତାରେ ନିଶ୍ଚଳ ହୋଇ ପଡ଼ିଥିବା ମୁରାରୀ ପାଖକୁ ଫେରି ଆସି ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପୁଣି ଗୁଳି ଫୁଟାଇଥିଲେ।

ଏହି ସମୟରେ ରାସ୍ତା ଦେଇ ଗାଡ଼ି ମଟର ଯାତାୟାତ କରୁଥିଲେ ମଧ୍ୟ ହତ୍ୟାକାରୀ ନିର୍ଭୀକ ଭାବେ ହତ୍ୟା କରି ଚାଲି ଯାଇଥିଲା। ପରିବାର ଲୋକେ ପୂର୍ବ ଶତ୍ରୁତାରୁ ଘଟଣା ଘଟିଥିବା କହୁଛନ୍ତି। ମୃତକଙ୍କ ପୁତୁରା ପଡ଼ୋଶୀ ସହ ୨୦୧୨ରୁ ଥିବା ଗଣ୍ଡଗୋଳ ଥିବା ଓ ୨୦୧୨ରେ ଏହାକୁ ନେଇ ଗୁଳି ଚାଳନା ହୋଇଥିବା ପ୍ରକାଶ କରିଛନ୍ତି। ତେବେ ଜମି କିଣାବିକା ବିବାଦକୁ ନେଇ କୌଣସି ବ୍ୟକ୍ତି ପେସାଦାର ଅପରାଧୀଙ୍କୁ ଲଗାଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସହରରେ ଚର୍ଚ୍ଚା ହେଉଛି। ଏସପି ସାଗରିକା ନାଥଙ୍କ ତତ୍ତ୍ବାବଧାନରେ ପୁଲିସ ବିଭିନ୍ନ ଦିଗକୁ ତଦନ୍ତ କରି ହତ୍ୟାକାରୀମାନଙ୍କୁ ଧରିବାକୁ ତନାଘନା ଚଲାଇଛି।

ସମ୍ବନ୍ଧିତ ଖବର