ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ : ଏଥର ଜୁଏଲ, ଜର୍ଜ ନା ସୁନୀତା!

ରାଉରକେଲା : ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ପରେ ଏବେ ଏହାର ଫଳାଫଳ କ’ଣ ‌େହବ ତା’କୁ ନେଇ ସବୁଠି ଚର୍ଚ୍ଚା। କିଏ ଜିତିବ- କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ ନା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ? ଏଥର ଯେପରି ୩ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଛି, କିଏ ଜିତିବ ତାହା ନିର୍ଦ୍ଦିଷ୍ଟ ଭାବେ କହିବା ସହଜ ନୁହେଁ। ତେବେ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସ ଜିତିବେ ବୋଲି ନିଜ ନିଜର ଆକଳନରୁ ଦାବି କରୁଛନ୍ତି।

ସୁନ୍ଦରଗଡ଼ ଲୋକସଭା ଆସନରେ ଏଥର ୮ ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ଛାଡ଼ି ଦେଲେ ବିଜେଡିରୁ ସୁନୀତା ବିଶ୍ବାଳ, ବିଜେପିରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କଂଗ୍ରେସରୁ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ, ଏସ୍‌ୟୁସିଆଇରୁ ଜଷ୍ଟିନ୍‌ ଲୁଗୁନ, ଆମ୍‌ ଆଦ୍‌ମୀ ପାର୍ଟିରୁ ବାସିଲ ଏକ୍କା ଓ ହିନ୍ଦୁସ୍ଥାନ ନିର୍ମାଣ ଦଳରୁ ଦୟାନିଧି ଭିତିରିଆଙ୍କ ମଧ୍ୟରେ ଲଢେଇ ହୋଇଥିଲା। ପ୍ରଚାର ସମେତ ସବୁ ଦୃଷ୍ଟିରୁ ମୁଖ୍ୟତଃ ବିଜେପି, କଂଗ୍ରେସ ଓ ବିଜେଡି ମଧ୍ୟରେ ତ୍ରିମୁଖୀ ଲଢ଼େଇ ହୋଇଛି। ତିନି ଦଳ ମଧ୍ୟରୁ ବିଜେପି ଓ କଂଗ୍ରେସ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି।

ପୁଲୱାମା ଆକ୍ରମଣ ପରେ ଦେଶରେ ‘ମୋଦୀ ହାୱା’ର ପ୍ରଭାବ ଜିଲ୍ଲାରେ ପରିଲକ୍ଷିତ ହେବା ପରେ ଭୋଟ ବେଳେ ମଧ୍ୟ ଏହା ବିଜେପି ସପକ୍ଷରେ ଯାଇଥିବା କୁହାଯାଉଛି। ବିଶେଷ କରି ସହରାଞ୍ଚଳ, ସାଧାରଣବର୍ଗ ଓ ସଚେତନ ଭୋଟ ହାତେଇବାରେ ଜୁଏଲ ଏକପ୍ରକାର ସଫଳ ହୋଇଛନ୍ତି ବୋଲି ବିଜେପି ନେତୃବୃନ୍ଦ ଦାବି କରୁଛନ୍ତି। ବିଗତ ଦିନର କାର୍ଯ୍ୟକୁ ନେଇ ଜୁଏଲଙ୍କ ଉପରେ ଭୋଟରଙ୍କ ରୋଷ ମୋଦୀଙ୍କ ହାୱାରେ ମିଳେଇ ଯିବା ଭଳି ଅନୁଭୂତ ହୋଇଛି। ଜୁଏଲଙ୍କ ନିଜ ସମ୍ପ୍ରଦାୟ ଓରାମ ସମାଜ ଭୋଟ ମଧ୍ୟ ଏଥର ଜୁଏଲଙ୍କ ସପକ୍ଷରେ ଯାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ସାତ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସର ବେଶ୍‌ ଦବଦବା ରହିଛି। ୧୯୫୨ରୁ ୨୦୧୪ ମଧ୍ୟରେ ଅନୁଷ୍ଠିତ ୧୪ ଥର ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସର୍ବାଧିକ ୭ଥର ବିଜୟୀ ହୋଇଥିବାବେଳେ ବିଜେପି ୪ଥର ଜିତିଛି। ସେଇ ଦୃଷ୍ଟିରୁ ଏଥର ଜର୍ଜ ତିର୍କୀ ଜିତିବା ସମ୍ଭାବନା ଅଧିକ ବୋଲି ବିଭିନ୍ନ ମହଲରେ ଆକଳନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖ୍ରୀଷ୍ଟିଆନ୍ ବହୁଳ ଏବଂ ଅନେକ ସ୍ଥାନରେ ମୁସଲିମ୍ ଭୋଟ ରହିଛି। ଏହି ଦୁଇ ଭୋଟ ଏଥର ଜର୍ଜ ତିର୍କୀଙ୍କ ସପକ୍ଷରେ ରହିବା ଭଳି ଅନୁଭୂତ ହୋଇଥିଲା। ପେସା ଗ୍ରାମସଭା, ଆଦିବାସୀ ମୂଳବାସୀ ସଂଗଠନ, କେତେକ ଶ୍ରମିକ ସଂଗଠନ ମଧ୍ୟ ଜର୍ଜଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି। ତେଣୁ କଂଗ୍ରେସର ପକେଟ୍‌ ଭୋଟ ଏବଂ ଜର୍ଜଙ୍କ ନିଜସ୍ବ ଭୋଟରେ ଦଳ ଆଉ ଥରେ ବିଜୟୀ ହେବ ବୋଲି କଂଗ୍ରେସ ଦଳର ନେତା କହୁଛନ୍ତି।

ଅନ୍ୟପକ୍ଷରେ ଶାସକ ବିଜେଡି ଦଳ ଏପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ହୋଇନାହିଁ। ସୁନୀତା ନବାଗତା ହେଲେ ବି ଭଲ ପ୍ରଦର୍ଶନ କରିଛନ୍ତି। ସବୁ ବିଧାନସଭା ଆସନରେ ଲଢେଇ କରିଥିବା ବିଜେଡିର ବିଧାୟକ ପ୍ରାର୍ଥୀମାନେ ସୁନୀତାକୁ ସହଯୋଗ କରିଥିବା ଦଳର ନେତାମାନେ କହୁଛନ୍ତି। ବିଧାୟକ ପ୍ରାର୍ଥୀମାନେ ଅଳ୍ପ କେତେକ ରାଲିକୁ ଛାଡ଼ି ଦେଲେ ସୁନୀତାଙ୍କ ପାଇଁ ସେଭଳି ଆଖିଦୃଶିଆ ପ୍ରଚାର କରି ନଥିଲେ। ତେବେ, ସୁନୀତା ନିଜ ସମ୍ପ୍ରଦାୟ ଭୂୟାଁ ଭୋଟ ଏକତରଫା ପାଇଥିବା ବିଜେଡି ପକ୍ଷରୁ ଦାବି କରାଯାଉଛି। ‌ଯଦି ତାହା ସତ ହୁଏ, ତେବେ ବିଜେଡି ବିଜୟୀ ହେବା ଅସମ୍ଭବ ନୁହେଁ।

ତେବେ ଏଥର ଏହି ତିନି ଦଳର ବିଜୟ ଓ ପରାଜୟ ରାଉରକେଲା ଭୋଟ ଉପରେ ନିର୍ଭରଶୀଳ ବୋଲି କୁହାଯାଇପାରେ। କାରଣ ସବୁ ନିର୍ବାଚନରେ ରାଉରକେଲାର ସାଧାରଣବର୍ଗ ଭୋଟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ। ଗତ ୨୦୧୪ ନିର୍ବାଚନରେ ଜୁଏଲ ରାଉରକେଲାରୁ ଅଧିକ ଭୋଟ ପାଇଁ ବିଜୟୀ ହୋଇଥିଲେ। ଏହା ପୂର୍ବରୁ କଂଗ୍ରେସର ହେମାନନ୍ଦ ବିଶ୍ବାଳ ମଧ୍ୟ ଅନୁରୂପ ଶୈଳୀରେ ବିଜୟୀ ହୋଇଥିଲେ। ଚଳିତଥର ମଧ୍ୟ ରାଉରକେଲା ଭୋଟର ନିର୍ଣ୍ଣାୟକ ଭୂମିକ ଗ୍ରହଣ କରିବେ ବୋଲି କୁହାଯାଉଥିବା ବେଳେ ନିର୍ବାଚନୀ ଫଳାଫଳରୁ ଏ ନେଇ ସ୍ପଷ୍ଟ ଚିତ୍ର ମିଳିବ। ତେବେ, ସେ ଯାଏ ଅପେକ୍ଷା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର