ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ବିବାଦ: ଆରବିଆଇ ମାପଦଣ୍ଡ ଅଯୋଗ୍ୟଙ୍କୁ ସିଇଓ ପଦରେ ନିଯୁକ୍ତି !

ସୁନ୍ଦରଗଡ଼: ବର୍ଷାଧିକ ସମୟ ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ପଦକୁ ନେଇ ଟଣାଓଟରା ଲାଗି ରହିଥିଲା। ଯାହା ଥମିବାର ନାଁ ଧରୁ ନାହିଁ। ଏହା ମଧ୍ୟରେ ଗତ ୨୮ ତାରିଖରେ ବ୍ୟାଙ୍କର ନବନିର୍ବାଚିତ ପରିଚାଳନା ପରିଷଦକୁ ଅନିୟମିତତା ଓ ବେଆଇନ କାର୍ଯ୍ୟ କରୁଥିବା ଦର୍ଶାଇ ଓଡ଼ିଶା ସମବାୟ ସମିତି ନିବନ୍ଧକ ନିଲମ୍ବିତ କରିଛନ୍ତି। ଯାହା ପୁଣି ଏକ ନୂଆ ବିବାଦକୁ ଜନ୍ମ ଦେଇଛି। ପରିଚାଳନା ପରିଷଦ ଏହା ବିରୋଧରେ ଏବେ କୋର୍ଟକୁ ଯିବାକୁ ପ୍ରସ୍ତୁତ ହେଉଛି।

ତେବେ ଏସବୁ ଘଟଣା ମଧ୍ୟରେ ପରିଚାଳନା ପରିଷଦ ଗତ ନଭେମ୍ବର ୨୦ ତାରିଖରେ ସର୍ବସମ୍ମତିକ୍ରମେ ନିଯୁକ୍ତ କରିଥିବା ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶଚନ୍ଦ୍ର ଦାସଙ୍କୁ ଅଗ୍ରାହ୍ୟ କରି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଅନୁଗୁଳ ୟୁନାଇଟେଡ୍ ସମବାୟ ବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ ଦାୟିତ୍ବରେ ଥିବା ବଟକେଶ୍ବର ମଲ୍ଲିକଙ୍କୁ ସୁନ୍ଦରଗଡ଼ ବ୍ୟାଙ୍କ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। କିନ୍ତୁ ସୁନ୍ଦରଗଡ଼ ବ୍ୟାଙ୍କ ପରିଚାଳନା ପରିଷଦ ଶ୍ରୀ ମଲ୍ଲିକଙ୍କ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଛି। ଅଧିକାରୀ ଶ୍ରୀ ମଲ୍ଲିକ ଅନୁଗୁଳ ବ୍ୟାଙ୍କ ସିଇଓ ଦାୟିତ୍ବରେ ଥିବା ବେଳେ ସେ ରିଜର୍ଭ ବ୍ୟାଙ୍କର ମାପଦଣ୍ଡ ଅନୁଯାୟୀ ଯୋଗ୍ୟ ନଥିବା ନାବାର୍ଡ ୨୧ ତାରିଖରେ ଚିଠି ଲେଖିଥିଲା।

ଚିଠିରେ ଅନୁଗୁଳ ବ୍ୟାଙ୍କକୁ ଡିସେମ୍ବର ୩୧ ସୁଦ୍ଧା ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ ‘ଉପଯୁକ୍ତ ଏବଂ ଉଚିତ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ମୁଖ୍ୟ ନିର୍ବାହୀ ଅଧିକାରୀ ନିଯୁକ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଅଯୋଗ୍ୟ ଅଧିକାରୀଙ୍କ ନିଯୁକ୍ତି କ୍ଷେତ୍ରରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାବାର୍ଡ ଚେତାବନୀ ମଧ୍ୟ ଦେଇଥିଲା। ଏହା ପୂର୍ବରୁ ଗତ ଦୁଇ ମାସ ତଳେ ଅନୁଗୁଳ ସମେତ ରାଜ୍ୟର ୧୭ଟି ସମବାୟ ବ୍ୟାଙ୍କରେ ରିଜର୍ଭ ବ୍ୟାଙ୍କ ମାର୍ଗଦର୍ଶିକା ବା ନିୟମ ଅନୁଯାୟୀ ଯୋଗ୍ୟତା ସମ୍ପନ୍ନ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନାବାର୍ଡ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଓ ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କୁ ଚିଠି ଲେଖିଥିଲା। କିନ୍ତୁ ଏଯାଏ ତାର ଅନୁପାଳନ ହୋଇ ନଥିବା ନାବାର୍ଡ ପକ୍ଷରୁ କୁହାଯାଇଛି। ତେଣୁ ଅନୁଗଳ ବ୍ୟାଙ୍କରେ ସିଇଓ ପଦ ପାଇଁ ଅଯୋଗ୍ୟ ଅଧିକାରୀଙ୍କୁ କିପରି ସୁନ୍ଦରଗଡ଼ ବ୍ୟାଙ୍କ ସିଇଓ ଭାବେ ନିଯୁକ୍ତି ଦିଆଯାଇପାରିବ ବୋଲି ପରିଚାଳନା ପରିଷଦ ଓଡ଼ିଶା ରାଜ୍ୟ ସମବାୟ ସମିତି ନିବନ୍ଧକଙ୍କୁ ପ୍ରଶ୍ନ କରିଛି।

ଅନ୍ୟପଟେ ଗତ ୨୦୧୫-୧୭ ଆର୍ଥିକ ବର୍ଷରେ ନାବାର୍ଡର ନିରୀକ୍ଷଣ ରିପୋର୍ଟରେ ସିଇଓ ଶ୍ରୀ ଦାସଙ୍କୁ ଯୋଗ୍ୟ ଦର୍ଶାଯାଇଥିବାରୁ ତାଙ୍କୁ ହଟାଇବା କୌଣସି ଯଥାର୍ଥତା ନାହିଁ ବୋଲି ପରିଷଦ ଯୁକ୍ତି ବାଢ଼ିଛି। ଏହା ମଧ୍ୟରେ ସୁନ୍ଦରଗଡ଼ ବ୍ୟାଙ୍କରେ ଯୋଗଦାନପତ୍ର (ଜଏନିଂଲେଟର) ଦାଖଲ କରିଥିବା ଅଧିକାରୀ ବଟକେଶ୍ବର ମଲ୍ଲିକ ଆଉ ବ୍ୟାଙ୍କକୁ ଆସୁ ନଥିବା ସୂଚନା ମିଳିଛି। ତେବେ ଆଗକୁ ଡିସେମ୍ବର ୧୫ରୁ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବାକୁ ଥିବାବେଳେ ସମବାୟ ବ୍ୟାଙ୍କରେ ସିଇଓ ନିଯୁକ୍ତିକୁ ନେଇ ଟଣାଓଟରା ଜିଲ୍ଲାର ଚାଷୀମାନଙ୍କୁ ଅଶେଷ କ୍ଷତି ପହଞ୍ଚାଇବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର