ବଞ୍ଚିବନି କହି ଅସ୍ତ୍ରୋପଚାରକୁ ନା କଲେ ଏସ୍‌ସିବି ଡାକ୍ତର, ଭେଣ୍ଡିଆ ଭିନ୍ନକ୍ଷମ ପୁଅକୁ ଧରି କାନ୍ଦୁଛନ୍ତି ବାପାମା’

ସୁନ୍ଦରଗଡ଼ : ଆଖିକୁ ଦିଶୁନି। ସେପଟେ ସ୍ନାୟୁଗତ ରୋଗ। ଚଲାବୁଲା ତ ଦୂରର କଥା, ଡାକ୍ତରଖାନା ଶଯ୍ୟାରୁ ଉଠିପାରୁନି ଭେଣ୍ଡିଆ ପୁଅ ରୋହିତ। ଅସ୍ତ୍ରୋପଚାର କଲେ ଭଲ ହୋଇଯିବ ବୋଲି କହିବାରୁ ସୁନ୍ଦରଗଡ଼ରୁ କଟକ ଏସ୍‌ସିବି ଡାକ୍ତରଖାନାକୁ ନେଇଥିଲେ ଗରିବ ବାପାମା’। ୨୦ ଦିନ ସେଠାରେ ରହିବା ପରେ ରୋଗୀ ଆଉ ବଞ୍ଚିବନି କହି ଡାକ୍ତର ଅସ୍ତ୍ରୋପଚାରକୁ ନା କରି ଦେଇଛନ୍ତି। ଡାକ୍ତରଙ୍କ ଶେଷବାଣୀ ଦମ୍ପତିଙ୍କ ମୁଣ୍ଡରେ ଚଡ଼କ ପକାଇ ଦେଇଛି। ଔଷଧ କିଣିବାକୁ ଟଙ୍କା ନାହିଁ କି ସାହା ହେବାକୁ ପାଖରେ କେହି ନାହିଁ। ଦୂର ସହରରେ କୁଆଡ଼େ ଯିବେ, କାହାକୁ କହିବେ? ଡାକ୍ତରଖାନା ଶଯ୍ୟାରେ ମରଣ ସହ ଯୁଝୁଥିବା ପୁଅକୁ ଦେଖି ଅସହାୟ ବାପାମା’ ମୁଣ୍ଡକୋଡ଼ି କାନ୍ଦୁଛନ୍ତି।

ପୁଅର ଚିକିତ୍ସା ପାଇଁ ବିକଳ ହେଉଥିବା ଏହି ଅସହାୟ ବାପାମା’ ହେଲେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଭକ୍ତିପ୍ରସାଦ ବାର୍ଲା ଓ ସୁଶୀଳା। ସେମାନଙ୍କ ଏକମାତ୍ର ପୁଅ ରୋହିତ ଦୃଷ୍ଟିବାଧିତ। କୁଲିମଜୁରି କରି କଷ୍ଟେମଷ୍ଟେ ପରିବାର ଚଲାଉଥିବା ଭକ୍ତିପ୍ରସାଦଙ୍କ ମୁଣ୍ତରେ ବଜ୍ର ପଡ଼ିଲା, ଯେଉଁଦିନ ଭେଣ୍ଡିଆପୁଅ ସ୍ନାୟୁରୋଗରେ ଆକ୍ରାନ୍ତ ହୋଇ ଖଟରୁ ଉଠି ପାରିଲାନି। ସେ ପୁଅକୁ ତୁରନ୍ତ ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥି‌ଲେ। ସେଠାରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ବୁର୍ଲା ନେଇଯିବାକୁ ପରାମର୍ଶ ଦେଇଥିଲେ। ଗରିବ ବାପାମା’ ଧାରକରଜରେ କିଛି ଟଙ୍କା ସଂଗ୍ରହ କରି ପୁଅକୁ ବୁର୍ଲା ନେଇଥିଲେ। ବୁର୍ଲାରେ କିଛିଦିନ ରଖିବା ପରେ ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ କହିଲେ। ଠିକ୍‌ ଏହି ସମୟରେ ବୁର୍ଲା ହସ୍ପିଟାଲରେ ଯୁବ ସ୍ବେଚ୍ଛାସେବୀ ଚତୁର୍ଭୁଜ ଗର୍ଡ଼ିଆଙ୍କ ନଜର ଅସହାୟ ବାପାମାଙ୍କ ଉପରେ ପଡ଼ିଥିଲା। ସେ ସବୁ କଥା ଶୁଣି କଟକ ନେବାରେ ସାହାଯ୍ୟ କରିଥିଲେ। ୨୦ ଦିନ ତଳେ ରୋହିତଙ୍କୁ କଟକ ନିଆଯାଇଥିଲା। ସେଠାରେ ନ୍ୟୁରୋ ସର୍ଜରି ୱାର୍ଡରେ ତାଙ୍କୁ ଭର୍ତ୍ତିକରି ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର। ଅସ୍ତ୍ରୋପଚାର କରାଯିବ ବୋଲି କହିଥିଲେ ଡାକ୍ତର। କିନ୍ତୁ ୧୫ ଦିନ ପ‌ରେ ସିଟିସ୍କାନ୍‌, ଏମ୍‌ଆରଆଇ ପରୀକ୍ଷା କରାଇ ସେଥିର ରିପୋର୍ଟ ଆସିବା ପରେ ହଠାତ୍‌ ‘ ପୁଅ ଆଉ ବଞ୍ଚିବନି, ଅସ୍ତ୍ରୋପଚାର କରି ଲାଭନାହିଁ, ଘରକୁ ନେଇଯାଅ’ ବୋଲି ଡାକ୍ତର କହିଥିବା ଭକ୍ତିପ୍ରସାଦ ପ୍ରକାଶ କରିଛନ୍ତି। ଏହାପରେ ଡାକ୍ତର ଆଉ ପୁଅକୁ ଦେଖିବାକୁ ଆସୁନାହାନ୍ତି। ୩ ଦିନ ହେଲା ପୁଅ ସେମିତି ବିନା ଚିକିତ୍ସାରେ ପଡ଼ିରହିଛି। ଦିଦିମାନଙ୍କୁ ଡାକିଲେ ବି କେହି ଶୁଣୁନାହାନ୍ତି। ଅନ୍ୟ ଡାକ୍ତରଖାନା ନେବାକୁ ପାଖରେ ଟଙ୍କା ନାହିଁ। ଏପରିକି ଘରକୁ ଫେରାଇ ନେବାକୁ ଗାଡ଼ିଭଡ଼ା ବି ନଥିବାରୁ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି ଭକ୍ତିପ୍ରସାଦ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ମୁମୂର୍ଷୁ ରୋହିତଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ସ୍ବେଚ୍ଛାସେବୀ ଚତୁର୍ଭୁଜ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର