ସୁନ୍ଦରଗଡ଼ର କୋଟିପତି ଏଡିଏମଙ୍କୁ କୋର୍ଟ ଚାଲାଣ

ଭୁବନେଶ୍ବର: ବହୁଚର୍ଚ୍ଚିତ ସୁନ୍ଦରଗଡ଼ର କୋଟିପତି ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ବିଶ୍ବଜିତ ମହାପାତ୍ରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଶ୍ରୀ ମହାପାତ୍ରଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ହାଜର କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୧ ଓ ୧୨ ତାରିଖରେ ଏଡିଏମ୍‌ ଶ୍ରୀ ମହାପାତ୍ରଙ୍କର ୭ଟି ଜାଗାରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ନଗଦ ୩ଲକ୍ଷ ୫୨ ହଜାର ଟଙ୍କା ମିଳିଥିଲା।  ମିଚୁଆଲ ଫଣ୍ଡ, ଗୁଡାଏ ଜାଗାରେ ଟଙ୍କା ଲଗାଣର ପ୍ରମାଣ ମିଳିଥିଲା ୨.୫ କୋଟିରୁ ଅଧିକ ସମ୍ପତ୍ତି ବିଭିନ୍ନ ସ୍ଥାନରେ ଜମା ରାଶି ଠାବ ହୋଇଥିଲା। ଭୁବନେଶ୍ବର ଉପକଣ୍ଠ ନହରକଣ୍ଟାରେ ଘର (ଯାହାର ମୂୂଲ୍ୟ ୯୧ ଲକ୍ଷ ଟଙ୍କା), ଆସିଆନା ପ୍ଲାଟ, ଭୁବନେଶ୍ଵର ଓ ଜଗତସିଂହପୁରରେ ୧୦ଟି ପ୍ଲଟ ଥିବା ସୂଚନା ମିଳିଥିଲା। ଏ ପର୍ଯ୍ୟନ୍ତ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଓଡିଶା ଭିଜିଲାନ୍ସର ୮ ଜଣ ଡିଏସପି, ୨ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢଉ କରିଥିଲା।

ଭିଜିଲାନ୍ସ ସେଲ୍‌ ଏସ୍‌ପି ଏମ୍‌ ରାଧାକ୍ରୀଷ୍ଣଙ୍କ ସୂଚନା ଅନୁସାରେ ଶ୍ରୀ ମହାପାତ୍ରଙ୍କ ଘରେ ଚଢ଼ଉ ସମୟରେ ଭିିଜିଲାନ୍ସ ବିଭାଗକୁ ୪୫୦ ଗ୍ରାମ ସୁନା, ଗୋଟିଏ ସିମେଣ୍ଟ ଗୋଡାମ ଠାବ ହୋଇଛି। ଏଡିଏମ ବିଶ୍ଵଜିତ ମହାପାତ୍ରଙ୍କ ପତ୍ନୀଙ୍କ ନାମାନୁସାରେ ମାମଲା ରୁଜୁ ହୋଇଛି। ଏବେବି ସମ୍ପତ୍ତି ଛାନ୍ ଭିନ୍ କରୁଛି ଭିଜିଲାନ୍ସ, ଆହୁରି ଅଧିକ ସମ୍ପତ୍ତି ଥିବା ସୂଚନା।

ଉଲ୍ଲେଖନୀୟ ଯେ ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ବିରୋଧରେ ବହୁ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ଲାଠିକଟା ବ୍ଲକରେ ୨୦୦୯ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ବିଡିଓ ଓ ଆଠଗଡ଼ରେ ତହସିଲଦାର ଥିବା ବେଳେ ତାଙ୍କ ନାମରେ ବହୁ ଦୁର୍ନୀତି ଅଭିଯୋଗ ଥିଲା। ଏପରିକି ସେତେବେଳେ ଭିଜିଲାନ୍ସ ଏକ ମାମଲା ମଧ୍ୟ ରୁଜୁ କରିଥିଲା। ଏଡିଏମ୍‌ ଶ୍ରୀ ମହାପାତ୍ରଙ୍କ ଅବସରକୁ ମାତ୍ର ୧୮ ଦିନ ବାକି ଥିବାବେଳେ ଏହି ଭିଜିଲାନ୍ସ ଚଢାଉ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର