ଉତ୍ସବ ମନାଇଲା ସୁନ୍ଦରଗଡ଼ ବିଜେଡି: ‘ପଦ୍ମଶ୍ରୀ ଦିଲୀପ ଆମ ମାଟିର ଗୌରବ’

ସୁନ୍ଦରଗଡ଼: କିମ୍ବଦନ୍ତୀ ହକି ତାରକା ସୁନ୍ଦରଗଡ଼ର ସୁନା ପୁଅ ପଦ୍ମଶ୍ରୀ ଦିଲୀପ ତିର୍କୀ ନିର୍ଦ୍ବନ୍ଦ୍ବରେ ହକି ଇଣ୍ଡିଆ ସଭାପତି ନିର୍ବାଚିତ ହେବା ପରେ ସୁନ୍ଦରଗଡ଼ ମାଟି ଉଲ୍ଲସିତ ହୋଇପଡ଼ିଛି। ଶ୍ରୀ ତିର୍କୀଙ୍କୁ ସମଗ୍ର ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ପରିପ୍ରେକ୍ଷିରେ ଆଜି ଜିଲ୍ଲା ବିଜେଡି ଉତ୍ସବ ମନାଇଛି। ସ୍ଥାନୀୟ ସର୍କିଟ ହାଉସରେ ପୂର୍ବତନ ବିଧାୟତ ତଥା ରାଜ୍ୟ ବିଜେଡି ସାଧାରଣସମ୍ପାଦକ ଯୋଗେଶ କୁମାର ସିଂଙ୍କ ନେତୃତ୍ବ ଓ ଜିଲ୍ଲା ମହିଳା ସଭାପତି ରଞ୍ଜନା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉପନଗରପାଳ ଲଲାଟେନ୍ଦୁ ପରିଡ଼ା, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ସୁମନ୍ତ ପଣ୍ଡା, ସୁନୀଳ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟା ଗେଲବତୀ ପଟେଲ, ଅଶ୍ବିନୀ ନାଏକ, ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ଜୟନାରାୟଣ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖି ‘ପଦ୍ମଶ୍ରୀ ଦିଲୀପ ସୁନ୍ଦରଗଡ଼ ମାଟିର ଗୌରବ, ତାଙ୍କ ଅଭୂତପୂର୍ବ ସଫଳତା ଜିଲ୍ଲାରେ ପୁଲକ ଭରି ଦେଇଛି’ ବୋଲି କହିଥିଲେ। ବିଜେଡିର ସମସ୍ତ କାଉନସିଲର, ଜିଲ୍ଲା ପରିଷଦ ସଭ୍ୟ, ମହିଳା, ଛାତ୍ର, ଯୁବ ଜନତା ଦଳର କର୍ମକର୍ତ୍ତା ଯୋଗ ଦେଇ ଦିଲୀପଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ଜଣାଇଥିଲେ। ପୂର୍ବତନ କାଉନସିଲର ପଞ୍ଚା ବାର୍ଲା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର