‘ମୋ ସରକାର’ ଜାଲରେ ବଡ଼ ମୁଣ୍ଡ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବିତ / ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ, ଶ୍ରୀ ସାଇ ପାଥୋ ଲାବ୍‌ ସିଲ୍‌

ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ବଡ଼ କାର୍ଯ୍ୟାନୁଷ୍ଠାନ। କାର୍ଯ୍ୟକ୍ରମ ପରିଚାଳନାରେ ତ୍ରୁଟି ଓ ଅବହେଳା ପାଇଁ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପଙ୍କଜ ପଟେଲଙ୍କୁ ଆଜି ନିଲମ୍ବିତ କରାଯାଇଛି। ଏହା ସହ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

୫ ‘ଟି’ ସଚିବ ଭି. ‌କାର୍ତ୍ତିକେୟନ ପାଣ୍ଡିଆନ ଆଜି ସକାଳେ ସୁନ୍ଦରଗଡ଼ ଡାକ୍ତରଖାନା ପରିଦର୍ଶନରେ ଆସି ଏପରି ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୧୦ ମିନିଟ୍‌ର ତଦନ୍ତ ପରେ ହିନ୍ଦୀ ଚଳଚିତ୍ର ‘ନାୟକ’ର ଅନିଲ କପୁରଙ୍କ ‘ଅନ୍‌ ଦି ସ୍ପଟ୍‌’ ନିଷ୍ପତ୍ତି ପରି ଘଟଣାସ୍ଥଳରେ ହିଁ ପାଣ୍ଡିଆନଙ୍କ ନିଲମ୍ବନ ଆଦେଶ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ‘ମୋ ସରକାର’ କାର୍ଯ୍ୟକ୍ରମରେ ପ୍ରଥମ କରି ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବିତ ହେବା ଓ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ପ୍ରାଶାସନିକ ମହଲରେ ହୃତ୍‌କମ୍ପନ ସୃଷ୍ଟି କଲାଣି। ସାଧାରଣ ଲୋକେ ଏହାକୁ ଭରପୂର ସମର୍ଥନ କରିଛନ୍ତି।

ଆଜି ପୂର୍ବାହ୍ନ ୧୦ଟାରେ ରାଜ୍ୟ ଉନ୍ନୟନ ଆୟୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର, ୫ ‘ଟି’ ସଚିବ ଶ୍ରୀ ପାଣ୍ଡିଆନ, ଜାତୀୟ ସ୍ବାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ନିକଟସ୍ଥ କିରେଇ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇଥିଲେ। ସେଠାରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରକ୍ଷୀ ଅଧୀକ୍ଷକ ସୌମ୍ୟା ମିଶ୍ର ଓ ଅନ୍ୟ ଅଧିକାରୀମାନେ ସେମାନଙ୍କୁ ସ୍ବାଗତ ଜଣାଇବା ପରେ ସଡ଼କ ପଥରେ ୧୦.୧୦ରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପହଞ୍ଚିଥିଲେ। ପ୍ରଥମେ ୫’ଟି’ ଦଳ ମା’ ଓ ଶିଶୁ ଡାକ୍ତରଖାନା (ଏମ୍‌ସିଏଚ୍‌) ବୁଲି ଦେଖିଥିଲେ। ସେଠାରେ ପ୍ରସୂତି ମା’ ଓ ଶିଶୁମାନଙ୍କୁ କିପରି ସେବା ଦିଆଯାଉଛି ତା’ର ଅନୁଧ୍ୟାନ କରିବା ସହ ଠିକ୍‌ ସମୟରେ ଡାକ୍ତର ଆସୁଛନ୍ତି କି ନାହିଁ, ଠିକ୍‌ ସମୟରେ ଚିକିତ୍ସା ମିଳୁଛି କି ନାହିଁ କି ନାହିଁ, ସେ ସମ୍ପର୍କରେ ପ୍ରସୂତୀ ଓ ତାଙ୍କ ସମ୍ପର୍କୀୟମାନଙ୍କ ଠାରୁ ପଚାରି ବୁଝିଥିଲେ। ନିଜେ ଶ୍ରୀ ପାଣ୍ଡିଆନ ରୋଗୀଙ୍କୁ ଭେଟି ସବୁ ବିଷୟ ପଚାରୁଥିବା ଦେଖିବାକୁ ମିଳିଥିଲା। ଏମ୍‌ସିଏଚ୍‌ରୁ ଫେରି ସିଧା ଡାକ୍ତରଖାନାର ଅନ୍ତଃବିଭାଗର ବିଭିନ୍ନ ୱାର୍ଡକୁ ଯାଇ ପରିଦର୍ଶକ ଦଳ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନ‌ାରେ ମିଳୁଥିବା ଖାଦ୍ୟ ଓ ଚିକିତ୍ସାରେ ସନ୍ତୁଷ୍ଟ ଅଛନ୍ତି କି ନାହିଁ ବୋଲି ପଚାରିଥିଲେ। ଏହି ସମୟରେ ମେଡିସିନ ୱାର୍ଡର ୨୪୫ ନମ୍ବର ଶଯ୍ୟାରେ ଗତ ୧୧ ତାରିଖରୁ ଚିକିତ୍ସିତ ହେଉଥିବା ଗଙ୍ଗାଜଳର ରମେଶ ଦଣ୍ଡସେନା ଡାକ୍ତରଖାନାରୁ ତାଙ୍କୁ ଖାଦ୍ୟ ଦିଆଯାଉ ନଥିବା ଶ୍ରୀ ପାଣ୍ଡିଆନଙ୍କୁ କହିଥିଲେ। ଯାହାକୁ ନେଇ ସେ କର୍ତ୍ତୃପକ୍ଷଙ୍କ ଉପରେ ସାମାନ୍ୟ ବିରକ୍ତି ପ୍ରକାଶ କରିଥିଲେ। ଏହା ପରେ ଶ୍ରୀ ପାଣ୍ଡିଆନ୍‌ ଓ ତାଙ୍କ ଦଳ ଡାଏଲିସିସ୍‌ କେନ୍ଦ୍ରକୁ ଯାଇଥିଲେ। ଅନୁଧ୍ୟାନକାରୀ ଦଳ ଆଗରେ ସମାଜସେବୀ ସୁରୁ ମିଶ୍ର ଡାଏଲିସିସ କେନ୍ଦ୍ରରେ ଥିବା ଅବ୍ୟବସ୍ଥା ଓ ଅବହେଳା ସମ୍ପର୍କରେ ଅଭିଯୋଗ କରିଥିଲେ। ବିଶେଷ କରି ହେପାଟାଇଟିସ ରୋଗୀଙ୍କୁ ଏଠାରେ ଡାଏଲିସିସ୍ କରାଯାଉ ନଥିବାରୁ ସୁନ୍ଦରଗଡ଼ର ସଂକ୍ରମିତ ରୋଗୀମାନେ ବାହାରକୁ ଯିବାକୁ ବାଧ୍ୟ ହେଉଥିବା ସେ ପ୍ରକାଶ କରିଥିଲେ। ସରକାରୀ ଦଳ ଡାଏଲିସିସ କେନ୍ଦ୍ରରେ ରୋଗୀମାନଙ୍କୁ ପଚାରି ବୁଝୁଥିବା ବେଳେ ୨ ମାସ ତଳେ ଭର୍ତ୍ତି ହୋଇଥିବା କୁତ୍ରା କରମାବାହାଲର ୫୦ ବର୍ଷିୟା ସୁଭଦ୍ରା ଏକ୍କାଙ୍କ ଶଯ୍ୟାରେ ଶ୍ରୀ ସା‌ଇ ପାଥୋ ଲାବ୍‌ର ଏକ ରକ୍ତ ପରୀକ୍ଷା ରିପୋର୍ଟ ଶ୍ରୀ ପାଣ୍ଡିଆନ୍‌ଙ୍କ ନଜରରେ ପଡ଼ିଥିଲା। ସୁଭଦ୍ରାଙ୍କ ଏଚ୍‌ବି, ୟୁରିନ୍‌ ପରୀକ୍ଷା ଘରୋଇ ପାଥୋ ଲାବ୍‌ରେ ହୋଇଥିବା ଜାଣିବା ପରେ ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ସେଠା‌ରେ ଉପସ୍ଥିତ ଥିବା ଏଡିଏମ୍‌ଓ ଏ ସମ୍ପର୍କରେ ସୂଚନା ନଥିବା କହିବା ପରେ ପାଣ୍ଡିଆନ୍‌ ଅତ୍ୟନ୍ତ ବିରକ୍ତ ହୋଇ ଯାଇଥିଲେ। ଏଚ୍‌ବି, ୟୁରିନ୍‌ ପରି ସାଧାରଣ ପରୀକ୍ଷା ପାଇଁ ମାଗଣା ବ୍ୟବସ୍ଥା ଥିଲେ ବି ରୋଗୀ ଟଙ୍କା ଖର୍ଚ୍ଚ କରି ବାହାରେ ପରୀକ୍ଷା କରିବାକୁ ବାଧ୍ୟ ହେଉଥିବାରୁ ସେ ଭୀଷଣ କ୍ଷୁବ୍ଧ ହୋଇଥିଲେ। ସେ ଜିଲ୍ଲାପାଳ ଶ୍ରୀ ପବନ କଲ୍ୟାଣ ଓ ଡାକ୍ତରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଏହା ସହ ତୁରନ୍ତ ଶ୍ରୀ ସାଇ ପାଥୋ ଲାବ୍‌କୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡାଏଲିସିସ କେନ୍ଦ୍ରରୁ ବାହାରି ଯିବା ବେଳେ ଜଣେ ରୋଗୀଙ୍କ ସମ୍ପର୍କୀୟ ଶୌଚାଳୟ ସୁବିଧା ନଥିବା ଅଭିଯୋଗ କରିବାରୁ ତୁରନ୍ତ ଏସବୁ ବ୍ୟବସ୍ଥା କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ପରେ ଜରୁରୀ ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଡାକ୍ତରମାନଙ୍କ ଉପ‌ରେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଭୀଷଣ ଅସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ୭ ମିନିଟ ବୈଠକରେ ରହିବା ପରେ ସେ ଓ ତାଙ୍କ ୫’ଟି’ ଦଳ କିରେଇ ହେଲିପ୍ୟାଡ୍‌ ଅଭିମୁଖେ ବ‌ାହାରି ଯାଇଥିଲେ। ସେ ହେଲିପ୍ୟାଡ୍‌ରେ ପହଞ୍ଚିବା ପୂର୍ବରୁ ରାଜ୍ୟ ସରକାର ସିଡିଏମ୍‌ଓଙ୍କୁ ନିଲମ୍ବିତ ଓ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ମିଳିଥିଲା। ଶ୍ରୀ ପାଣ୍ଡିଆନଙ୍କ ଏପରି ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ନେଇ ଡାକ୍ତରଖାନା‌ କର୍ତ୍ତୃପକ୍ଷ ହତ୍‌ଚକିତ ହୋଇ ପଡ଼ିଥିବା ବେଳେ ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ସାଧାରଣରେ ସମର୍ଥନ ପ୍ରକାଶ ପାଇଛି। ଏପରି କାର୍ଯ୍ୟାନୁଷ୍ଠାନ ସବୁ କ୍ଷେତ୍ରରେ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଅନ୍ୟପଟେ ଅପରାହ୍ନ ୪ଟାରେ ସଦର ତହସିଲଦାର ଯୋଗେଶ୍ବର ଭୋଇ ଓ ପୁଲିସ ଟିମ୍‌ ଶ୍ରୀ ସାଇ ପାଥୋ ଲାବ୍‌କୁ ରୋଗୀଙ୍କୁ ରକ୍ତ ପରୀକ୍ଷା ପାଇଁ ପ୍ରଭାବିତ କରିଥିବା ଅଭିଯୋଗରେ ସିଲ୍‌ କରି ଦେଇଛନ୍ତି। ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଡାକ୍ତରଖାନା କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୌରପାଳିକା ୩ ଦିନ ହେଲା ସଜାଗ ରହି ଦିନରାତି ଊଣାଅଧିକେ ସବୁ କିଛି ସଜାଡ଼ି ନେଇ ସବୁ ଠିକ ଥିବା ଦର୍ଶାଇବାକୁ ଚେଷ୍ଟା କରିଥିଲେ ବି ସବୁ ପାଣିରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର