ରାଉରକେଲା : ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ଇଭିଏମ୍ ଓ ଦଳୀୟ ଲୋକଙ୍କର ଅନ୍ତର୍ଘାତୀ କାର୍ଯ୍ୟ ଦାୟୀ। ଦଳରେ ରହି ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଇଭିଏମ୍ ଫିକ୍ସଂର ପର୍ଦ୍ଦାଫାସ ପାଇଁ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ କଂଗ୍ରେସ ଦଳର ପରାଜିତ ତିନି ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଘୋଷଣା କରିଛନ୍ତି।
ରାଉରକେଲାର ଏକ ହୋଟେଲରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳରୁ ସୁନ୍ଦରଗଡ଼ ଲୋକସଭା ଆସନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ପୂର୍ବତନ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ, ରାଉରକେଲାରୁ ଦଳର ବିଧାୟକ ପ୍ରାର୍ଥୀ ବୀରେନ୍ ସେନାପତି, ରଘୁନାଥପାଲିର ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଓ ବୀରମିତ୍ରପୁର ପ୍ରାର୍ଥୀ ରୋହିତ ଯୋଶେଫ ତିର୍କୀ ଯୋଗ ଦେଇ ସେମାନଙ୍କ ପରାଜୟ କାରଣ ସମ୍ପର୍କରେ କହିଥିଲେ। ଜର୍ଜ ତିର୍କୀ କହିଲେ, ଉଭୟ ଲୋକସଭା ଆସନ ଓ ବିଧାନସଭା ଆସନ ହାତେଇବା ପାଇଁ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଫିକ୍ସିଂ ହୋଇଥିଲା। ରାଜ୍ୟରେ ଶାସନ କରିବା ପାଇଁ ବିଜେପି ବିଧାନସଭା ଆସନଗୁଡ଼ିକୁ ହାତେଇଥିବା ବେଳେ ବିଜେପି ଲୋକସଭା ଆସନ ନେଇଛି। ଉଭୟ ମିଶି ଇଭିଏମ୍ ହାକିଂ କରି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଫଳାଫଳ ପରିବର୍ତ୍ତନ କରିଛନ୍ତି। ୨୦୧୪ ନିର୍ବାଚନରେ ମୋଦୀ ହାୱା ସତ୍ତ୍ବେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ମାତ୍ର ୧୮,୮୨୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ମାତ୍ର ସେ ଏଥର ୨ ଲକ୍ଷ ୨୩ ହଜାର ୦୬୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଲେ। ଚଳିତ ନିର୍ବାଚନରେ ଜୁଏଲ କିମ୍ବା ମୋଦୀଙ୍କ ସପକ୍ଷରେ କୌଣସି ହାୱା ନ ଥାଇ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଲକ୍ଷରୁ ଅଧିକ ଭୋଟ ପାଇବା ଆଦୌ ବିଶ୍ବାସଯୋଗ୍ୟ ନୁହେଁ। ଯେଉଁ ଭୋଟ କଂଗ୍ରେସ ପାଇବା କଥା, ତାହା ବିଜେପି ନେଇଛି। ଇଭିଏମ୍ ହାକିଂ କରି ଜୁଏଲ ଏହି ସଫଳତା ପାଇଛନ୍ତି। ଏହାର ପର୍ଦ୍ଦାଫାସ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କର।ଯିବ। କଂଗ୍ରେସ ଦଳର କେତେକ ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ପରାଜୟର ଅନ୍ୟ ଏକ କାରଣ ବୋଲି ଜର୍ଜ କହିଛନ୍ତି।
ଜର୍ଜ ଆହୁରି କହିଲେ ଯେ ଦଳରେ ରହି ଦଳ ବିରୋଧରେ କାମ କରିଥିବା ନେତାଙ୍କୁ ଚିହ୍ନଟ କରାଯାଇଛି। ଏ ସମ୍ପର୍କରେ ସେମାନେ ପିସିସି ଆଗରେ ସମସ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ କରିଛନ୍ତି। ସେମାନଙ୍କ ବିରୋଧରେ ଦଳ ଖୁବ୍ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶ୍ରୁତି ମିଳିଛି। କିଏ ଦଳରେ ରହି ଅନ୍ତର୍ଘାତୀ କାର୍ଯ୍ୟ କରିଥିଲେ ବୋଲି ପ୍ରଶ୍ନ ହେବାରୁ କୌଣସି ନାଁ କହିବାକୁ ଜର୍ଜ ମନା କରି ଦେଇଥିଲେ। ତେବେ କଥାରେ କଥାରେ ସେ ଦୁଇ ଝିଅ ଭିନ୍ନ ଭିନ୍ନ ଦଳରେ ଲଢିବା, ଶୃଙ୍ଖଳା କମିଟି ସଦସ୍ୟ ଏବଂ ଏହି ନେତାଙ୍କୁ ଆଗାମୀ ଦିନରେ ଜିଲ୍ଲାରେ ପୂରାଇ ଦିଆନଯିବା ଆଦି କହିଥିବାରୁ ଜର୍ଜ ପରୋକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପ୍ରତି ଇସାରା କରୁଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଯଦି ଇଭିଏମ୍ ଫିକ୍ସିଂ ହୋଇଛି, ତେବେ ରାଜଗାଙ୍ଗପୁର ଆସନରେ କଂଗ୍ରେସ ପ୍ରାର୍ଥୀ କିଭଳି ଜିତିଲେ ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଜର୍ଜ କହିଲେ, ସେଠାରେ ଇଭିଏମ୍ ଫିକ୍ସିଂ ପାଇଁ ତାଙ୍କ ପ୍ରାର୍ଥୀ ଖୁବ୍ କମ୍ ଭୋଟ ବ୍ୟବଧାନରେ ବିଜୟୀ ହେଲେ। ଜିଲ୍ଲାରେ କଂଗ୍ରେସ ୫ ଲକ୍ଷରୁ ଅଧିକ ଭୋଟ ଆଣିଥାନ୍ତା ବୋଲି ଜର୍ଜ ଦୃଢ଼ୋକ୍ତି କରିଥିଲେ। ତେବେ ଏକ ଉଲ୍ଲେଖନୀୟ ବିଷୟ ହେଉଛି, ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଉରକେଲା କିମ୍ବା ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲାର କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳି ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/congress.jpg)