ସୁନ୍ଦରଗଡ଼ କରୋନା ଆକ୍ରାନ୍ତଙ୍କ ଭାଇରାଲ୍‌ ଭିଡିଓକୁ ନେଇ ଉଠିଲା‌ ପ୍ରଶ୍ନ : ନିଜାମୁଦ୍ଦିନରୁ ଫେରିଥିବା ସତ୍ତ୍ବେ ହସ୍ପିଟାଲ କ୍ବାରାଣ୍ଟିନ୍‌ରେ ରଖାଗଲାନି କାହିଁକି?

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବିଶ୍ରା ସାମିୟାନା କଲୋନିର ବରିଷ୍ଠ ନାଗରିକ (୬୭)। ସେ ବର୍ତ୍ତମାନ ରାଉରକେଲା କୋଭିଡ୍‌ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏହି କରୋନା ଆକ୍ରାନ୍ତଙ୍କ ଏକ ଭିଡିଓ ଆଜି ଭାଇରାଲ ହୋଇଛି। ଏହି କରୋନା ରୋଗୀ ଜଣକ ହସପିଟାଲ୍‌ ଭିତରେ ହିଁ ମୋବାଇଲ୍‌ରେ ନିଜେ ଏକ ଭିଡିଓ ରେକର୍ଡ କରିଛନ୍ତି। ଏପ୍ରିଲ ୫ ତାରିଖରେ ନେଗେଟିଭ୍ ଆସିଥିବାବେଳେ ୧୧ରେ କେମିତି ଏହା ପଜିଟିଭ୍ ହେଲା ବୋଲି‌ ସେ ଏହି ଭିଡିଓରେ ପ୍ରଶ୍ନ ଉଠାଇଛନ୍ତି। ‌

ଆକ୍ରାନ୍ତ ଜଣକ କହିଛନ୍ତି, ଗତ ମାର୍ଚ୍ଚ ୬ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ନିଜାମୁଦ୍ଦିନ ସମାବେଶରେ ଯୋଗଦେବା ପରେ ସେ ୧୧ ତାରିଖରେ ରାଉରକେଲାକୁ ଫେରିଥିଲେ। ଏହାପରେ ସେ ଘରେ ରହିଥିଲେ। ଏହି ସମୟରେ ନିଜାମୁଦ୍ଦିନ ଫେରନ୍ତାମାନେ ସ୍ବତଃପ୍ରବୃତ୍ତଭାବେ ନିଜ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ସରକାର ପରାମର୍ଶ ଦେବାରୁ ସେ ଗତ ଏପ୍ରିଲ ୨ ତାରିଖ ସନ୍ଧ୍ୟାରେ ଆର୍‌ଜିଏଚ୍‌ରେ ଟେଷ୍ଟ୍‌ କରିଥିଲେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ, ଅର୍ଥାତ୍‌ ଏପ୍ରିଲ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସେ ଆର୍‌ଜିଏଚ୍‌ ଆଇସୋଲେନ୍ ୱାର୍ଡରେ ରହିଥିଲେ। ତେବେ ଏପ୍ରିଲ ୫ ତାରିଖରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାରୁ ତାଙ୍କୁ ଡିସଚାର୍ଜ କରାଯିବା ସହ ହୋମ୍‌ କ୍ବାରାଣ୍ଟିନ୍‌ରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ହୋମ୍‌ କ୍ବାରାଣ୍ଟିନ୍‌ରେ ଥିବାବେଳେ ଗତ ଏପ୍ରିଲ ୧୧ ତାରିଖରେ ସରକାରୀ ଅଧିକାରୀ ଫୋନ୍‌ଯୋଗେ ସମସ୍ତ ପରିବାର ସଦସ୍ୟଙ୍କ ସହ ହସପିଟାଲ୍‌କୁ ଆସିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଏକ ଆମ୍ବୁଲାନ୍‌ସରେ ସପରିବାର ସେ ରାଉରକେଲା କୋଭିଡ୍‌ ହସପିଟାଲକୁ ଆସିଥିଲେ। ହସପିଟାଲରେ ପହଞ୍ଚିବାପରେ ତାଙ୍କୁ ଅଲଗା ୱାର୍ଡରେ ରଖାଯାଇଥିବା ବେଳେ ପରିବାର ସଦସ୍ୟଙ୍କୁ ଅନ୍ୟ ଏକ ୱାର୍ଡରେ ରଖାଯାଇଛି। ରିପୋର୍ଟ ନେଇ ପଚାରିଲେ ଏ ଯାଏ ଆସିନଥିବା କୁହାଯାଉଛି। ଅପରପକ୍ଷରେ ତାଙ୍କର ପଜିଟିଭ୍‌ ଥିବା ବାହ୍ୟସୂତ୍ରରୁ ସେ ଜାଣିବାକୁ ପାଇଛନ୍ତି ବୋଲି ଏହି ଭିଡିଓରେ କହିଛନ୍ତି।

ଏହି ରୋଗୀ ଜଣକ କେଉଁ ଲକ୍ଷ୍ୟରେ ଏଭଳି ଭିଡିଓ ବାର୍ତ୍ତା ଜାରି କରିଛନ୍ତି, ଜ‌ାଣିବାର ସମ୍ଭାବନା ନାହିଁ। ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଗତ ୫ ତାରିଖରେ ଏହି ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍‌ ଆସିବାପରେ ତାଙ୍କୁ ହସ୍‌ପିଟାଲରେ କ୍ବାରାଣ୍ଟିନ୍‌ରେ ନରଖି ହୋମ୍‌ କ୍ବାରାଣ୍ଟିନ୍‌ ପାଇଁ କାହିଁକି ପରାମର୍ଶ ଦିଆଗଲା? ସେ ନିଜାମୁଦ୍ଦିନ ସମାବେଶରୁ ଯୋଗଦେଇ ଫେରିଥିବା ସତ୍ତ୍ବେ ତାଙ୍କ କ୍ଷେତ୍ରରେ ଅଧିକ ସତର୍କତାମୂଳକ ପଦକ୍ଷେପ ନିଆ ଗଲାନାହିଁ କାହିଁକି? ପୁଣି ଘ‌ରକୁ ଯାଇ ଏହି ବ୍ୟକ୍ତି ଜଣକ ପ୍ରକୃତରେ ନୀତି ପାଳନପୂର୍ବକ କ୍ବାରାଣ୍ଟିନ୍‌ରେ ଥିଲେ ନା ନାହିଁ, ସେ ନେଇ ରୀତିମତ ଯାଞ୍ଚ କରା ଯାଇଥିଲା କି ନାହିଁ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି।

ସମ୍ବନ୍ଧିତ ଖବର