ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ତିନିଟି ପୌରାଞ୍ଚଳରେ ରାଜନୈତିକ ଦଳ ଏଯାଏ ଦ୍ବନ୍ଦ୍ବରେ ରହିଛନ୍ତି। କେବଳ ବୀରମିତ୍ରପୁର ପୌରପାଳିକା ପାଇଁ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ସୁନ୍ଦରଗଡ଼ ଓ ରାଜଗାଙ୍ଗପୁରରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରିଚାଲିଛନ୍ତି। ସୁନ୍ଦରଗଡ଼ରେ ବିଜେଡି ନିଜ ପ୍ରାର୍ଥୀଙ୍କ ତାଲିକା ଚୂଡ଼ାନ୍ତ କରି ସାରିଥିଲେ ମଧ୍ୟ ବିଦ୍ରୋହୀଙ୍କୁ ସମୟ ନଦେବାଲାଗି ତାହାକୁ ଘୋଷଣା କରା ଯାଉନାହିଁ ବୋଲି କୁହା ଯାଉଛି। ଅନ୍ୟପକ୍ଷରେ ପୌର ନିର୍ବାଚନ ପ୍ରାର୍ଥୀଙ୍କ ମନୋନୟନ ପ୍ରସଙ୍ଗରେ ଗତକାଲି ରାଜଗାଙ୍ଗପୁରରେ ସହପର୍ଯ୍ୟବେକ୍ଷକଙ୍କ ଉପରେ ଦଳର ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଆକ୍ରମଣ ଘଟଣା ପରେ ସେଠାରେ ମଧ୍ୟ ତାଲିକା ପ୍ରକାଶ କରା ଯାଇନାହିଁ।
ବୀରମିତ୍ରପୁରରେ ପୌରାଧ୍ୟକ୍ଷ ପ୍ରାର୍ଥୀ ପାଇଁ ବିଜେଡ଼ିର ୪ ଜଣ ଦାବିଦାର ଥିଲେ। ସେମାନଙ୍କ ଭିତରେ ଥିଲେ କଂଗ୍ରେସ ଛାଡି ବିଜେଡି ଯୋଗ ଦେଇଥିବା ସନ୍ଦୀପ ମିଶ୍ର, ବିଜେଡିର ବୀରମିତ୍ରପୁର ସହର ସଭାପତି କୁନା ଦେଓ, ବିକାଶ ବରୁଆ ଓ ଫୁଲ୍ ଚାନ୍ଦ। ଶେଷରେ ଦଳ ସନ୍ଦୀପ ମିଶ୍ରଙ୍କ ନାଁରେ ମୋହର ମାରିଛି। ଆଜି ଶ୍ରୀ ମିଶ୍ର ଦଳର ୫ କାଉନସିଲର ପ୍ରାର୍ଥୀ, ଶତାଧିକ ନେତା ଓ କର୍ମୀଙ୍କ ଗହଣରେ ଆସି ନାମାନଙ୍କ ପତ୍ର ଦାଖଲ କରିଛନ୍ତି। ବିଜେଡିର ଅନେକ ନେତା ଥିବାବେଳେ ଦଳ ସନ୍ଦୀପଙ୍କ ଉପରେ ଆସ୍ଥା ପ୍ରକଟ କରିବାକୁ ନେଇ ଗୋଟିଏ ପକ୍ଷ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ସନ୍ଦୀପ ହେଉଛନ୍ତି ବୀରମିତ୍ରପୁର ଜଣେ ଚର୍ଚ୍ଚିତ ଚେହେରା ଓ ଟାଣୁଆ ନେତା। ଛାତ୍ର ଜୀବନରୁ ସେ କଂଗ୍ରେସ ସହ ଜଡିତଥିଲେ। କଂଗ୍ରେସର କୌଣସି ପଦ ପଦବିରେ ନଥିଲେ ମଧ୍ୟ ତାଙ୍କୁ ଦଳ ବେଶ୍ ଗୁରୁତ୍ବ ଦେଉଥିଲା। ଏଥିପାଇଁ ତାଙ୍କୁ ଆଇଏନ୍ଟିୟୁସି ସହବନ୍ଧିତ ଗାଙ୍ଗପୁର ମଜଦୁର ୟୁନିୟନ ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଥିଲା। ଏବେ ମଧ୍ୟ ସେ ଗାଙ୍ଗପୁର ମଜଦୁର ୟୁନିୟନର ସାଧାରଣ ସମ୍ପାଦକ ରହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ଜଣେ ଟାଣୁଆ ନେତା ଭାବେ ପରିଚିତ। ଉଲ୍ଲେଖନୀୟ ଯେ ସନ୍ଦୀପଙ୍କ ବାପା ନୋଭେଲ କିଶୋର ମିଶ୍ର କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସେ ଅତି ଘନିଷ୍ଠ ଥିଲେ। ପୂର୍ବରୁ ସେ ବୀରମିତ୍ରପୁର ପୌରପାଳିକାର ଥରେ ପୌରାଧ୍ୟକ୍ଷ ଓ ଦୁଇ ଥର ଉପାଧ୍ୟକ୍ଷ ହୋଇଥିଲେ। ସନ୍ଦୀପ ବାପାଙ୍କ ପଦାଙ୍କ ଅନୁସରଣ କରି କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ଗତ ବର୍ଷ ସେ କଂଗ୍ରେସ ଛାଡି ନିଜର ଶତାଧିକ ସମର୍ଥକଙ୍କ ସହିତ ଭୁବନେଶ୍ବର ନବୀନ ନିବାସରେ ବିଜେଡିରେ ଯୋଗଦେଇଥିଲେ। ତେବେ ଦଳରେ ଯୋଗଦେବାର ବର୍ଷେ ନ ଯାଉଣୁ ୨୦୨୧ ଅଗଷ୍ଟ ମାସରେ ବିଜେଡିରୁ ଇସ୍ତଫା ଦେବାକୁ ଦଳର ସଭାପତିଙ୍କୁ ଚିଠି ଲେଖିଥିଲେ। ଦଳର ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାମାନେ ତାଙ୍କୁ ବୁଝାସୁଝା କରିଥିଲେ। ସନ୍ଦୀପ ନିଜର ଇସ୍ତଫା ପତ୍ର ପ୍ରତ୍ୟାହାର କରି ନେଇଥିଲେ। ସୂଚନାଯୋଗ୍ୟ ଯେ ବୀରମିତ୍ରପୁର ବିଧାନସଭା ଆସନରେ ଏବେ ବିଜେପିର ବିଧାୟକ ଅଛନ୍ତି। ପୁଣି ତାହା କଂଗ୍ରେସର ଟାଣୁଆ ନେତା ଜର୍ଜ ତିର୍କୀଙ୍କର ନିଜ ଇଲାକା। ତେଣୁ ବିଜେଡ଼ିର ସ୍ଥିତି ସେଠାରେ ସାମାନ୍ୟ ଦୁର୍ବଳ। ପଞ୍ଚାୟତ ନିର୍ବାଚନରେ ସୁନ୍ଦରଗଡ଼ର ମୋଟ୍ ୩୫ଟି ଜିଲ୍ଲା ପରିଷଦ ଆସନ ଭିତରୁ ଯେଉଁ ମାତ୍ର ୨ଟିରେ ବିରୋଧୀ ଦଳମାନେ ଜିତିଛନ୍ତି, ତା ଭିତରୁ ଗୋଟିଏ ରହିଛି ଏହି ବିଧାନସଭା ଆସନ ଭିତରେ। ତେଣୁ ଏଠାରେ ନିଜର ସ୍ଥିତି ଦୃଢ଼ କରିବାଲାଗି ବିଜେଡ଼ି ସବୁ ପ୍ରକାର ଉଦ୍ୟମ କରୁଛି।
ସୁନ୍ଦରଗଡ଼ ଓ ରାଜଗାଙ୍ଗପୁରର ସ୍ଥିତି ଏବେ ବି ରହସ୍ୟମୟ
ବୀରମିତ୍ରପୁରରେ ବିଜେଡ଼ିର ପୌରାଧ୍ୟକ୍ଷ ପ୍ରାର୍ଥୀ କଂଗ୍ରେସରୁ ଆସିଥିବା ସନ୍ଦୀପ ମିଶ୍ର
/sambad/media/post_attachments/wp-content/uploads/2022/03/sundargarh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)