କେନ୍ଦ୍ରୀୟ ଟିମ୍‌ ଭୟରେ ଗୋଦାମ ଖାଲି; ଚାଉଳ ଆଣିବାକୁ ମିଲର୍ସଙ୍କୁ ମନା, ସୁନ୍ଦରଗଡ଼ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ

ସୁନ୍ଦରଗଡ଼ : ସୁନ୍ଦରଗଡ଼ଜିଲ୍ଲା‌ରେ ଯୋଗାଣ ବିଭାଗର କର୍ମଚାରୀମାନେ ଏବେ ଗୋଟିଏ କାମରେ ଦିନରାତି ଏକ କରୁଥିବାର ସୂଚନା ମିଳିଛି। ଜିଲ୍ଲାର ଅନେକ ଚାଉଳ ସଂଗ୍ରହ କେନ୍ଦ୍ର ବା ଗୋଦାମକୁ ଖାଲି କରି ଦିଆଯାଇଛି। ଏହା ସହ ମିଲ୍‌ରୁ ଗୋଦାମକୁ ଚାଉଳ ଆଣିବାକୁ ମନା କରି ଦିଆଯାଇଛି। ଏହାର କାରଣ ହେଉଛି କେନ୍ଦ୍ରୀୟ ଟିମ୍‌ର ସମ୍ଭାବ୍ୟ ଯାଞ୍ଚ ଭୟ। ବହୁ ସମୟରେ ମିଲର୍ସଙ୍କ ସହ ଯୋଗାଣ ବିଭାଗର ବଡ଼ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଖାଉଟିଙ୍କୁ ନିମ୍ନମାନର ଚାଉଳ ଯୋଗାଣ ହେଉଥିବା ଅଭିଯୋଗ ହୋଇଥାଏ। ଏହିକ୍ରମରେ ଫେବ୍ରୁଆରି ୮ ତାରିଖରୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବିତରଣ ବିଭାଗ ସହକାରୀ ନିର୍ଦ୍ଦେଶକ ପ୍ରୀତି ଶୁକ୍ଳାଙ୍କ ନେତୃତ୍ବରେ ଏକ ୨୨ ଜଣିଆ କେନ୍ଦ୍ରୀୟ ଟିମ୍ ସମ୍ବଲପୁର ଓ ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ପଶ୍ଚିମଓଡ଼ିଶାର ୯ଟି ଜିଲ୍ଲାର ଚାଉଳର ଗୁଣାତ୍ମକମାନ ଏବଂ ବିତରଣ ବ୍ୟବସ୍ଥାର ଯାଞ୍ଚ ଚଲାଇଛନ୍ତି।

ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ), ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି) ରାଇସ ମିଲ, ରାସନ ଦୋକାନ ବୁଲି ନମୁନା ସଂଗ୍ରହ କରୁଛନ୍ତି। ତେବେ ୯ଟି ଜିଲ୍ଲା ବ୍ୟତୀତ ସୁନ୍ଦରଗଡ଼କୁ ମଧ୍ୟ ଟିମ୍ ଆସି ଯାଞ୍ଚ କରିବେ ବୋଲି ସୂଚନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଯୋଗାଣ ବିଭାଗ କର୍ମଚାରୀଙ୍କ ଦ୍ବିତୀୟ ଶନିବାର ଓ ରବିବାର ଛୁଟିଦିନକୁ ବାତିଲ କରାଯାଇଛି। ଖାଲି ସେତିକି ନୁହେଁ, କେନ୍ଦ୍ରୀୟ ଟିମ୍‌ରେ ସମ୍ଭାବ୍ୟ ଯାଞ୍ଚ ଭୟରେ ଜିଲ୍ଲାର ୮ଟି ଚାଉଳ ସଂଗ୍ରହ କେନ୍ଦ୍ରରୁ କିଛି କେନ୍ଦ୍ର ବା ଗୋଦାମକୁ ଖାଲି କରି ଦିଆଯାଇଛି। ଏହା ସହ ମିଲରୁ ଗୋଦାମକୁ ଚାଉଳ ଆଣିବାକୁ ମନା କରି ଦିଆଯାଇଛି। ସୂଚନାକ୍ରମେ, ରାଣୀବନ୍ଧ ଆରଆରସିକୁ ଗତ ଦୁଇ ଦିନ ତଳେ ଖାଲି କରି ଦିଆଯାଇଛି ଓ ୯ ତାରିଖରୁ ମିଲରୁ ବସ୍ତାଏ ବି ଚାଉଳ ଗ୍ରହଣ କରାଯାଇ ନାହିଁ।

ରାଉରକେଲା ଏସଟିଆଇ ଛକ ଗୋଦାମରେ ମାତ୍ର ୨୦ ବ୍ୟାଗ ବା ୯ କ୍ବିଣ୍ଟାଲ ଚାଉଳ ରହିଛି। ଏଠାରେ ୧୦ରୁ ୧୨ ତାରିଖ ମଧ୍ୟରେ ମାତ୍ର ୨୮୯ କ୍ବିଣ୍ଟାଲ ଲେଖାଏଁ ଚାଉଳ ଗ୍ରହଣ କରାଯାଇଛି। ତେଲିଯୋରରେ ୮୦୨୮ ବ୍ୟାଗ ବା ୪୦୨୯ କ୍ବିଣ୍ଟାଲ ଚାଉଳ ଗଚ୍ଛିତ ଥିବା ବେଳେ ୧୦ ତାରିଖରେ ମାତ୍ର ୫୭୭ କ୍ବିଣ୍ଟାଲ ଚାଉଳ ଗ୍ରହଣ କରାଯାଇଛି। କିନ୍ତୁ ଅନ୍ୟ ଦୁଇ ଦିନ ଅର୍ଥାତ ୧୧ ଓ ୧୨ ତାରିଖରେ ମିଲରୁ ଚାଉଳ ଗ୍ରହଣ କରାଯାଇ ନାହିଁ। ରାଉରକେଲା ଆରଆରସି, ଏଫସିଆଇରେ ୨୩୫ ବ୍ୟାଗ ବା ୧୧୭ କ୍ବିଣ୍ଟାଲ ଚାଉଳ ରହିଛି। ଏଠାରେ ୧୦ ତାରିଖରେ ୫୭୭ କ୍ବିଣ୍ଟାଲ, ୧୧ରେ ୮୬୬ କ୍ବିଣ୍ଟାଲ ଓ ୧୨ରେ ୫୭୭ କ୍ବିଣ୍ଟାଲ ଚାଉଳ ଗ୍ରହଣ କରାଯାଇଛି। ତେବେ ହେମଗିର ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ରେ ୧୨ ତାରିଖ ସୁଦ୍ଧା ୨୪୫୧୫ ବ୍ୟାଗ ବା ୧୨୨୪୮ କ୍ବିଣ୍ଟାଲ ଚାଉଳ ଗଚ୍ଛିତ ରହିଥିବା ବେଳେ ଏଠାରେ ମିଲରୁ ୧୦ ତାରିଖରେ ୫୭୯ କ୍ବିଣ୍ଟାଲ, ୧୧ରେ ୫୭୯ ଓ ୧୨ରେ ୨୮୯ କ୍ବିଣ୍ଟାଲ ମାତ୍ର ଚାଉଳ ଗ୍ରହଣ କରାଯାଇଛି।

କୁତ୍ରା ଓଏସଡବ୍ଲ୍ୟୁସିରେ ୪୬୮୬୩ ବ୍ୟାଗ ବା ୨୩୩୯୩ କ୍ବିଣ୍ଟାଲ ରହିଛି। ଏଠାରେ ୧୦ ଓ ୧୧ ତାରିଖରେ ୫୭୯ କ୍ବିଣ୍ଟାଲ ଲେଖାଏଁ ଚାଉଳ ଗ୍ରହଣ କରାଯାଇଥିବା ବେଳେ ୧୨ ତାରିଖରେ ରାଇସ ମିଲରୁ ଚାଉଳ ଆସି ନାହିଁ। ଉଜ୍ବଳପୁର ଗୋଦାମରେ ୫୬୭୭୦ ବ୍ୟାଗ ବା ୨୮୨୬୮ କ୍ବିଣ୍ଟାଲ ଗଚ୍ଛିତ ଥିବା ବେଳେ ୧୦ରେ ୨୮୯ କ୍ବିଣ୍ଟାଲ, ୧୧ରେ ଶୂନ ଓ ୧୨ରେ ୮୬୮ କ୍ବିଣ୍ଟାଲ ଚାଉଳ ଗ୍ରହଣ କରାଯାଇଛି। ବେଦବ୍ୟାସ ଗୋଦାମରେ ୯୨୫ ବ୍ୟାଗ ବା ୪୬୬ କ୍ବିଣ୍ଟାଲ ଚାଉଳ ରହିଛି। ଏଠାରେ ୧୦ରେ ୧୭୩୯ କ୍ବିଣ୍ଟାଲ, ୧୧ରେ ୮୬୯, ୧୨ରେ ୨୦୨୯ କ୍ବିଣ୍ଟାଲ ଚାଉଳ ଗ୍ରହଣ କରାଯାଇଛି। ତେବେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ‘ଯାଞ୍ଚ ପାଇଁ କେନ୍ଦ୍ରୀୟ ଟିମ୍ ଆସିବେ, କିନ୍ତୁ କେବେ ଆସିବେ ସେ ସମ୍ପର୍କରେ ଆମ ପାଖରେ କିଛି ସୂଚନା ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର