ସୁନ୍ଦରଗଡ଼: ଜାଲ୍‌ ଜାତିଗତ ପ୍ରମାଣପତ୍ର ଓ ମିଥ୍ୟା ସତ୍ୟପାଠ ମାମଲାରୁ ଦଳବଦଳ ଯାଏଁ ଚର୍ଚ୍ଚାରେ ଥିଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ଯୋଗେଶ ସିଂ। ଯୋଗେଶ ସୁନ୍ଦରଗଡ଼ ବିଧାନସଭାରୁ କଂଗ୍ରେସ ଟିକଟ୍‌ରେ ୨୦୦୯ରୁ ଲଗାତାର ୨ ଥର ନିର୍ବାଚିତ ହୋଇଥିଲେ। ୨୦୧୯ମସିହାରେ ବିଜେଡିକୁ ଆସି ପରାଜୟର ମୁହଁ ଦେଖିଥିଲେ। ତେବେ, ୨୦୨୪ରେ ଦଳ ପୁଣିଥରେ ଯେ‌ାଗେଶଙ୍କ ଉପରେ ଦଳ ଭରସା କରିପାରେ ବୋଲି କୁହାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି, ଯୋଗେଶଙ୍କୁ ନୂଆ ଓଡ଼ିଶା, ଯୁବ ଓଡ଼ିଶାର ଜିଲ୍ଲା ସଂଯୋଜକ ଦାୟିତ୍ବ ଦେଇ ଦଳ ତାଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରିଛି। ଏଥିସହିତ, ୨୦୧୯ରେ ଯୋଗେଶଙ୍କୁ ବିରୋଧ କରୁଥିବା ସୁନ୍ଦରଗଡ଼ର ଜଣେ ପ୍ରଭାବଶାଳୀ ନେତା ଏଥର ତାଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କୁହାଯାଉଛି। ସେହିପରି, ପୂର୍ବ ନିର୍ବାଚନରେ କଂଗ୍ରେସ ଯୋଗେଶଙ୍କୁ ହରାଇବା ପାଇଁ ଯେଉଁ ଗୋଟିଚାଳନା କରି ବିଜେପିର କୁସୁମ ଟେଟେଙ୍କୁ ଭିତିରିଆ ସମର୍ଥନ କରିଥିଲା, ଏଥର ସେ ସ୍ଥିତି ବି ନାହିଁ। ଫଳରେ, ବିଜେଡିରୁ ଯୋଗେଶଙ୍କ ପ୍ରାର୍ଥିତ୍ବ ନେଇ ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଅନ୍ୟପକ୍ଷରେ, ଅନୌପଚାରିକ ଭାବେ ସିପିଆଇର ପ୍ରାର୍ଥୀ ଘୋଷିତ ହେମଗିର ଖଣି ଅଞ୍ଚଳର ବିସ୍ଥାପିତ ନେତା ରାଜେନ୍ଦ୍ର ନାଏକ ଓ ନିକଟରେ ବିଜେଡିରୁ କଂଗ୍ରେସକୁ ଆସି ଦଳର ପ୍ରାର୍ଥୀ ରୂ‌ପେ ଉପସ୍ଥାପିତ ହେମଗିର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ ଉଭୟ ବିଜେଡି ଓ ବିଜେପିର ମୁଣ୍ଡବ୍ୟଥା ବଢ଼ାଇ ଦେଇଛନ୍ତି।