ରାଉରକେଲା, (ଆଶିଷ ଗଡ଼ନାୟକ): ସୁନ୍ଦରଗଡ଼ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏକ ବିଚିତ୍ର ସତ୍ୟକୁ ସାମ୍ନାକୁ ଆଣିଛି। ଜିଲ୍ଲାର ସାଂସଦ ହେଉଛନ୍ତି ବିଜେପିର ବରିଷ୍ଠ ନେତା ତଥା ଏକାଧିକ ଥର କେନ୍ଦ୍ରମନ୍ତ୍ରୀ ହୋଇଥିବା ଜୁଏଲ ଓରାମ। କେବଳ ଏତିକି ନୁହେଁ, ଜିଲ୍ଲାର ମୋଟ୍ ୭ଟି ବିଧାନସଭା ଆସନ ଭିତରୁ ୩ଟିରେ (ସୁନ୍ଦରଗଡ଼ ସଦର, ତଲସରା ଓ ବୀରମିତ୍ରପୁର)ରେ ବିଜେପି ବିଧାୟକ ଅଛନ୍ତି। କଂଗ୍ରେସ ଦଳକୁ ଦେଖିଲେ, ଜିଲ୍ଲାରେ ଏହି ଦଳର ଜଣେ ବିଧାୟକ (ରାଜଗାଙ୍ଗପୁର) ଅଛନ୍ତି। ଏହାକୁ ବିଚାରକୁ ନେଲେ, ଏହି ଜିଲ୍ଲାରେ ୭ ସାଂସଦଙ୍କ ସମେତ ୫୦%ରୁ ଅଧିକ ବିଧାୟକ ବିରୋଧୀ ଦଳମାନଙ୍କର। ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଲୋକପ୍ରିୟତା ଲହର ଚାଲିଥିବା ବେଳେ ସୁନ୍ଦରଗଡ଼ରେ ଏଭଳି ସ୍ଥିତି ଆଶ୍ଚର୍ଯ୍ୟଜନକ ଥିଲା। କିନ୍ତୁ ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳା ଏହାର ସୁଯୋଗ ନେଇ ପାରି ନାହାନ୍ତି। ବରଂ ଏହା କହିବା ଅଧିକ ସତ୍ୟ ହେବ ଯେ ଗତ ପରାଜୟକୁ ବିଜେଡ଼ି ଅତି ସହଜରେ ବିଜୟରେ ପରିବର୍ତନ କରିବାରେ ସକ୍ଷମ ହୋଇଛି।
ସୁନ୍ଦରଗଡ଼ର ମୋଟ୍ ୩୫ଟି ଜିଲ୍ଲା ପରିଷଦ ଆସନ ଭିତରୁ ୩୪ଟିର ଫଳାଫଳ ଘୋଷଣା ହୋଇ ସାରିଛି। ଏହା ଭିତରେ ୩୨ଟିରେ ବିଜେଡ଼ି ବାଜିମାତ୍ କରିଥିବାବେଳେ କେବଳ ଗୋଟିଏ ବିଜେପି ଓ ଗୋଟିଏ ସିପିଆଇ (ଏମ୍) ପକେଟକୁ ଯାଇଛି। ବିଜେଡ଼ିର ଏହି ବିଜୟଧାରାକୁ ଅଭୂତପୂର୍ବ କହିବାର ସବୁ କାରଣ ରହିଛି। କାରଣ ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ ଓରାମ, ସୁନ୍ଦରଗଡ଼ ସଦରର ବିଧାୟିକା ତଥା ଜିଲ୍ଲାର ଜଣେ ସକ୍ରିୟ ଓ ପ୍ରଗଳ୍ଭ ନେତ୍ରୀ ଭାବେ ପରିଚିତ କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ତଥା ଜଣେ ଶିକ୍ଷିତ ବିଧାୟକ ଭାବେ ପରିଚିତ କଂଗ୍ରେସର ରାଜଗାଙ୍ଗପୁର ବିଧାୟକ ଡକ୍ଟର ରାଜେନ୍ ଏକ୍କାଙ୍କ ଇଲାକାରେ ମଧ୍ୟ ବିଜେଡ଼ି ସବୁ ଆସନ ପୋଛି ନେଇଛି ବା ‘କ୍ଲିନ୍ ସୁଇପ୍’ କରିଛି। ସୁନ୍ଦରଗଡ଼ରେ ବିଜେଡ଼ିର ଏହି ଅଦ୍ଭୁତପୂର୍ବ ବିଜୟର କାରଣ ହେଉଛି, ଦଳ ଏହି ନିର୍ବାଚନକୁ ବିରୋଧୀଙ୍କ ଅପେକ୍ଷା ଅଧିକ ଗୁରୁତ୍ବ ଦେବା ସହିତ ଯୋଜନାବଦ୍ଧ ଭାବେ ଏହାର ସାମ୍ନା କରିଛି। ପଞ୍ଚାୟତ ନିର୍ବାଚନର ଅନେକ ମାସ ପୂର୍ବରୁ ବିଜେଡ଼ି ଜିଲ୍ଲାର ପ୍ରତିଟି ବିଧାନସଭା ଆସନ ପାଇଁ ଜଣେ ଜଣେ ଯୁବ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଥିଲା। ସେମାନଙ୍କ ଭିତରୁ ଅଧିକାଂଶ ଥିଲେ ବାହାର ଜିଲ୍ଲାର। ସେମାନେ ନିରପେକ୍ଷ ଭାବେ ସ୍ଥିତିର ଆକଳନ କରିବା ସହିତ ପଦକ୍ଷେପ ଗ୍ରହଣ କରି ପାରୁଥିଲେ। ଫଳରେ ଦଳକୁ ଅପ୍ରତ୍ୟାଶିତ ସଫଳତା ମିଳିଛି।
ଅପରପକ୍ଷରେ ନିଜ ଦଳର ସାଂସଦ ଓ ବିଧାୟକ ଥିଲେ ମଧ୍ୟ ଉଭୟ ବିଜେପି ଓ କଂଗ୍ରେସ ଯେଉଁଭଳି ଏ ନିର୍ବାଚନକୁ ଯାଇଥିଲେ, କୌଣସି ଜାତୀୟ ଦଳଠାରୁ ତାହା ଆଶା କରାଯାଏନାହିଁ। ଏହାକୁ ନେଇ ଉଭୟ ଦଳର କୌଣସି ଯୋଜନାବଦ୍ଧ ଆକ୍ସନw-ପ୍ଲାନ ଥିବାଭଳି ମନେ ହେଉ ନଥିଲା। ଜର୍ଜ ତିର୍କୀଙ୍କ ଭଳି ସାରା ଜିଲ୍ଲାରେ ପରିଚିତ ଓ ଲୋକପ୍ରିୟ ଲଢ଼ୁଆନେତା ଥିଲେ ମଧ୍ୟ ଏହି ନିର୍ବାଚନରେ କଂଗ୍ରେସ ତାହାର କୌଣସି ଲାଭ ଉଠାଇ ପାରିନାହିଁ। କେବଳ ସେତିକି ନୁହେଁ, କଂଗ୍ରେସର ରାଜଗାଙ୍ଗପୁର ବିଧାୟକ ଡକ୍ଟର ରାଜେନ୍ ଏକ୍କା ମଧ୍ୟ ଏହି ନିର୍ବାଚନକୁ ନେଇ ସେତେଟା ଗମ୍ଭୀର ନଥିଲେ ବୋଲି ମଧ୍ୟ ଆଲୋଚନା ହେଉଛି! ନିକଟ ଭବିଷ୍ୟତରେ ସେ ମଧ୍ୟ ବିଜେଡ଼ିରେ ଯୋଗଦେବେ ବୋଲି ଖୁବ୍ ଚର୍ଚ୍ଚା ହେଉଛି।
ତେବେ କଂଗ୍ରେସର ଯେତେ ନୁହେଁ, ସୁନ୍ଦରଗଡ଼ରେ ବିଜେପିର ପରାଜୟ ବର୍ତ୍ତମାନ ସାଧାରଣରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏହାକୁ ଜନସାଧାରଣଙ୍କ ଭିତରେ ଦଳର ଲୋକପ୍ରିୟତା ହ୍ରାସ ପାଇବା ଅପେକ୍ଷା ଜିଲ୍ଲାରେ ଦଳର ମଙ୍ଗ ଧରିଥିବା ନେତାମାନଙ୍କର ଅପରାଗତା ବୋଲି ମନେ କରାଯାଉଛି। ଦଳର ସାଂସଦ ଏକାଧିକ ଥର କେନ୍ଦ୍ରମନ୍ତ୍ରୀ ହେବାପରେ ମଧ୍ୟ ଜିଲ୍ଲା ପାଇଁ ଦେଖିବାଭଳି କିଛି କରି ନପାରିବା, ତୃଣମୂଳ ସ୍ତରର ଦଳୀୟ କର୍ମୀଙ୍କ ପାଇଁ କିଛି ନକରିବା ତଥା ଏହି ନିର୍ବାଚନରେ ଯୋଜନାବଦ୍ଧ ଭାବେ ସାମନା ନକରିବା ବିଜେପିକୁ ମହଙ୍ଗା ପଡ଼ିଛି ବୋଲି କୁହାଯାଉଛି।