ଜେଲ୍‌ଗଲେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ: ଭିଜିଲାନ୍ସ ହାତରେ ଦୁର୍ନୀତିର ଲମ୍ବା ତାଲିକା

‘ସମ୍ବାଦ’ ଖବର ସତ ହେଲା

ସୁନ୍ଦରଗଡ଼ : ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ବିଶ୍ବଜିତ ମହାପାତ୍ରଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି ଘଟଣା ପରେ ଶ୍ରୀ ମହାପାତ୍ରଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ବିସ୍ଥାପିତଙ୍କ କ୍ଷତିପୂରଣ ଟଙ୍କା ପାଇଁ କମିସନ, ବଦଳି ପାଇଁ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେବାପରି ଦୁର୍ନୀତିରେ ଲିପ୍ତ ଥିଲେ ସେ। ଏପରିକି, କ୍ଷମତାର ଦୁରୁପଯୋଗ କରି ବହୁ ଅନୈତିକ କାର୍ଯ୍ୟ କରାଇନେବାରେ ବେଶ୍‌ ସିଦ୍ଧହସ୍ତ ଥିଲେ। ଏ ସମ୍ପର୍କରେ କେବଳ ‘ସମ୍ବାଦ’ ହିଁ ଲଗାତାର ଖବର ପ୍ରକାଶ କରି ଆସୁଥିଲା। ଭିଜିଲାନ୍ସ ହାତରେ ସେ ଧରାପଡ଼ିବା ପରେ ‘ସମ୍ବାଦ’ର ଅଭିଯୋଗ ସତ ବୋଲି ପ୍ରମାଣିତ ହୋଇଛି।

ଶ୍ରୀ ମହାପାତ୍ର ୧୯୯୭ରେ ଓଏଏସ୍ ପାଇବା ପରେ ପ୍ରଥମେ କଟକ ବନ୍ଦୋବସ୍ତ ଅଫିସରେ ନିଯୁକ୍ତି ପାଇଥିଲେ। ଏହାପରେ କେନ୍ଦ୍ରାପଡ଼ା ବନ୍ଦୋବସ୍ତ ଅଫିସ, କଟକ ଓ ଭୁବନେଶ୍ବର ବନ୍ଦୋବସ୍ତ ଅଫିସରେ କାମ କରିଥିଲେ। ଏହାପରେ ଭୁବନେଶ୍ବରରେ ଅତିରିକ୍ତ ତହସିଲଦାର ଭାବେ ଯୋଗଦେଇଥିଲେ। ୨ ବର୍ଷ ସେଠାରେ କାମ କରିବାପରେ ତାଙ୍କୁ ପଦୋନ୍ନତି ମିଳିଥିଲା। ତହସିଲଦାର ଭାବେ ତିଗିରିଆରେ ଯୋଗଦେଇଥିଲେ। ସେଠାରୁ ଆଠଗଡ଼ ଓ ପରେ ପିପିଲିକୁ ବଦଳି ହୋଇଥିଲା। ପରେ ଲାଠିକଟା ଓ ସୋହେଲା ବିଡିଓ ଭାବେ କିଛିବର୍ଷ କାମ କରିଥିଲେ। ସେଠାରୁ ଉପଜିଲ୍ଲାପାଳକୁ ପଦୋନ୍ନତି ପାଇ ବରଗଡ଼ରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପାନପୋଷକୁ ତାଙ୍କ ବଦଳି ହୋଇଥିଲା। ୨୦୨୦ ସେପ୍ଟେମ୍ବର ୯ରେ ଅତିରିକ୍ତ ଜିଲ୍ଲାପାଳ ରୂପେ ପଦୋନ୍ନତି ପାଇ ସୁନ୍ଦରଗଡ଼ ଆସିଥିଲେ। ଆଠଗଡ଼ ତହସିଲଦାର ଥିବାବେଳେ ତାଙ୍କ ନାମରେ ଜମି ଦୁର୍ନୀତି, ଲାଠିକଟା ବିଡିଓ ଥିବାବେଳେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିଲା। ସେହିପରି ବରଗଡ଼ରେ ଉପଜିଲ୍ଲାପାଳ ଥିବାବେଳେ ଧାନକିଣା ଦୁର୍ନୀତି ଅଭିଯୋଗକ୍ରମେ ଭିଜିଲାନ୍ସ ଏକ ମାମଲା ରୁଜୁ କରିଥିଲା। ପାନପୋଷ ଆଇଟିଡିଏ ଭାରପ୍ରାପ୍ତ ପ୍ରଶାସକ ଥିବାବେଳେ ଠିକା ଦୁର୍ନୀତି ଅଭିଯୋଗ ହୋ‌ଇଥିଲା। ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗ ଦେବାପରେ ଏମ୍‌ସିଏଲ୍‌ ବିସ୍ଥାପିତଙ୍କ କ୍ଷତିପୂରଣ ପ୍ରଦାନରେ ମୋଟା ଅଙ୍କର କମିସନ ନେଉଥିବା ଅଭିଯୋଗ ହୋଇଥିଲା। ଏପରିକି ଅଫିସ କର୍ମଚାରୀଙ୍କ ବଦଳି ପାଇଁ ସେ ଲକ୍ଷଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।

ରାଜସ୍ବ ନିରୀକ୍ଷକ, କିରାଣି, ଅମିନ ଆଦି କର୍ମଚାରୀଙ୍କ ବଦଳି ପାଇଁ ଏହି ସରକାରୀ ବାବୁ ଜଣକ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଛି। ସୁଚିନ୍ତିତ ଯୋଜନାରେ ଦୂରସ୍ଥାନକୁ ବଦଳି କରି ପରେ ମୂଲଚାଲ କରି ବଦଳି ବାତିଲ ଅଥବା ମନପସନ୍ଦ ସ୍ଥାନରେ ନିଯୁକ୍ତି କରାଇବାରେ ସେ ଧୂରନ୍ଧର ଥିଲେ। ଏବେ ଭିଜିଲାନ୍ସ ହାତରେ ସେଥିମଧ୍ୟରୁ କିଛି କର୍ମଚାରୀଙ୍କ ତାଲିକା ପହଞ୍ଚିଛି। ଏହା ମଧ୍ୟରେ ଭୂ-ଅର୍ଜନ ବିଭାଗକୁ ବଦଳି କରି ଆଣିବାକୁ ଜଣେ ଅମିନଙ୍କଠାରୁ କୁବେର ଅଧିକାରୀ ୫ ଲକ୍ଷ ଟଙ୍କା ଲାଞ୍ଚନେବା ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି। ଅମିନ ଜଣକ ପ୍ରଥମେ ଲେଫ୍ରିପଡ଼ା ତହସିଲରେ ନିଯୁକ୍ତି ପାଇଥିଲେ। ସେଠାରେ ସେ ଦର୍ଲିପାଲି ଏନ୍‌ଟିପିସି ଜମି ଅଧିଗ୍ରହଣ କାର୍ଯ୍ୟରୁ ଅନୈତିକ ଉପାୟରେ ବିପୁଳ ଟଙ୍କା ସଂଗ୍ରହ କରିଥିଲେ। ସେଠାରୁ ତାଙ୍କୁ ଭୂ-ଅର୍ଜନ ବିଭାଗକୁ ବଦଳି କରି ଅଣାଯାଇଥିଲା। ବିଭିନ୍ନ ପ୍ରକଳ୍ପରେ ଅଧିଗ୍ରହଣ ହେବାକୁ ଥିବା ଜମିରେ ଘର ତିଆରିକରି ସେ ଜମିମାଲିକଙ୍କ ଜରିଆରେ ଲକ୍ଷ ଲକ୍ଷ ଟଙ୍କା କ୍ଷତିପୂରଣ ହାତେଇ ମାଲାମାଲ୍ ହୋଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଭାବେ ଶ୍ରୀ ମହାପାତ୍ର ସୁନ୍ଦରଗଡ଼ରେ ଯୋଗଦେବା ପରେ ସାଧାରଣ ବଦଳି ପ୍ରକ୍ରିୟାରେ ସମ୍ପୃକ୍ତ ଅମିନଙ୍କୁ କୁତ୍ରା ତହସିଲକୁ ବଦଳି କରି ଦେଇଥିଲେ। ଏହାପରେ ଅମିନ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦେଖାକରି ଭୂ-ଅର୍ଜନ ବିଭାଗକୁ ପୁଣି ବଦଳିକରି ଆଣିବାକୁ ଅନୁରୋଧ କରିଥିଲେ। ଏଥିପାଇଁ ଅମିନଙ୍କଠାରୁ ୫ ଲକ୍ଷ ଟଙ୍କା ନେଇଥିଲେ କୁବେର ଅଧିକାରୀ। ହେଲେ ହଠାତ୍‌ ଭୂ- ଅର୍ଜନ ବିଭାଗକୁ ବଦଳି କରି ଆଣିଲେ କଥା ପ୍ରଘଟ ହୋଇଯିବା ଆଶଙ୍କାରେ ତାଙ୍କୁ ସ୍ବତନ୍ତ୍ର ଆଦେଶରେ ପ୍ରଥମେ ସୁନ୍ଦରଗଡ଼ ତହସିଲକୁ ଅଣାଯାଇଥିଲା। କିଛିମାସ ପରେ ଅମିନଙ୍କୁ ଡେପୁଟେସନରେ ଭୂ-ଅର୍ଜନ ବିଭାଗକୁ ଅଣାଯାଇଛି। ସେହିପରି ବିସ୍ଥାପିତଙ୍କ କ୍ଷତିପୂରଣ ମାମଲାରେ ମଧ୍ୟ ତାଙ୍କ ସମୟରେ ଅନେକ ଦୁର୍ନୀତିର ଅଭିଯୋଗ ରହିଛି। ଏହିସବୁ ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି।

ସମ୍ବନ୍ଧିତ ଖବର