ଏମ୍‌ସ ଦାବିରେ କଂଗ୍ରେସର ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍‌ସ ଦାବିରେ ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ଜିଲ୍ଲା କଂଗ୍ରେସ। ବନ୍ଦକୁ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ଵରେ ଥିବା ସୁନ୍ଦରଗଡ଼ ବିକାଶ ଫୋରମ୍‌, ସୁନ୍ଦରଗଡ଼ ବଣିକ ସଂଘ, ନାଗରିକ ସଂଘ, ବରିଷ୍ଠ ନାଗରିକ ସଂଘ ଓ ଅନ୍ୟ ସଂଗଠନ ସମର୍ଥନ କରିଥିଲେ। ଲୋକେ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଥିବାରୁ ସହର ଶୂନଶାନ୍‌ ଥିଲା। ଦୋକାନ ବଜାର ବନ୍ଦ ରହିବା ସହ କାଁ ଭାଁ ଗାଡ଼ି ଚଳାଚଳ କରୁଥିଲା। ବନ୍ଦ ଯୋଗୁ ଏମ୍‌ସିଏଲ୍‌ର କୋଇଲା ପରିବହନ ମଧ୍ୟ ପ୍ରଭାବିତ ହୋଇଥିଲା।

ସକାଳ ୬ଟାରେ ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ସ୍ଥାନୀୟ ଡିଆରଡିଏ ଛକ ଠାରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ପୂର୍ବାହ୍ଣ ୧୦ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ପିକେଟିଂ କରିଥିଲେ। ଫଳରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିଲା। ସୁନ୍ଦରଗଡ଼ରେ ନୂଆ କରି ତିଆରି ହୋଇଥିବା ଏନ୍‌ଟିପିସି ମେଡିକାଲରେ ରାଜ୍ୟର ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। କେନ୍ଦ୍ରର ବୈଷୟିକ ଟିମ୍‌ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ତେବେ ଏହା ପରେ ଘଟିଥିବା ଘଟଣା କ୍ରମରେ ଏଠାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ହେବନାହିଁ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ବଢ଼ୁଛି ।

ସମ୍ବନ୍ଧିତ ଖବର