ସୁନ୍ଦରଗଡ଼ ବିଧାନସଭା: ସୁଧାରାଣୀ ବନାମ ମେଘନାଦ

କଂଗ୍ରେସର ଟିକେଟ ଲଢ଼େଇ

ସୁନ୍ଦରଗଡ଼: କଂଗ୍ରେସର ଗଡ଼ ଥିବା ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର‌ର ୨ ଥରର ବିଧାୟକ (୨୦୦୯ ଓ ୨୦୧୪) ଯୋଗେଶ କୁମାର ସିଂହ ୨୦୧୯ ନିର୍ବାଚନ ପୂର୍ବରୁ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲହେବା ପରେ ଦଳ ଦୁର୍ବଳସ୍ଥିତିକୁ ଚାଲିଯାଇଛି। ୨୦୧୯ ନିର୍ବାଚନରେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସାନଝିଅ ଅମିତା ବିଶ୍ବାଳ ପ୍ରଥମକରି ନିର୍ବାଚନୀ ମୈଦାନକୁ ଓହ୍ଲାଇ ପରାଜିତ ହୋଇଥିଲେ। ଏବେ ସେ ସୁନ୍ଦରଗଡ଼ ଛାଡ଼ି ତଳସରାରେ ଲଢ଼ିବାକୁ ମନବଳାଇ ସେଠାରେ ଡେରା ପକାଇଛନ୍ତି। ଏ ସ୍ଥିତିରେ ବିଜୁ ଜନତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଆଦିବାସୀ ନେତ୍ରୀ ହେମଗିରର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆଙ୍କୁ ଦଳ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ କରିବାକୁ ଆପାତତଃ ସ୍ଥିର କରିଥିବା ଶୁଣିବାକୁ ମିଳୁଥିଲା।

ହେମଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ୨୦୧୭ରୁ ନିର୍ବାଚିତା ହୋଇ ୨୦୨୨ ଯାଏଁ କାମ କରିଥିବା ହେମଗିର ଅଞ୍ଚଳର ଜଣେ ଟାଣୁଆ ଆଦିବାସୀ ନେତ୍ରୀ ଭାବେ ପରିଚିତ ଶ୍ରୀମତୀ ରାଉଡ଼ିଆଙ୍କ ରାଜନୈତିକ ଗତିବିଧି ଓ ତାଙ୍କୁ କେନ୍ଦ୍ରକରି ବିଭିନ୍ନ ସମୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରୁ ଏହି ସନ୍ଦେଶ ଆସିଥିଲା। କିନ୍ତୁ, ଏବେ ଆଉ ଏକ ନାମ ଚର୍ଚ୍ଚାକୁ ଆସିଛି। ପୂର୍ବତନ ବରିଷ୍ଠ ପ୍ରଶାସକ ମେଘନାଦ ନାଏକ ସୁନ୍ଦରଗଡ଼ ବିଧାନସଭାରୁ ଲଢ଼ିବାକୁ ମନ ସ୍ଥିରକରି ଆବେଦନ କରିଛନ୍ତି। ୨୦୦୯ରେ ଶ୍ରୀ ନାଏକ ବରଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପଦରୁ ସ୍ବେଚ୍ଛାକୃତ ଅବସର ନେଇ ଲୋକସଭା ଲଢ଼ିବାକୁ ଚାହିଥିଲେ। କିନ୍ତୁ ଶେଷମୁହୂର୍ତ୍ତରେ ଦଳ ତାଙ୍କୁ ନିରାଶ କରିଥିଲା। ଏହାପରେ ସେ ପୁଣି ଚାକିରିକ୍ଷେତ୍ରକୁ ଫେରିଯାଇଥିଲେ। ୨୦୧୮ ଏପ୍ରିଲ‌୍‌ରେ ରାଜ୍ୟ ଗୃହବିଭାଗର ଅତିରିକ୍ତ ସଚିବ ପଦରୁ ଅବସର ନେଇ କଂଗ୍ରେସ ସଂଗଠନ ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ରହିଥିବା ମେଘନାଦ ଏବେ ଅଖିଳ ଭାରତୀୟ ଭୂୟାଁ ମହାସଭାର ସଭାପତି ଅଛନ୍ତି। ସୁନ୍ଦରଗଡ଼ରେ ସେ ନିଜକୁ ପ୍ରମୁଖ ଦାବିଦାର ବୋଲି କହିଛନ୍ତି। ଏ ସ୍ଥିତିରେ ଦଳ କାହା ଉପରେ ଭରସା କରିବ, ସୁଧାରାଣୀ ନା ମେଘନାଦ ତାହା ଆଗାମୀଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର