ଫୁଟିନି ପଦ୍ମ, ବାଜିନି ଶଙ୍ଖ : ୪ ବିଧାନସଭା ଆସନରେ ଜିତିନି ବିଜେଡି, ୩ରେ ଖାତା ଖୋଲିପାରିନି ବିଜେପି

ବୀରମିତ୍ରପୁର ଓ ତଲସରାରେ ବିଜେପି ଓ ବିଜେଡି ଥରଟିଏ ବି ଜିତି ନାହାନ୍ତି

ରାଉରକେଲା : ସାଂପ୍ରତିକ ରାଜନୀତିରେ ଦୁଇ ପ୍ରମୁଖ ରାଜନୈତିକ ଦଳ ହେଉଛି ବିଜେପି, ବିଜେଡି ଓ କଂଗ୍ରେସ। ଉଭୟ ରାଜ୍ୟ ଓ ଦେଶର ରାଜନୀତିରେ ଏହି ଦୁଇ ପ୍ରମୁଖ ଦଳ ନିଜର ବିଜୟ ବାନା ଉଡ଼ାଇ ସାରିଛନ୍ତି। ମାତ୍ର ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ କେତେକ ବିଧାନସଭା ଆସନରେ ଏହି ଦୁଇ ପ୍ରମୁଖ ଦଳକୁ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖିନାହାନ୍ତି। ରାଜ୍ୟବ୍ୟାପୀ ଉଭୟ ଦଳର ପ୍ରଦର୍ଶନ ଦମ୍‌ଦାର ରହୁଥିବାବେଳ ଜିଲ୍ଲାର ୨ଟି ବିଧାନସଭା, ଯଥା- ବୀରମିତ୍ରପୁର ଓ ତଲସରା ଆସନରେ ଶଙ୍ଖ ବାଜିନି କି ପଦ୍ମ ଫୁଟିପାରିନି। ନିର୍ବାଚନ ହେବା ଦିନଠାରୁ ଏ ପର୍ଯ୍ୟନ୍ତ, ତିନିଟି ଆସନରେ ବିଜେପି ଖାତା ଖୋଲିପାରିନି। ସେଗୁଡ଼ିକ ହେଲା, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ତଲସରା ନିର୍ବାଚନ ମଣ୍ଡଳୀ। ସେହିଭଳି ବିଜେଡି ମଧ୍ୟ ୪ଟି ବିଧାନସଭା ଆସନ, ଯଥା-ବୀରମିତ୍ରପୁର, ବଣାଇଁ, ତଲସରା ଓ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀରେ ଥରେ ହେଲେ ଜିତି ପାରିନି।

ଶାସକ ବିଜେଡି ଓ ବିଜେପିର ପ୍ରଦର୍ଶନ ଯଥାକ୍ରମେ ବୀରମିତ୍ରପୁର ଓ ତଲସରା‌ ନିର୍ବାଚନ ମଣ୍ଡଳରେ ନୈରାଶ୍ୟଜନକ ରହିଛି। ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ୧୯୭୪ ମସିହାରୁ ଏପର୍ଯ୍ୟନ୍ତ, ମୋଟ୍‌ ୧୨ଟି ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ଉଭୟ ବିଜେପି ଓ ବିଜେଡି ଗୋଟିଏ ଥର ବି ଜିତତିପାରିନଥିବାବେଳେ କଂଗ୍ରେସ ଗୋଟିଏ ଥର (୧୯୮୫), କଂଗ୍ରେସ (ଆଇ) ଗୋଟିଏ ଥର (୧୯୮୦), ଜନତା ପାର୍ଟି ଗୋଟିଏ ଥର (୧୯୭୭), ସ୍ବାଧୀନ ପ୍ରାର୍ଥୀ ୨ ଥର (୧୯୭୪, ୨୦୦୯), ସମତା କ୍ରାନ୍ତି ଦଳ ୧ ଥର (୨୦୧୪), ଜନତା ଦଳ ଗୋଟିଏ ଥର (୧୯୯୦) ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସର୍ବାଧିକ ୩ ଥର (୧୯୯୫, ୨୦୦୦, ୨୦୦୪) ବିଜୟୀ ହୋଇଛନ୍ତି। ସେହିଭଳି ତଲସରା ନିର୍ବାଚନ ମଣ୍ଡଳରେ ଏ ପର୍ଯ୍ୟନ୍ତ ୧୪ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଠାରେ ବିଜେପି ଓ ବିଜେଡି ଥରୁଟିଏବି ଜିତିପାରିନଥିବାବେଳେ କଂଗ୍ରେସ ସର୍ବାଧିକ ୯ ଥର (୧୯୭୪,୧୯୮୦, ୧୯୮୫,୧୯୯୫,୨୦୦୪, ୨୦୦୪, ୨୦୦୬-ଉପନିର୍ବାଚନ, ୨୦୦୯, ୨୦୧୪), ସ୍ବତନ୍ତ୍ର ପାର୍ଟି ୨ ଥର (୧୯୬୭ ଓ ୧୯୭୧), ଏବଂ ଜନତା ଦଳ (୧୯୯୦), ଜନତା ପାର୍ଟି (୧୯୭୭), ଗଣତନ୍ତ୍ର ପରିଷଦ (୧୯୬୧) ଥରଟିଏ ଲେଖାଏଁ ବିଜୟୀ ହୋଇଛନ୍ତି। ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଅଦ୍ୟାବଧି ୧୫ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ଆସନରୁ ବିଜେପି ଥରଟିଏ ବି ଜିତିନଥିବାବେଳେ ବିଜେଡି ୨ ଥର (୨୦୦୪, ୧୦୦୯), କଂଗ୍ରେସ ୪ ଥର (୧୯୬୧, ୧୯୭୪, ୨୦୦୪ ଓ ୨୦୦୯), ଜନତା ଦଳ ୩ ଥର (୧୯୮୫, ୧୯୯୦, ୧୯୯୫), ସ୍ବାଧୀନ ୩ ଥର (୧୯୫୧, ୧୯୫୭, ୧୯୬୭) ଏବଂ କଂଗ୍ରେସ (ଆଇ) ୧ ଥର (୧୯୮୦), ଜନତା ପାର୍ଟି (୧୯୭୭) ଓ ଝାରଖଣ୍ଡ (୧୯୭୧) ଗୋଟିଏ ଥର ଲେଖାଏଁ ବିଜୟୀ ହୋଇଛନ୍ତି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୫ ଥର ନିର୍ବାଚନ ହୋଇଥିବାବେଳେ ଏଠାରେ ବିଜେଡି ଥରେ ହେଲେ ଖାତା ଖୋଲିପାରିନାହିଁ। ଏଠାରେ କଂଗ୍ରେସ ସର୍ବାଧିକ ୭ ଥର (୧୯୫୧, ୧୯୭୪, ୧୯୭୭, ୧୯୮୦, ୧୯୯୫, ୨୦୦୯, ୨୦୧୪) ଜିତିଥିବାବେଳେ ବିଜେପି ୨ ଥର (୨୦୦୦ ଓ ୨୦୦୪-ଉପନିର୍ବାଚନ), ଗଣତନ୍ତ୍ର ପରିଷଦ ୨ ଥର (୧୯୬୧, ୧୯୫୧-ଉପ ନିର୍ବାଚନ) ଏବଂ ଜନତା ଦଳ (୧୯୯୦), ଜନତା ପାର୍ଟି (୧୯୮୫), ଓଡ଼ିଶା ଜନ କଂଗ୍ରେସ (୧୯୭୧) ଓ ସ୍ବତନ୍ତ୍ର ପାର୍ଟି (୧୯୬୭) ଗୋଟିଏ ଥର ଲେଖାଏଁ ଜିତିଛନ୍ତି। ବଣାଇଁ ନିର୍ବାଚନ ମଣ୍ଡଳରେ ୧୫ ଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏଠାରେ ବିଜେଡି ନିଜର ଖାତା ଖୋଲିପାରିନାହିଁ। ଏଠାରେ ବିଜେପି ସର୍ବାଧିକ ୪ ଥର (୧୯୯୦, ୧୯୯୫, ୨୦୦୦, ୨୦୦୯) ଜିତିଥିବାବେଳେ କଂଗ୍ରେସ ୩ ଥର (୧୯୭୪, ୧୯୮୦, ୧୯୮୫), ସିପିଏମ୍‌ ୨ ଥର (୨୦୦୪, ୨୦୧୪), ସ୍ବାଧୀନ ପ୍ରାର୍ଥୀ ୨ ଥର (୧୯୬୭, ୧୯୭୧), ଗଣ ପରିଷଦ ୨ ଥର (୧୯୫୧, ୧୯୫୭) ଏବଂ ଜନତା ପାର୍ଟି (୧୯୭୭) ଓ ଗଣତନ୍ତ୍ର ପରିଷଦ (୧୯୬୧) ଗୋଟିଏ ଥର ଲେଖାଏଁ ଜିତିଛନ୍ତି।। ରାଉରକେଲା ନିର୍ବାଚନ ମଣ୍ଡଳରେ ୧୨ଟି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ଏଠାରେ ସର୍ବାଧିକ ବିଜେଡି ୩ ଥର (୨୦୦୦, ୨୦୦୪, ୨୦୦୯) ଓ ଜନତା ପାର୍ଟି ୩ ଥର (୧୯୭୭, ୧୯୮୫, ୧୯୯୦) ବିଜୟୀ ହୋଇଛି। ଏହାସହ କଂଗ୍ରେସ ୨ ଥର (୧୯୭୪, ୧୯୯୫) ଜିତିଥିବାବେଳେ ବିଜେପି (୨୦୧୪), କଂଗ୍ରେସ (ଆଇ) (୧୯୮୦), ଓଡ଼ିଶା ଜନ କଂଗ୍ରେସ (୧୯୭୧) ଓ ପ୍ରଜା ସୋସିଆଲିଷ୍ଟ୍‌ ପାର୍ଟି (୧୯୬୭) କେବଳ ଗୋଟିଏ ଥର ଲେଖାଏଁ ବିଜୟୀ ହୋଇଛନ୍ତି। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଏ ପର୍ଯ୍ୟନ୍ତ ୧୦ ଥର ନିର୍ବାଚନ ଅନୁଷ୍ଠିତ ହୋଇଥିବାବେ‌ଳେ ଏଠାରେ ବିଜେଡି (୨୦୦୯, ୨୦୧୪), କଂଗ୍ରେସ (୧୯୭୪, ୧୯୮୫) ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା( ୧୯୯୦, ୨୦୦୪) ଦୁଇଥର ଲେଖାଏଁ ବିଜୟୀ ହୋଇଛନ୍ତି। ଏଠାରେ ବିଜେପି (୨୦୦୪), କଂଗ୍ରେସ (ଆଇ) ୧୯୮୦, ଜନତା ଦଳ (୧୯୯୦) ଓ ଜନତା ପାର୍ଟି (୧୯୭୭) ଥରୁଟିଏ ଲେଖାଏଁ ବିଜୟୀ ହୋଇଛନ୍ତି। ବିଧାନସଭା ବ୍ୟତିତ ସୁନ୍ଦରଗଡ଼ ଲୋକସଭା ଆସନରେ ମଧ୍ୟ ବିଜେଡିର ନୈରାଶ୍ୟଜନକ ପ୍ରଦର୍ଶନ ଅବ୍ୟାହତ ରହିଛି। ଏଠାରେ ବିଜେଡି ଥରେ ହେଲେ ଜିତିନଥିବାବେଳେ କଂଗ୍ରେସ ସର୍ବାଧିକ ୭ ଥର (୧୯୫୨, ୧୯୭୧, ୧୯୮୦,୧୯୮୪, ୧୯୯୧, ୧୯୯୬, ୨୦୦୯) ଜିତିଛି। ଏଠାରୁ ବିଜେପି ୪ ଥର (୧୯୯୮,୧୯୯୯,୨୦୦୪, ୨୦୧୪) ଜିତିଥିବାବେଳେ ଗଣତନ୍ତ୍ର ପରିଷଦ ୨ ଥର (୧୯୫୭, ୧୯୬୨) ଏବଂ ଜନତା ଦଳ (୧୯୮୯), ଜନତା ପାର୍ଟି (୧୯୭୭), ସ୍ବତନ୍ତ୍ର ପାର୍ଟି (୧୯୬୭) ଥରେ ଲେଖାଏଁ ଜିତିଛନ୍ତି।

ସମ୍ବନ୍ଧିତ ଖବର