ଏମ୍ସ ପାଇଁ ସୁନ୍ଦରଗଡ଼ ୧୨ ଘଣ୍ଟା ବନ୍ଦ, ଏକାଠି ହେଲେ ସବୁ ରାଜନୈତିକ ଦଳ

ସୁନ୍ଦରଗଡ଼ : ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ଦାବିରେ ଶୁକ୍ରବାର ଦିନ ସୁନ୍ଦରଗଡ଼ ସହରରେ ସଂପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା, ୧୨ ଘଣ୍ଟା ଧରି ବନ୍ଦ ଯୋଗୁ ସୁନ୍ଦରଗଡ଼ ସହର ସମେତ ଏହାର ଆଖପାଖ ଅଞ୍ଚଳ ତଥା ଜିଲ୍ଲାର ଅନେକାଂଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ଦାବିରେ ସ୍ଥାନୀୟ ଡିଆର୍‌ଡିଏ ଛକରେ ପଶ୍ଚିମ ଓଡ଼ିଶା ଯୁବମଞ୍ଚର ସଭାପତି ଦିନେଶ ପଟେଲ ଓ ଅନ୍ୟ ୩ ଜଣ ସଦସ୍ୟ ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର ଓ ସୁମିତ ଦାସ ଚଲାଇଥିବା ଆମରଣ ଅନଶନ ଚଳାଇଛନ୍ତି। ଏହି ଅନଶନକୁ ଇତିମଧ୍ୟରେ ୪ଦିନ ବିତିଛି। ଶେଷ ଖବର ଅନୁସ‌ାରେ ଏଡିଏମ୍‌ଙ୍କ ଅନୁରୋଧକ୍ରମେ ଆଜି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି। ତେବେ, ଆଜି ମଞ୍ଚ ପକ୍ଷରୁ ଦିଆଯାଇଥିବା ସୁନ୍ଦରଗଡ଼ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ମିଳିଛି। ପଶ୍ଚିମ ଓଡ଼ିଶା ଯୁବମଞ୍ଚର ବନ୍ଦ ଡାକରାକୁ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ସମେତ ସାଧାରଣ ଜନତା ସମର୍ଥନ କରିଥିଲେ। ବନ୍ଦ ପାଳନ ସମୟରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ସୁନ୍ଦରଗଡ଼ ସହରର ରାସ୍ତାଘାଟ ଆଜି ଦିନବେଳା ଶୂନ୍‌ଶାନ୍ ରହିଥିଲା। ଆନ୍ଦୋଳନକାରୀ ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ, ବିଜେପି, ବିଜେଡି ସହ କୋଶଳ ସମାଜ, କୋଶଳ କ୍ରାନ୍ତି ଦଳ, ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍, ସୁନ୍ଦରଗଡ଼ ଟ୍ରକ୍‌ ମାଲିକ ସଂଘ, ସଦର ମସ୍‌ଜିଦ, ଗୁରୁଦ୍ବାର କମିଟି ତଥା ବିଭିନ୍ନ ସଂଗଠନ ଏହି ବନ୍ଦରେ ସାମିଲ ହୋଇଥିଲେ।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁବର୍ଷ ହେଲା ଅବହେଳିତ ହୋଇ ରହିଥିବା ପଶ୍ଚିମ ଓଡ଼ିଶାର ରୋଗୀଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ଏମ୍ସ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି। କିନ୍ତୁ, ଏଥିପ୍ରତି ବୈମାତୃକ ମନୋଭାବ ପୋଷଣକରି କେନ୍ଦ୍ର ସରକାର ଶେଷ ମୁହୂର୍ତ୍ତରେ ଏହାକୁ ନା କରିଦେଇଛି। ଫଳରେ, ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାବାସୀଙ୍କୁ ଏହା ପ୍ରଚଣ୍ଡ ଆଘାତ ଦେଇଛି।

ସମ୍ବନ୍ଧିତ ଖବର